ETV Bharat / state

2025 ସୁଦ୍ଧା 50 ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରିବା ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

author img

By

Published : Jan 14, 2023, 9:36 AM IST

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଭାରତ ଜି-୨୦ର ଅଧ୍ୟକ୍ଷତା କରୁଛି । ସେହି ସମୟରେ 'ଭଏସ ଅଫ ଗ୍ଲୋବାଲ ସାଉଥ ସମ୍ମିଟ' ନୂଆ ଆଇଡିଆ ଏବଂ ଗ୍ଲୋବାଲ ସାଉଥ ଦେଶ ଗୁଡିକର ବାର୍ତ୍ତାକୁ ଜି-୨୦ ମଞ୍ଚରେ ଉପସ୍ଥାପନା କରିପାରିବାର ଏକ ଭଲ ପ୍ଲାଟଫର୍ମ । ଅଧିକ ପଢନ୍ତୁ

ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ୨୦୨୫ ସୁଦ୍ଧା ଭାରତର ୫୦ ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି । ସ୍କୁଲ, ଦକ୍ଷତା ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନ୍ୟାସନାଲ କ୍ରେଡିଟ ଫ୍ରେମଓ୍ୱାର୍କ ବିକଶିତ କରାଯାଇଛି । 'ଭଏସ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟ'ରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଭାରତ ଜି-୨୦ର ଅଧ୍ୟକ୍ଷତା କରୁଛି । ସେହି ସମୟରେ 'ଭଏସ ଅଫ ଗ୍ଲୋବାଲ ସାଉଥ ସମ୍ମିଟ' ନୂଆ ଆଇଡିଆ ଏବଂ ଗ୍ଲୋବାଲ ସାଉଥ ଦେଶ ଗୁଡିକର ବାର୍ତ୍ତାକୁ ଜି-୨୦ ମଞ୍ଚରେ ଉପସ୍ଥାପନା କରିପାରିବାର ଏକ ଭଲ ପ୍ଲାଟଫର୍ମ । ଜି-୨୦ ସମ୍ମିଳନୀର କଥାବସ୍ତୁ ରହିଛି ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ’ । ଯାହା ଭାରତୀୟ ବିଚାର ଏବଂ ମୂଲ୍ୟବୋଧ 'ବସୁଧୈବ କୁଟୁମ୍ବକମ' ଉପରେ ଆଧାରିତ । ଜି୨୦ ଶିକ୍ଷା କାର୍ଯ୍ୟକାରୀ ଗ୍ରୁପରେ ପୌଢ ଶିକ୍ଷା, ଗଣନା, ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷା ଆହରଣ, ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଜୀବନବ୍ୟାପୀ ଶିକ୍ଷା ଆରହଣ, ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଉଦ୍ଭାବନ ଓ ଗବେଷଣା ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।

ମାନବ ସମ୍ବଳ ବିକାଶ, ଦକ୍ଷତା ବୃଦ୍ଧି, ଭବିଷ୍ୟତ ପାଇଁ ଦକ୍ଷ ମାନବ ସମ୍ବଳ, ଧନ୍ଦାମୂଳକ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଅଂଶଗ୍ରହଣ କରୁଥିବା ଦେଶ ଗୁଡିକର ପ୍ରଚଳିତ ସର୍ବୋତ୍ତମ ଯୋଜନା ଗୁଡିକ ଉପରେ ଆଲୋଚନା କରାଯିବ । କେନ୍ଦ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ କଥାକୁ ଦୋହରାଇ କହିଛନ୍ତି ଯେ, ଗ୍ଲୋବାଲ ସାଉଥର ଦେଶ ଭାବରେ ବିଭିନ୍ନ ରାଷ୍ଟ୍ର ଗୁଡିକ ସାମ୍ନା କରୁଥିବା ଆହ୍ୱାନର ସମାଧାନର ସୂତ୍ର ବାହାର କରିବା ସହ ମାନବ କ୍ଷମତା ଗଠନ ଉପରେ ହିଁ ସମାଧାନର ରାସ୍ତା ବାହାର କରିବା । ସମ୍ପୂର୍ଣ୍ଣ ମାନବ ସାମର୍ଥ୍ୟ ହାସଲ କରିବା ହିଁ ଶିକ୍ଷାର ମୂଳ ଆଧାର ।

