ETV Bharat / state

ସଂସାର ଉଜାଡିଦେଲା ସନ୍ଦେହ: ସଇତାନ ପାଲଟିଗଲା ସ୍ବାମୀ, ତଣ୍ଟି ଚିପି ନେଲା ସ୍ତ୍ରୀ ଜୀବନ

author img

By

Published : Apr 19, 2023, 11:50 AM IST

Updated : Apr 19, 2023, 12:22 PM IST

husband Kills Wife
husband Kills Wife

ରାଜଧାନୀ ଭରତପୁର ଥାନା ଅନ୍ତର୍ଗତ ତେଲୁଗୁ ସାହିରେ ଚାଞ୍ଚଲ୍ୟ । ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସଇତାନ ସ୍ବାମୀ ।

husband Kills Wife

ଭୁବନେଶ୍ବର: ୨ ବର୍ଷ ପୂର୍ବେ ବିବାହ କରି ସାତ ଜନ୍ମର ସାଥି ହେବା ପାଇଁ ପ୍ରତିଜ୍ଞା କରିଥିଲେ । ଏହାପରେ ହସ ଖୁସୀରେ ସଂସାର ଗାଡି ଆଗକୁ ଚାଲିବା ସହ ଏକ ଦେଢବର୍ଷର ପୁତ୍ର ସନ୍ତାନ ମଧ୍ୟ ରହିଥିଲା । ତେବେ ହସଖୁସିର ପରିବାର ଭିତରେ କାଳ ସାଜିଲା ପରକୀୟା ପ୍ରୀତି । ସାତଜନ୍ମର ସାଥି ହେବା ପାଇଁ ସାତବର୍ଷ ପାଇଁ ମଧ୍ୟ ସାଥ ଦେଲା ନାହିଁ । ପରକୀୟା ପ୍ରୀତି ସନ୍ଦେହ କରି ନିଜର ଧର୍ମପତ୍ନୀର ଜୀବନ ନେଇଗଲା ସଇତାନ ସ୍ବାମୀ । ଯେଉଁ ବେକରେ ମଙ୍ଗଳସୁତ୍ର ପିନ୍ଧାଇ ନିଜର କରିଥିଲା ସେହି ତଣ୍ଟିକୁ ଚିପି ପ୍ରାଣ ନେଇଗଲା । ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ହୋଇଛି ରାଜଧାନୀ ଭରତପୁର ଥାନା ଅନ୍ତର୍ଗତ ତେଲୁଗୁ ସାହିରେ । ମୃତ ମହିଳା ହେଉଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ମାମା ପ୍ରଧାନ, ବୟସ ୨୧ ବର୍ଷ । ଅଭିଯୁକ୍ତ ସାଗର ପ୍ରଧାନକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ମିଳିଥିବା ସୂଚନାଅନୁସାରେ, ମାମା ପ୍ରଧାନ ତେଲୁଗୁ ବସ୍ତିରେ ସ୍ବାମୀ ସାଗର ପ୍ରଧାନ ସହ ରହି ଆସୁଥିଲେ । ଘର ଗଞ୍ଜାମ ହଳଦିଆପଦର ହୋଇଥିବା ବେଳେ ସାଗର ରାଜମିସ୍ତ୍ରୀ ଭାବେ କାମ କରୁଥିବାରୁ ଦେଢମାସ ହେବ ତେଲୁଗୁ ବସ୍ତିରେ ଘର ଭଡା ନେଇ ରହୁଥିଲେ । ତେବେ ଦୁଇବର୍ଷର ବିବାହ ସମ୍ପର୍କରେ ଏନେକ ସମୟରେ ବିବାଦ ହେଉଥିଲା । ସ୍ତ୍ରୀର ଅନ୍ୟ କାହା ସହ ପରକୀୟା ପ୍ରୀତି ନେଇ ସନ୍ଦେହ କରୁଥିବା ସ୍ବାମୀ । ଏପରିକି ୭ମାସ ତଳେ ଆଉ ଜଣେ ପୁରୁଷ ସହ ୨୧ବର୍ଷିୟା ସ୍ତ୍ରୀ ପଳାଇଥିବା ନେଇ ନିଜ ଗାଁ ଥାନାରେ ଅଭିଯୋଗ କରିଥିଲା। ଯାହାକୁ ନେଇ ସାଗର ନିଜ ପୁଅକୁ ତା'ର ଜେଜେ ମା’ ପାଖେ ଛାଡି ଦେଇଥିଲେ । ଅପରପକ୍ଷେ ସାଗର ବିରୋଧରେ ଦିଗପହଣ୍ଡି ଥାନାରେ ଏକ ଅଭିଯୋଗ କରିଥିଲା ମାମା । ଏହାପରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାବଣା ହୋଇ ପୁଣି ଥରେ ଦୁହେଁ ଏକାଠି ହୋଇଥିଲେ ।

