ETV Bharat / state

Assembly Session: ‘ଡାଲି ଚାଷୀଙ୍କୁ ୫୦ ପ୍ରତିଶତ ରିହାତିରେ ଯୋଗାଯାଉଛି କୀଟନାଶକ’

author img

By ETV Bharat Odisha Team

Published : Sep 27, 2023, 6:49 PM IST

ଡାଲି ଚାଷକୁ ସରକାରଙ୍କ ଗୁରୁତ୍ୱ: ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯାଉଛି କୀଟନାଶକ
ଡାଲି ଚାଷକୁ ସରକାରଙ୍କ ଗୁରୁତ୍ୱ: ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯାଉଛି କୀଟନାଶକ

ଓଡିଶା ଏବେ ଖାଦ୍ୟ ଶସ୍ୟ ଉତ୍ପାଦନରେ ବଳକା ରାଜ୍ୟ । ଏବେ ଡାଲି ଚାଷକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି କହିଲେ କୃଷି ମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଡାଲି ଜାତୀୟ ଚାଷକୁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି । ୨୦୨୩/୨୪ ଆର୍ଥିକ ବର୍ଷରେ ୪ ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଚାଷ ପାଇଁ ଯୋଜନା କରାଯାଇଛି । ଏଥିପାଇଁ ସମସ୍ତ ଆବଶ୍ୟକ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି । ୩୦ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ । ଯେଉଁଠି ଡାଲି ଜାତୀୟ ଚାଷର ଭଲ ଉତ୍ପାଦନ ହେଉଛି, ସେହି ଅଞ୍ଚଳକୁ ପ୍ରାଥମିକତା ଦିଆଯିବ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

କୃଷି ମନ୍ତ୍ରୀ କହିଛନ୍ତି, ଖାଦ୍ୟ ଶସ୍ୟ ପାଇଁ ଓଡିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକୁ ଆସିବା ପରେ ସ୍ଥିତି ବଦଳିଛି । ରାଜ୍ୟ ଚଳିତବର୍ଷ ରେକର୍ଡ ପରିମାଣର ଚାଉଳ ଉତ୍ପାଦନ କରିଛି । ୧୦ରୁ ଊର୍ଦ୍ଧ୍ବ ଅନ୍ୟ ରାଜ୍ୟକୁ ପ୍ରଦାନ କରାଯାଉଥିଲେ ସୁଦ୍ଧା ବଳକା ଚାଉଳ ରହୁଛି । ହେଲେ ଏହି ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ରାଜି ହେଉନାହିଁ । ଯେଉଁଥିପାଇଁ ଚାଷ ବିବିଧକରଣ ଜରିଆରେ ଡାଲି ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ୩୦ ଜିଲ୍ଲାରେ ଡାଲି ଚାଷୀଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି । ଡାଲି ଚାଷ ପାଇଁ ୫୦ ପ୍ରତିଶତ ରିହାତିରେ କୀଟନାଶକ ଯୋଗାଯାଉଛି । ନୂତନ ବିହନ ଓ ପିଡିଆ ବି ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି ।


ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ କୃଷି ଯନ୍ତ୍ରପାତି ମେଳା ପ୍ରଥମ ଥର ପାଇଁ ବର୍ଷ ୨୦୨୨-୨୩ ରେ ହୋଇଥିଲା । ୨୬ ଜିଲ୍ଲା ଓ ୪ ଆଞ୍ଚଳିକ କ୍ଷେତ୍ର ବ୍ରହ୍ମପୁର, କୋରାପୁଟ, ବାରିପଦା ଓ ସମ୍ବଲପୁରରେ ଜାନୁଆରୀ ୨୦୨୩ ରୁ ମାର୍ଚ୍ଚ ୨୦୨୩ ଯାଏ ହୋଇଥିଲା । ଯେଉଁଥିରେ ୨,୩୦୦୮ ଚାଷୀ ୨୫୫୬୯ ଯନ୍ତ୍ରପାତି କ୍ରୟ କରିଥିଲେ । ଯେଉଁଥିରେ ରିହାତି ୧୩୨ କୋଟି ପ୍ରଦାନ କରାଯାଇଥିଲା । ସେହିପରି ୫୫୦୪ ଏସଏଚଜି ୬୭୩୬ ଯନ୍ତ୍ରପାତି କ୍ରୟ ହୋଇଥିଲା । ଏଥିରେ ୫୩.୯ କୋଟି ଟଙ୍କା ରିହାତି ମିଳିଥିଲା । ସେହିପରି ୨୦୨୩ ସେପ୍ଟେମ୍ବର ୨୨ ଯାଏ ୨୧୭୬୪ ଚାଷୀ ୨୩୭୧୨ ଯନ୍ତ୍ରପାତି କ୍ରୟ କରିଛନ୍ତି । ଏହି ସମୟ ମଧ୍ୟରେ ୧୩୪.୩୪ କୋଟି ରିହାତି ଡିବିଟି ମାଧ୍ୟମରେ ମିଳିଛି । ସେହିପରି ୩୪୪୮ ମହିଳା ଏସଏଚଜି ୪୫୫୬ ଯନ୍ତ୍ରପାତି କ୍ରୟ କରି ୩୪.୭୯ କୋଟି ରିହାତି ପାଇଛନ୍ତି । ୨୦୨୨/୨୩ ରେ ୪୯୦୨୨ ଚାଷୀ ୭୩୬୭୪ ଯନ୍ତ୍ରପାତି କ୍ରୟ କରିଛନ୍ତି । ଯେଉଁଥିରେ ୨୨ କୋଟିରୁ ଅଧିକ ରିହାତି ଡିବିଟି ମାଧ୍ୟମରେ ମିଳିଛି । ଯନ୍ତ୍ରପାତି କିଣା ପାଇଁ ସାଧାରଣ ବର୍ଗ ଚାଷୀଙ୍କ ପାଇଁ ୪୦-୫୦%, ମହିଳା ଓ ସଂରକ୍ଷିତ ବର୍ଗଙ୍କ ପାଇଁ ୫୦-୬୦% ଓ ମହିଳା ଏସଏଚଜି ପାଇଁ ୭୫% ସବସିଡି ପ୍ରଦାନ କରୁଛନ୍ତି ରାଜ୍ୟ ସରକାର ।


ଏହା ମଧ୍ୟ ପଢନ୍ତୁ :-Assembly Session: ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଚଳିତବର୍ଷ ବର୍ଷାର ପରିମାଣ ସ୍ଵାଭାବିକ ଥିବାରୁ କୌଣସି ଜିଲ୍ଲାରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇନାହିଁ । ବର୍ଷାର ପରିମାଣ ସାଧାରଣ ବର୍ଷାରୁ ଜୁଲାଇ ମାସରେ ୬.୬% କମ, ଅଗଷ୍ଟ ମାସରେ ୧୫.୬% କମ ଏବଂ ସେପ୍ଟେମ୍ବର ମାସରେ ୬୧ ୩% ଅଧିକ ହୋଇଛି । ବର୍ଷା ଋତୁରେ ଜୁନ ମାସରୁ ଅଦ୍ୟାବଧି ୪.୭ % କମ ବର୍ଷା ହୋଇଛି । ଯାହାକି ସ୍ବାଭାବିକ ବର୍ଷା ଅଟେ । ଚଳିତ ୨୦୨୩ ଖରିଫ ଋତୁରେ ସେପ୍ଟେମ୍ବର ମାସ ୧୮ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ବୃଷ୍ଟିପାତ ସ୍ଵାଭାବିକ ରହିଛି । ସେପ୍ଟେମ୍ବର ମାସ ୧୫ ତାରିଖ ସୁଦ୍ଧା ଶତକଡ଼ା ୯୫ ଭାଗ ଚାଷ କାର୍ଯ୍ୟ ହୋଇଛି । ମୁଗ, ବିରି, ରାଶି ଇତ୍ୟାଦି ବୁଣା ଚାଲିଛି । ଫସଲ ଅବସ୍ଥା ସ୍ବାଭାବିକ ଅଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.