ଏକ ବିଂଶ ଶତାବ୍ଦୀରେ ଆବଶ୍ୟକ ଜ୍ଞାନ ଏବଂ ସାମର୍ଥ୍ୟ ମାଧ୍ୟମରେ ସଫଳତାକୁ ସୁନିଶ୍ଚିତ କରିବା ପାଇଁ ଆମ ଜନସାଧାରଣଙ୍କ ଦକ୍ଷତା ବିକାଶ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ବିଶ୍ୱର ସବୁଠୁ ଅଧିକ ଯୁବବର୍ଗ ଭାରତରେ ଅଛନ୍ତି । ୧୫ ଲକ୍ଷରୁ ଉର୍ଦ୍ଧ୍ୱ ବିଦ୍ୟାଳୟ, ପ୍ରାୟ ୧ ହଜାର ବିଶ୍ୱବିଦ୍ୟାଳୟ ସହ ଭାରତରେ ବିଶ୍ୱର ବିବିଧତା ଶିକ୍ଷା ବ୍ୟବସ୍ଥା ରହିଛି । ଡେମୋଗ୍ରାଫିକ ଡିଭିଡେଣ୍ଡର ସମ୍ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବା ପାଇଁ ବହୁ ଆକାଂକ୍ଷୀତ ଜାତୀୟ ଶିକ୍ଷାନୀତି ୨୦୨୦କୁ କାର୍ଯ୍ୟକାରୀ କରାଯାଉଛି । ଯାହା ଦ୍ୱାରା ଆମ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଅଣାଯାଉଛି ।

ଗ୍ଲୋବାଲ ସାଉଥ ଦେଶରେ ଥିବା ଶିକ୍ଷା ବ୍ୟବସ୍ଥା ପରାଧୀନ ମାନସିକତା ଯୋଗୁଁ ଶତାବ୍ଦୀ ଶତାବ୍ଦୀ ଧରି କ୍ଷତି ସହୁଥିଲା । ସମୟ ଆସିଛି, ଏହାକୁ ପରିବର୍ତ୍ତନ କରି ଆମ ଜନସାଧାରଣଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ କାର୍ଯ୍ୟ କରିବା । ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଗୁଣାତ୍ମକ, ସୁଲଭ ଏବଂ ଉତ୍ତରଦାୟିତ୍ୱ ଭଳି ସ୍ତମ୍ଭ ଉପରେ ପର୍ଯ୍ୟବେସିତ ଜାତୀୟ ଶିକ୍ଷା ନୀତି ଭାରତୀୟ ଚରିତ୍ର ସହ ଜଡିତ ଏବଂ ୨୦୩୦ ସାମଗ୍ରିକ ବିକାଶ ସହ ସମ୍ମେଳିତ । ଏହା ଆମ ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରିବ, ଯାହା ଦ୍ୱାରା ସେମାନେ ମାନବତାର କଲ୍ୟାଣ ପାଇଁ ବୈଶ୍ୱିକ ସମସ୍ୟାର ସମାଧାନର ସୂତ୍ର ବାହାର କରିପାରିବେ । ସ୍କୁଲ ଶିକ୍ଷା ସ୍ତରରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ପ୍ରାଥମିକତା ଦିଆଯାଇଛି ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାକ୍ଷର ଏବଂ ସଂଖ୍ୟାକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଦିବ୍ୟାଙ୍ଗ ଶିଶୁଙ୍କୁ ସବୁ ପ୍ରକାର ସହଯୋଗ ପ୍ରଦାନ କରାଯିବା ସହ ଶିକ୍ଷକଙ୍କ କାପାସିଟି ବିଲଡିଂ ଏବଂ ଟ୍ରେନିଂ ଉପରେ ମଧ୍ୟ ପଦକ୍ଷେପ ନିଆଯାଇଛି । ସ୍କୁଲ ଯାଉଥିବା ବାଳିକାଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣକୁ ଉନ୍ନତ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ପାଠ୍ୟକ୍ରମକୁ ପୁନଃ ଡିଜାଇନ କରାଯାଇ ଏହାକୁ ଛାତ୍ରଛାତ୍ରୀ କେନ୍ଦ୍ରୀତ କରିବା ସହ ମାତୃଭାଷାରେ ଶିକ୍ଷା ଆହରଣ ଓ ଶିକ୍ଷାଦାନକୁ ବିଶେଷ ମହତ୍ୱ ଦିଆଯାଇଛି ।

ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇ ଉଚ୍ଚ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସଂସ୍କାର ଅଣାଯାଇଛି । ପରିବର୍ତ୍ତିତ ବିଶ୍ୱର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମଲଟି ଏଣ୍ଟ୍ରି - ଏକଜିଟ୍ ସହ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅଧିକ ସୁବିଧା ସୁନିଶ୍ଚିତ କରାଯାଇଛି । ସ୍କୁଲ, ଦକ୍ଷତା ବିକାଶ ଓ ଉଚ୍ଚ ଶିକ୍ଷାର ଏକୀକରଣ କରିବା ପାଇଁ ଟେକ୍ଲୋଲୋଜି ଭିତ୍ତିଭୂମି ଯଥା ନ୍ୟାସନାଲ ଲେବଲ ଷ୍ଟୁଡେଣ୍ଟ ରେଜିଷ୍ଟ୍ରି, ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍ ଆଣ୍ଡ ସ୍କିଲ୍ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ପ୍ରସ୍ତୁତ କରାଯାଉଛି । ସ୍କିଲ୍ ଲ୍ୟାବ୍ ଏବଂ ଶିଳ୍ପ ଶିକ୍ଷାନୁଷ୍ଠାନ ମଧ୍ୟରେ ସଂଯୋଗୀକରଣ କରାଯାଇ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ସହ ଯୋଡା ଯାଉଛି ।

