ETV Bharat / state

ଜଳ ସଂପଦ ବିଭାଗ ଓ ଆଇଆଇଟି ରୁର୍କି ମଧ୍ୟରେ ବୁଝାମଣା

author img

By

Published : Apr 14, 2023, 7:37 AM IST

ଜଳ ସଂପଦ ବିଭାଗ ଏବଂ ଆଇଆଇଟି ରୁର୍କି ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ । ଏହା ଜଳର ବ୍ୟବହାରିକ ଉପଯୋଗିତା ଓ ଜଳସେଚନ କ୍ଷମତା ବୃଦ୍ଧିରେ ସହାୟକ ହେବ । ଅଧିକ ପଢନ୍ତୁ

ଜଳ ସଂପଦ ବିଭାଗ ଏବଂ ଆଇଆଇଟି ରୁର୍କି ମଧ୍ୟରେ ବୁଝାମଣା
ଜଳ ସଂପଦ ବିଭାଗ ଏବଂ ଆଇଆଇଟି ରୁର୍କି ମଧ୍ୟରେ ବୁଝାମଣା

ଜଳ ସଂପଦ ବିଭାଗ ଏବଂ ଆଇଆଇଟି ଋର୍କି ମଧ୍ୟରେ ବୁଝାମଣା
ଜଳ ସଂପଦ ବିଭାଗ ଏବଂ ଆଇଆଇଟି ଋର୍କି ମଧ୍ୟରେ ବୁଝାମଣା

ଭୁବନେଶ୍ବର: ଜଳ ସଂପଦ ବିଭାଗ ଏବଂ ଆଇଆଇଟି ରୁର୍କି, ଉତ୍ତରାଖଣ୍ଡ ମଧ୍ୟରେ ଜଳ କ୍ଷେତ୍ରରେ ରାଜ୍ୟ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ସଂପର୍କିତ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି ଏବଂ ଆଇଆଇଟି ରୁର୍କିର ଜଳ ସଂପଦ ବିକାଶ ଓ ପରିଚାଳନା ବିଭାଗର ପ୍ରଫେସର ଆଶିଷ ପାଣ୍ଡେଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ, ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଉପସ୍ଥିତ ଥିଲେ । ଜଳ ସଂପଦ ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ଜଳ ସଂପଦର ବିକାଶ ଓ ସୁପରିଚାଳନା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ସମସ୍ତଙ୍କ ପାଇଁ ଜଳର ଆବଶ୍ୟକତା ପୂରଣ ଆମର ଲକ୍ଷ୍ୟ ରହିଛି ।

ଜଳ ସଂପଦ ବିଭାଗ ଏବଂ ଆଇଆଇଟି ଋର୍କି ମଧ୍ୟରେ ବୁଝାମଣା
ଜଳ ସଂପଦ ବିଭାଗ ଏବଂ ଆଇଆଇଟି ଋର୍କି ମଧ୍ୟରେ ବୁଝାମଣା

ଆମେ ବର୍ଷା ଦିନରେ ଭରପୁର ଜଳ ପାଉଥିବା ବେଳେ କିଛି ଦିନ ପରେ ଜଳାଭାବର ସମ୍ମୁଖୀନ ହେଉଛୁ । ଏହି ବୁଝାମଣା ପତ୍ର ସ୍ୱାକ୍ଷର ଫଳରେ ଉପଯୋଗ ହେବାକୁ ଥିବା ନୂଆ ଜ୍ଞାନ କୌଶଳ ଆଗାମୀ ଦିନରେ ରାଜ୍ୟର ଜଳ ଆବଶ୍ୟକତା ପୂରଣ କରିବାରେ ସହାୟକ ହେଉ ବୋଲି ସେ କହିଛନ୍ତି । ଜାତୀୟ ଜଳ ମିଶନ ୨୦୧୫ର ଲକ୍ଷ୍ୟ ଅନୁସାରେ ପ୍ରତି ରାଜ୍ୟ ନିଜ ନିଜର ନଦୀ ଅବବାହିକା ଅଞ୍ଚଳରେ ସମନ୍ୱିତ ଜଳ ପରିଚାଳନା କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଜଳ ପରିଚାଳନା କ୍ଷେତ୍ରରେ ପୋଷଣୀୟତା ଅବଲମ୍ବନ ଏହାର ଲକ୍ଷ୍ୟ ।

