ETV Bharat / state

କାଳିଆକୁ ଶୃଙ୍ଖଳିତ ଓ ବ୍ୟାପକ କରିବାକୁ ନିଆଯାଉଛି ପଦକ୍ଷେପ: କୃଷି ମନ୍ତ୍ରୀ

author img

By ETV Bharat Odisha Team

Published : Sep 19, 2023, 9:47 AM IST

kalia Yojana Review Meeting
kalia Yojana Reviewd by minister rajendra pratap

କୃଷି ଭବନରେ କାଳିଆ ଯୋଜନା ସମୀକ୍ଷା ବୈଠକ ଆୟୋଜିତ ହୋଇଛି । କାଳିଆକୁ ଶୃଙ୍ଖଳିତ ଓ ବ୍ୟାପକ କରିବାକୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟର କୃଷି ଓ କୃଷକମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ କାଳିଆ ଯୋଜନା ଅତ୍ୟନ୍ତ ଲୋକପ୍ରିୟ ଓ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଏହାକୁ ଅଧିକ ଶୃଙ୍ଖଳିତ ଓ ବ୍ୟାପକ କରିବା ପାଇଁ ବିଭିନ୍ନ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି । କାଳିଆ ଯୋଜନାରେ ପ୍ରତି ଫସଲ ଋତୁ ପ୍ରାରମ୍ଭରେ ହିତାଧିକାରୀଙ୍କୁ ନଗଦ ଅର୍ଥ ଆକାରରେ ସହାୟତା ଯୋଗାଇ ଦିଆଯାଇଥାଏ । ଯାହାକି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଚାଷ କାର୍ଯ୍ୟ ପାଇଁ ପ୍ରାଥମିକ ମୂଳଧନ ପରି ସାହାଯ୍ୟ କରିଥାଏ ବୋଲି କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

କୃଷି ଭବନରେ କାଳିଆ ଯୋଜନା ସମୀକ୍ଷା ବୈଠକ ଆୟୋଜିତ ହୋଇଛି । ବୈଠକରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ କାଳିଆ ଯୋଜନାର କାର୍ଯ୍ୟକାରିତା ଓ ବିଭିନ୍ନ ଦିଗ ସଂପର୍କରେ ସମୀକ୍ଷା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ,"କୌଣସି ଯୋଗ୍ୟ ଚାଷୀ ଯେପରି କାଳିଆ ହିତାଧିକାରୀ ତାଲିକାରୁ ବାଦ ନପଡ଼ନ୍ତି ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତି ଜିଲ୍ଲାରେ କାଳିଆ ସେଣ୍ଟର ପ୍ରତିଷ୍ଠା କରାଯାଉଛି । ଜିଲ୍ଲାରେ କାଳିଆ ସେଣ୍ଟରଗୁଡ଼ିକ କାର୍ଯ୍ୟକ୍ଷମ ହେଲା ପରେ ଚାଷୀଭାଇମାନେ ବହୁଳ ଭାବରେ ଉପକୃତ ହେବେ । କାଳିଆ ଯୋଜନା ଓ କାଳିଆ ହିତାଧିକାରୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ପ୍ରଦତ୍ତ କାଳିଆ ଛାତ୍ରବୃତ୍ତିର ଲାଭ ଯେପରି ଯୋଗ୍ୟ ହିତାଧିକାରୀମାନେ ପାଇ ପାରିବେ ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ । ସମସ୍ତ ଶିକ୍ଷାନୁଷ୍ଠାନରେ ଏଥିପାଇଁ ହେଲ୍ପଡେସ୍କ ସ୍ଥାପନ କରି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯିବ ।"

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ, E-KYC ମାଧ୍ୟମରେ ମିଳିଥିବା ତଥ୍ୟ ଆଧାରରେ ଚାଷୀମାନଙ୍କର ପ୍ରକୃତ ପରିଚୟ ଚିହ୍ନଟ କରି କାଳିଆ ଯୋଜନାରେ ସାମିଲ କରାଯିବା ପାଇଁ ପଦକ୍ଷେପ ନିଆଯିବ । ବୈଠକରେ ସହରାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିବା, କାଳିଆ ଛାତ୍ରବୃତ୍ତିର ପରିମାଣ ବୃଦ୍ଧି କରିବା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଛି । ଏଥିରେ କାଳିଆ ଯୋଜନାର ଉପାଦେଷ୍ଟା ସାରଦା ପ୍ରସନ୍ନ ଜେନା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବିଭାଗର ଆମ କୃଷି କାର୍ଯ୍ୟକ୍ରମ ମାଧ୍ୟମରେ ହିତାଧିକାରୀଙ୍କୁ କାଳିଆ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରାଯାଉଛି ।

ଏହା ବି ପଢନ୍ତୁ....କାଳିଆ ଯୋଜନାରେ 6690 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର: ଅରୁଣ ସାହୁ

ପ୍ରକାଶ ଥାଉ କି, କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ପାଇଁ କାଳିଆ ଯୋଜନାରେ ସହାୟତା ପ୍ରଦାନ କରାଯାଇଥାଏ । ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.