ନିଯୁକ୍ତି କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ଶିଳ୍ପ କ୍ଷେତ୍ରରେ ଇଣ୍ଟରନସିପ୍ ଏବଂ ଆପ୍ରେଣ୍ଟିସିପ୍ ପ୍ରଦାନ କରାଯାଇ ଛାତ୍ରଛାତ୍ରୀଙ୍କୁ ଅଭିଜ୍ଞତା ପ୍ରଦାନ କରିବା ଦିଗରେ ପ୍ରାଧାନ୍ୟ ଦିଆଯାଇଛି । ପିଏମ ଇବିଦ୍ୟା ପଦକ୍ଷେପସ୍ୱରୂପ ଦୀକ୍ଷା, ଇ-ପାଠଶାଳା, ସ୍ୱୟଂ ପ୍ରଭା ଟିଭି ଏବଂ ୨୬୦ରୁ ଅଧିକ ଟିଭି ଚ୍ୟାନେଲର ବ୍ୟବସ୍ଥା କରାଯାଇଛି । ଜାତୀୟ ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି । ଯାହା ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ । ଶିକ୍ଷାର ଅନ୍ତର୍ଜାତୀୟକରଣ ହେଉଛି ଜାତୀୟ ଶିକ୍ଷା ନୀତିର ମୂଳ ଅଂଶ ।

ଜାତୀୟ ଶିକ୍ଷା ନୀତି ଭାରତକୁ ଗ୍ଲୋବାଲ ଷ୍ଟଡି ଡେଷ୍ଟିନେସନ ଭାବରେ ପ୍ରୋତ୍ସାହିତ କରୁଛି, ଯାହା ଦ୍ୱାରା ସୁଲଭ ମୂଲ୍ୟରେ ଗୁଣାତ୍ମକ ଶିକ୍ଷାର ଲାଭ ଛାତ୍ରଛାତ୍ରୀମାନେ ପାଇପାରିବେ । ଭାରତରେ ଥିବା ଶିକ୍ଷାନୁଷ୍ଠାନ ବିଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ସହ ମିଶି ଛାତ୍ରଛାତ୍ରୀଙ୍କୁ ଡୁଆଲ ଡିଗ୍ରୀ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଆଇଆଇଟି ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକ ବିଦେଶରେ ନିଜ କ୍ୟାମ୍ପସ ଆରମ୍ଭ କରିବା ପାଇଁ ଯାଉଛନ୍ତି ।

ଏହା ବ୍ୟତିତ ଭାରତରେ ବୈଦେଶିକ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ଗ୍ଲୋବାଲ ସାଉଥ ଦେଶର ସହଭାଗୀତାରେ ଭାରତ ଏକବିଂଶ ଶତାବ୍ଦୀରେ ନିଜ ଦେଶ ଗୁଡିକରେ ସାର୍ବଭୌମିକ ଶିକ୍ଷା ଏବଂ ମାନବ ସମ୍ବଳ ବିକାଶର ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।'ଭଏସ୍ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟ'ରେ ବାର୍ବାଡୋସ, କୋଷ୍ଟା ରିକା, କମନ ଓ୍ୱେଲଥ୍ ଅଫ୍ ଦି ବାହାମାସ, କ୍ୟୁବା, ଗାମ୍ବିୟା, ହନ୍ଦୁରାସ, ଲାଓ ପିପୁଲ୍ସ ଡେମୋକ୍ରାଟିକ ରିପ୍ଲବିକ, ଫେଡେରେଟେଡ୍ ଷ୍ଟେଟ୍ ଅଫ୍ ମାଇକ୍ରୋନେସିଆ, ରିପବ୍ଲିକ ଅଫ୍ ନାଉରୁ, ସେଣ୍ଟ୍ ଲୁସିଆ, ସେଣ୍ଟ୍ ଭିନସେଣ୍ଟ ଏବଂ ଦ ଗ୍ରନାଡାଇନ୍ସ, ସୋଲୋମନ ଆଇଲ୍ୟାଣ୍ଡ୍, ତୁର୍କମେନିସ୍ତାନ, ଉରୁଗୁଏ, ୟେମେନ୍ ସମୂହ ଦେଶ ଅଂଶ ଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.