ETV Bharat / state

କଲେଜ ପଛପଟୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଅଭିଯୁକ୍ତ ଅଟକ

author img

By

Published : Oct 15, 2022, 10:10 AM IST

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଅଭିଯୁକ୍ତ ଅଟକ
ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଅଭିଯୁକ୍ତ ଅଟକ

ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ପଛପଟୁ ଜଣେ ଯୁବକର ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ଅଧିକ ପଢନ୍ତୁ

ଖୋର୍ଦ୍ଧା: କଲେଜ ପଛପଟୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ପଛପଟୁ ଜଣେ ଯୁବକର ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ମୃତକର ନାମ ରାମକୃଷ୍ଣ ପାଢ଼ୀ । ତାଙ୍କ ଘର ନୟାଗଡ଼ ଜିଲ୍ଲା ଇଟମାଟି ଥାନା ଶ୍ୟାମ ଘନପୁର ଗ୍ରାମରେ । ମୃତ ଯୁବକ ଜଣଙ୍କ ଖୋର୍ଦ୍ଧା ସ୍ଥିତ ରାଇଟ ଶିକ୍ଷା ଅନୁଷ୍ଠାନରେ ଡ଼୍ରାଇଭର ଭାବେ କାର୍ଯ୍ୟ କରୁଥିଲା ।

ଏପଟେ ଗତ ଦୁଇ ଦିନ ତଳେ ସେହି ଅନୁଷ୍ଠାନର ଜଣେ ସିକ୍ୟୁରିଟିଗାର୍ଡ ସହ ଗଣ୍ଡଗୋଳ ଘଟିବାରୁ ସିକ୍ୟୁରିଟି ଗାର୍ଡର ତାଙ୍କୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ଖବର ପାଇ ସାଇଣ୍ଟଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ମୃତକର ପରିବାର ଲୋକ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରେ ଲିଖିତ ଅଭିଯୋଗ ଦେଇ ହତ୍ୟାକାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ପୋଲିସ ଅଭିଯୁକ୍ତ ବାଦଲ ସ୍ବାଇଁକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଅଭିଯୁକ୍ତ ଅଟକ

ତେବେ ଯୁବକଙ୍କ ମୃତ୍ୟୁ ବାବଦରେ ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି, "ଆମେ ତାକୁ ଖୋଜୁଥିଲୁ ହେଲେ ପାଇଲୁନି । ଦୁଇ ଦିନ ହେଲା ତାର ମୋବାଇଲ ସୁଇଚ ଅଫ ଥିଲା । ତାପରେ ଆମ ପାଖକୁ ଖବର ଆସିଥିଲା କି ଏକ ମୃତଦେହ କଲେଜ ପଛପଟେ ପଡିଛି । ଆମେ କଲେଜ ପାଖକୁ ଆସି ସେହି ମୃତଦେହକୁ ଦେଖି ସେ ଆମ ଭାଇ ବୋଲି ଆମେ ଜାଣିବାକୁ ପାଇଥିଲୁ । ତାକୁ ବାଦଲ ସ୍ବାଇଁ ନାମକ ଜଣେ ବ୍ୟକ୍ତି ହତ୍ୟା କରିଛି । ତା’ ଘର କାଳିପଡା ସେ ତାକୁ ହତ୍ୟା କରି କଲେଜ ପଛପଟେ ଫୋପାଡି ଦେଇଛି । ମୋ ଭାଇ କଲେଜର ଡ୍ରାଇଭର ଥିଲା । ବାଦଲ ସ୍ବାଇଁ ଏଠାରେ ସିକ୍ୟୁରିଟି ଥିଲା । ଭାଇର ମୃତ୍ୟୁ ବାବଦରେ କଲେଜ କର୍ତ୍ତୃପକ୍ଷ ଆମକୁ ଅବଗତ କରାଇନଥିଲେ । ସେ ଶିଳ୍ପାଞ୍ଚଳ ଫାଣ୍ଡିରେ ଭାଇର ନିଖୋଜ ବାବଦରେ ଏକ ଏତଲା ଦେଇଥିଲେ । କିନ୍ତୁ ଆମକୁ କଲେଜ କର୍ତ୍ତୃପକ୍ଷ ଏ ବାବଦରେ କିଛି ସୂଚନା ଦେଇନଥିଲେ । ମୋ ଭାଇ ମୃତ୍ୟୁ ପଛରେ ସମ୍ପୂର୍ଣ୍ଣ ଭାବରେ କଲେଜ ଦାୟୀ । ଅଭିଯୁକ୍ତ ବାଦଲ ସ୍ବାଇଁକୁ ପୋଲିସ ଗିରଫ କରିଛି । ତାକୁ କଠିନରୁ କଠିନ ଦଣ୍ଡ ଦେବାକୁ ଆମେ ଦାବି କରୁଛୁ ।"


ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.