ETV Bharat / state

କାଲିଠୁ ପ୍ରବଳ ଛେଚିବ, ୨୪ ଘଣ୍ଟା ପାଇଁ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ

author img

By ETV Bharat Odisha Team

Published : Sep 17, 2023, 6:06 PM IST

heavy rainfall activities in odisha
ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୂର୍ବରୁ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ସ୍ଥିତିରେ ଥିବାବେଳେ ମୌସୁମୀ ପୁଣି ଥରେ ସକ୍ରିୟ ହୋଇପଡ଼ିଛି। ଆଜିଠୁ ପୁଣି ରାଜ୍ୟରେ ବଢିଛି ବର୍ଷାର ପରିମାଣ । ଆସନ୍ତା ୨୪ ଘଣ୍ଟା ପାଇଁ ୧୮ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହିସବୁ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ଵର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା । ଏହିସବୁ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ଆସନ୍ତାକାଲି ପାଇଁ ୧୩ ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ନେଇ ୟେଲ ଆଲର୍ଟ ଜାରି କରାଯାଇଛି । ଅନ୍ୟପକ୍ଷରେ ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆକାଶ ମେଘୁଆ ରହିବା ସହ ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ ପହିଲାରୁ ସେପ୍ଟେମ୍ବର ୧୭ ତାରିଖ ମଧ୍ୟରେ ରାଜ୍ୟରେ ୧୦୦୯.୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ସ୍ଵାଭାବିକ ବର୍ଷା ୧୦୬୭.୪ ମିଲିମିଟର ରହିଛି । ଏହାରି ମଧ୍ୟରେ ୨ଟି ଜିଲ୍ଳାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି । ଏହାସହ ୨୪ଟି ଜିଲ୍ଲାରେ ସ୍ଵାଭାବିକ ବର୍ଷା ଏବଂ ୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ଏହା ବି ପଢନ୍ତୁ...ଫୁଲୁଛି ମହାନଦୀ, ବାଙ୍କି ଓ ତିଗିରିଆରେ ବନ୍ୟା ପରିସ୍ଥିତି

ତେବେ ସୋମବାରରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଯାଇଛି । ଏନେଇ ୧୮ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୧୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.