ଖାଦ୍ୟ ନିରାପତ୍ତା, ଶିଳ୍ପ, ବିଭିନ୍ନ ସ୍ଥାନରେ ଅନିୟମିତ ଓ ବିକ୍ଷିପ୍ତ ଭାବରେ ବର୍ଷା ଏବଂ ଜଳବାୟୁ ପରିବର୍ତ୍ତନ, ମୁଣ୍ଡପିଛା ଜଳ ବ୍ୟବହାର ଓ ଆବଣ୍ଟନ ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ ଦେଶରେ ଜଳ ସଂପଦ ଉପରେ ଅଧିକ ଚାପ ରହୁଛି । ଆହୁରି ମଧ୍ୟ ଜଳ ସଂପଦର ବିକାଶ, ପରିଚାଳନା ଓ ଉପଲବ୍ଧତା କ୍ଷେତ୍ରରେ ରାଜ୍ୟ ରାଜ୍ୟ ମଧ୍ୟରେ ଭିନ୍ନତା ପରିଲକ୍ଷିତ ହେଉଛି । ଏଣୁ ଭବିଷ୍ୟତରେ ଯେପରି ଜଳ ସଂକଟ ନଘଟେ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକ ଦ୍ୱାର ନିର୍ଦ୍ଦିଷ୍ଟ ଭାବେ ଦୀର୍ଘ ସୂତ୍ରୀ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି । ସ୍ୱାକ୍ଷର ହୋଇଥିବା ଏହି ଆକ୍ସନ ପ୍ଲାନ ଆଇଆଇଟି ରୁର୍କି ପକ୍ଷରୁ ୧୮ ମାସ ମଧ୍ୟରେ ପ୍ରସ୍ତୁତ ହେବ । ପ୍ରଥମ ପର୍ଯ୍ୟାୟରେ ୯ ମାସ ମଧ୍ୟରେ ରାଜ୍ୟରେ ଜଳର ସ୍ଥିତି ଅନୁଧ୍ୟାନ କରାଯିବ ।

ଏହାସହ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ । ୨ୟ ପର୍ଯ୍ୟାୟରେ ୬ ମାସ ମଧ୍ୟରେ ପ୍ରତି ସମସ୍ୟାର କି କି ସମାଧାନ ରହିଛି, ସେ ସଂପର୍କରେ ବିବରଣୀ ପ୍ରଦାନ କରାଯିବ । ୩ୟ ପର୍ଯ୍ୟାୟରେ ୩ ମାସ ମଧ୍ୟରେ ରାଜ୍ୟକୁ ଆକ୍ସନ ପ୍ଲାନ ପ୍ରସ୍ତୁତିର ଚୂଡାନ୍ତ ବିବରଣୀ ମିଳିବ । ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି ଯେ, ଏହି ବୁଝାମଣାପତ୍ର ଆମର ଜଳ ବ୍ୟବହାରିକ ଉପଯୋଗିତା ଓ ଜଳସେଚନ କ୍ଷମତା ବୃଦ୍ଧିରେ ସହାୟକ ହେବ । ଆମେ ଜଳବାୟୁ ସହନଶୀଳ ଭତ୍ତିଭୂମି ନିର୍ମାଣ ସହ କେନାଲ ଲାଇନିଂ, ସେଚାଞ୍ଚଳ ଉନ୍ନୟନ ଯୋଜନା ଆଦି ବିଭିନ୍ନ ବ୍ୟବସ୍ଥାରେ ଜଳ ପରିଚାଳନା କରୁଛୁ । ଏସବୁ ସତ୍ତ୍ୱେ ଆମକୁ ଭବିଷ୍ୟତକୁ ଲକ୍ଷ୍ୟ ରଖି ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରି ତାହାକୁ ତ୍ୱରିତ ପଦକ୍ଷେପ ନେଇ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ।

କାର୍ଯ୍ୟକ୍ରମରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସାଙ୍କନ) ଡଃ ଚନ୍ଦ୍ର ଶେଖର ପାଢ଼ୀ ଓ ଆଇଆଇଟି ରୁର୍କି ତରଫରୁ ପ୍ରଫେସର ପାଣ୍ଡେ ପାୱାର ପଏଣ୍ଟ ଉପସ୍ଥାପନା ଜରିଆରେ ଏହି ଆକ୍ସନ ପ୍ଲାନ ପ୍ରସ୍ତୁତି ସଂପର୍କିତ ସବିଶେଷ ତଥ୍ୟ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରୁର୍କିର ଗବେଷଣା ଓ ଶିଳ୍ପ ପରାମର୍ଶଦାତା ଓ ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ ଦ୍ୱିବେଦୀ, ସହକାରୀ ପ୍ରଫେସର ମୋହିତ ପି.ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.