ତଥାପି ସାଗର ମନରୁ ସ୍ତ୍ରୀ ପ୍ରତି ରହିଥିବା ସନ୍ଦେହ ଦୂର ହୋଇନଥିଲା । ଏନେଇ ଅନେକ ଅସମୟରେ ସାଗର କାମ କରିବାକୁ ଯିବା ସମୟରେ ସ୍ତ୍ରୀର ଆଉ କାହା ସହ କଥା ହେଉଥିବାର ସନ୍ଦେହ କରୁଥିଲା ସାଗର । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଏହି ସବୁ କାରଣ ନେଇ ପାଟିତୁଣ୍ଡ ହେଉଥିଲା । ତେବେ ପ୍ରତିଦିନ ବଚସା ହେବାରୁ ଘର ମାଲିକାଣୀ ମଧ୍ୟ ୨୦ ଦିନ ତଳେ ତାଗିଦ କରିଥିଲେ । ଏହାରି ଭିତରେ ମଙ୍ଗଳବାର ବଚସାରୁ ହୋଇଥିଲା ବର୍ବରକାଣ୍ଡ ।

ଗତକାଲି ସମାନ ଘଟଣାକୁ ନେଇ ଗଣ୍ଡଗୋଳ ହେବା ପରେ କ୍ରୋଧ ବଶବର୍ତ୍ତି ହୋଇ ସଇତାନ ପାଲଟି ଯାଇଥିଲା ସ୍ବାମୀ । ସନ୍ଧ୍ୟା ପ୍ରାୟ ୪ଟା ସମୟରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିଲା । ପଡୋଶୀ ପାଟିତୁଣ୍ତ ଶୁଣି ଦେଖିଲା ବେଳକୁ ମାମା ଘରେ ଭିତରେ ପଡିରହିଥିଲା । ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ଘଟଣାର ଯାଞ୍ଚ କରିଥିଲା। ହତ୍ୟାରେ ବ୍ୟବହୃତ ଗାମୁଛା ଜବତ କରିବା ସହ ଅନ୍ୟାନ୍ୟ ପାରିପାର୍ଶ୍ବିକ ପ୍ରମାଣ ସଂଗ୍ରହ କରିଥିଲେ । ପୋଲିସ ହତ୍ୟାକାରୀ ସ୍ବାମୀକୁ ଗିରଫ କରିଥିବା ବେଳେ ପରକୀୟା ପ୍ରିତି ନେଇ ସନ୍ଦେହ କରୁଥିଲା ବୋଲି ସତ ମାନିଥିଲା ହତ୍ୟାକାରୀ । ଏପରିକି କିଛି ପ୍ରମାଣ ଆକାରରେ ମୋବାଇଲରେ ରେକର୍ଡିଂ ମଧ୍ୟ ପୋଲିସ ଆଗରେ ଦେଖାଇଛି । ଏନେଇ ପୋଲିସ ସାଗରକୁ ଗିରଫ କରି ତଦନ୍ତ କରିଥିବା ବେଳେ ଆଜି କୋର୍ଟ ଚାଲାଣ ହେବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 19, 2023, 12:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.