ETV Bharat / state

Panchayat Election: ଖୋର୍ଦ୍ଧାରେ ପ୍ରସ୍ତୁତି ଜୋରଦାର, ରହିଛି 500 ଅତିସମ୍ବେଦନଶୀଳ ବୁଥ୍‌

author img

By

Published : Feb 3, 2022, 7:17 AM IST

Panchayat Election: ପଞ୍ଚାୟତ ନିର୍ବାଚନ ପାଇଁ ଖୋର୍ଦ୍ଧା ପ୍ରଶାସନର ପ୍ରସ୍ତୁତି
Panchayat Election: ପଞ୍ଚାୟତ ନିର୍ବାଚନ ପାଇଁ ଖୋର୍ଦ୍ଧା ପ୍ରଶାସନର ପ୍ରସ୍ତୁତି

କିଛିଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଗ୍ରାମାଞ୍ଚଳରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର । ରାଜ୍ୟ ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ପରେ ତତ୍ପର ହୋଇପଡିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ଖୋର୍ଦ୍ଧା: କିଛିଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଗ୍ରାମାଞ୍ଚଳରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର । ବିଭିନ୍ନ ପଞ୍ଚାୟତରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀ ନିଜର ସମର୍ଥକଙ୍କ ସହ ଘରକୁ ଘର ବୁଲି ନିର୍ବାଚନୀ ପ୍ରତିଶୃତି ଦେଉଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ ସାଧାରଣ ଆଚରଣବିଧି ତଥା ସଭାସମିତି, ଭୋଟ ପ୍ରାର୍ଥନା ଓ ପ୍ରଚାର ଆଦି କାର୍ଯ୍ୟରେ କୋଭିଡ୍ କଟକଣା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଖୋର୍ଦ୍ଧା ଜିଲ୍ଲାରେ ୧୦ଟି ବ୍ଲକର ସମୁଦାୟ ୧୦ ଲକ୍ଷ ୩୦ ହଜାର ୬୦୯ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେଥିରୁ ନୂତନ ଭୋଟରଙ୍କ ସଂଖ୍ୟା ୬୯ ହଜାର ୧୪୯ଜଣ ରହିଛନ୍ତି । ଜିଲ୍ଲାରେ ସମୁଦାୟ ୨୭୧୧ ପୋଲିଂ ବୁଥ୍ ରହିଛି। ସେଥିରୁ ୫୦୦ଟି ଅତି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୧୨୬୩ ଟି ସମ୍ବେଦନଶୀଳ ବୁଥ ଏବଂ ସାଧାରଣ ବୁଥ୍ ୯୪୮ଟି ରହିଛି।

୧୨୯ଟି ଜିଲ୍ଲା ପରିଷଦ, ୭୮୮ ଟି ସରପଞ୍ଚ, ୬୭୪ଟି ସମିତିସଭ୍ୟ ଓ ୫୦୯୧ଟି ୱାର୍ଡ ମେମ୍ବର ପାଇଁ ନିର୍ବାଚନ ହେବ । ଫେବୃୟାରୀ ୧୬ ତାରିଖର ପ୍ରଥମ ପର୍ଯ୍ୟାୟରେ ଟାଙ୍ଗୀ ଓ ବୋଲଗଡ଼ ବ୍ଳକ, ଫେବୃଆରୀ ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ବାଣପୁର ଓ ବେଗୁନିଆ ବ୍ଲକ, ଫେବୃଆରୀ ୨୦ ତାରିଖ ତୃତୀୟ ପର୍ଯ୍ୟାୟ ଚିଲିକା ଓ ଖୋର୍ଦ୍ଧା ବ୍ଲକ, ଫେବୃଆରୀ ୨୨ ତାରିଖ ଚତୁର୍ଥ ପର୍ଯ୍ୟାୟରେ ବାଲିପାଟଣା ଓ ଭୁବନେଶ୍ଵର ବ୍ଲକ, ଫେବୃଆରୀ ୨୪ ତାରିଖ ପଞ୍ଚମ ପର୍ଯ୍ୟାୟରେ ବାଲିଅନ୍ତା ଓ ଜଟଣୀ ବ୍ଲକରେ ଏହି ନିର୍ବାଚନ ହେବ ।

ପ୍ରତି ବ୍ଲକର ବୁଥଗୁଡ଼ିକୁ ଯିବାକୁ ଥିବା ଭୋଟବାକ୍ସ, ବାଲେଟ ପେପର, ଷ୍ଟାମ୍ପ, କାଳି, ସୂତା, ପରଦା, ମହମବତୀ, ଦିଆସିଲି ପର୍ଯ୍ୟନ୍ତ ସଜଡ଼ା ହେଉଛି। ପୂର୍ବ ନିର୍ବାଚନଗୁଡ଼ିକରେ ବୁଥରେ ଲଣ୍ଠନ ରହୁଥିଲା । କିନ୍ତୁ ଏଥର ପ୍ରତି ବୁଥରେ ଏଲଇଡି ଚାର୍ଜ ଲାଇଟ ରହିବାକୁ ସ୍ଥିର କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.