ETV Bharat / state

ସବୁ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ, ସମୟ ଆସିଲେ କହିବି: ଜଗବନ୍ଧୁ

author img

By

Published : Apr 19, 2023, 7:42 PM IST

archana nag case
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା

ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା । ମୁହଁ ଖୋଲିଲେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଅଧିକ ପଢ଼ନ୍ତୁ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା

ଭୁବନେଶ୍ବର: "ସବୁ ଅକ୍ଷୟ ପରିଜା ଚକ୍ରାନ୍ତ । ସେ ଝିଅକୁ ଟଙ୍କା ଲୋଭ ଦେଖାଇ ଆମକୁ ଫସାଯାଉଛି । ସେମାନେ ଚକ୍ରାନ୍ତ କରି ଆମ ମୁଣ୍ଡରେ ଅଠା ବୋଳିଛନ୍ତି । ଏହି ଘଟଣାରେ ଅନେକ ଲୋକ ସାମିଲ ଅଛନ୍ତି, ସେମାନଙ୍କୁ ବାହାର କରାଯାଉ । ସମୟ ଆସିଲେ ସବୁ କଥା କହିବି । " ହନିଟ୍ରାପ ମାମଲାରେ ମୁୁହଁ ଖୋଲିଲେ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । କ୍ୟାପିଟାଲ ହସ୍ପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ବେଳେ ଗଣମାଧ୍ୟମ ଆଗରେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ଜଗବନ୍ଧୁ ।

ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ସିଧାସଳଖ ଟାର୍ଗେଟ କରି ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଆହୁରି ମଧ୍ୟ କହିଛନ୍ତି, "ଆମେ କାହାକୁ ଟଙ୍କା ମାଗିନୁ । ଆମ ମୁଣ୍ଡରେ ଅଠା ବୋଳାଯାଉଛି । ସ୍ବାସ୍ଥ୍ୟ ଖରାପ ଥିବାରୁ ଡାକ୍ତର କମ କଥା କହିବାକୁ କହିଛନ୍ତି । ସମୟ ଆସିଲେ ସବୁ ସତ କଥା କହିବି ।" ଖାଲି ସେତିକି ନୁହେଁ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ଶ୍ରଦ୍ଧାଞ୍ଜଳି ବେହେରାକୁ ମଧ୍ୟ ନିଶାନା କରିଛନ୍ତି । ଅକ୍ଷୟଙ୍କ ଟଙ୍କା ଲୋଭରେ ଶ୍ରଦ୍ଧାଞ୍ଜଳି, ଅର୍ଚ୍ଚନା ଓ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଅଣିଥିଲେ ବୋଲି କହିଛନ୍ତି ।

ପ୍ରକାଶ ଥାଉକି, ହାଇ ପ୍ରୋଫାଇଲ ରାଜନେତା, ବ୍ୟବସାୟୀ ତଥା ସିନେ ପ୍ରଯୋଜକଙ୍କୁ ନିଜ ଜାଲରେ ଫସାଇ ବିବାଦକୁ ଆସିଥିଲେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସବୁ ଦିଗକୁ ନେଇ ତଦନ୍ତ କରୁଛି । କେଉଁକେଉଁ ରାଜନେତାମାନେ ଏହି କେଳେଙ୍କାରୀରେ ଲିପ୍ତ ଅଛନ୍ତି ତାର ତଥ୍ୟ ଲାଗିଛି ଇଡି ହାତରେ । ଅର୍ଚ୍ଚନାଙ୍କ ଲିଙ୍କ୍‌ରେ ଥିବା କିଛି ବଡ଼ବଡ଼ ବ୍ୟବସାୟୀଙ୍କ ସୁରାକ୍‌ ମଧ୍ୟ ଇଡି ହାତରେ ଲାଗିଛି । ପୋଲିସ ହାତରେ ଲାଗିଥିବା ଡିଜିଟାଲ ଏଭିଡେନ୍ସକୁ ମଧ୍ୟ ଯାଞ୍ଚ କରୁଛି ଇଡି । ତେବେ ସବୁଠାରୁ ବଡ଼ କଥା ହେଲା ଅର୍ଚ୍ଚନାଙ୍କ କେଉଁ ବ୍ୟାଙ୍କ୍‌ ଆକାଉଣ୍ଟରେ କେତେ ଟଙ୍କା ଆସିଛି, ଏହି ଟଙ୍କା କେଉଁଠୁ ଆସିଛି, ଅନୈତିକ ଭାବେ କେତେ ଟଙ୍କା ଆସିଛି, କେଉଁକେଉଁ ମାନେ ଏହି ଟଙ୍କା ପଠାଇଛନ୍ତି, ଏସବୁ ତଥ୍ୟ ଖୋଳତାଡ କରୁଛି ଇଡି ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ପୂର୍ବରୁ ଜାମିନ ମିଳିସାରିଛି । ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସେହିପରି ଖଣ୍ଡଗିରି ମାମଲାରେ ମଧ୍ୟ ଜାମିନ ମିଳିସାରିଛି । ଏବେ‌ ଇଡି ମାମଲରୁ ଜାମିନ ମିଳିଲେ ଅର୍ଚ୍ଚନା ଜେଲରୁ ମୁକୁଳିପାରିବେ । କୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ, ତଦନ୍ତରେ ସହଯୋଗ କରିବା ସହିତ ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ତେବେ ଅନ୍ୟ ମାମଲାର ବିଚାର ଚାଲିଥିବାରୁ ସେ ଏବେ ମଧ୍ୟ ଜେଲରେ ଅଛନ୍ତି । ଅନ୍ୟପଟେ ଇଡି ଏବେ ମନି ଲଣ୍ଡରିଂ ଆକ୍ଟରେ କେସ କରି ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟପଟେ ଜଗବନ୍ଧୁ ଏଯାବତ ଜାମିନ ପାଇ ନାହାନ୍ତି । ଉଭୟ ଝାରପଡ଼ା ଜେଲରେ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.