ETV Bharat / state

ଫୁଲୁଛି ମହାନଦୀ, ବାହ୍ୟ ଜଗତରୁ ବିଚ୍ଛିନ୍ନ ହିରିମୂଳ ଗାଁ

author img

By ETV Bharat Odisha Team

Published : Sep 18, 2023, 11:50 AM IST

flood situation in khordha
flood situation in khordha

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ରାସ୍ତା ଉପରେ 4ଫୁଟର ବନ୍ୟାଜଳ ପ୍ରବାହିତ ହେବା ଫଳରେ ହିରିମୂଳ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଅଧିକ ପଢ଼ନ୍ତୁ

flood situation in khordha

ଖୋର୍ଦ୍ଧା : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ମହାନଦୀ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ମହାନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଏହାର ଶାଖା ନଦୀ ଦୟା ଓ ରାଜୁଆ ନଦୀରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହୋଇଛି । ଫଳରେ ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷର ଦ୍ବିତୀୟ ବନ୍ୟା ପରିସ୍ଥିତି ଉପୁଜିଛି । ରାସ୍ତା ଉପରେ 4ଫୁଟର ବନ୍ୟାଜଳ ପ୍ରବାହିତ ହେବା ଫଳରେ ହିରିମୂଳ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ଓରବରସିଂ ପଞ୍ଚାୟତରେ ପ୍ରବେଶ କରିଛି ଚଳିତ ବର୍ଷର ଦ୍ବିତୀୟ ବନ୍ୟା ଜଳ । ଡିହଖଳା ହିରିମୂଳ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଯାତାୟତ ଠପ ହୋଇପଡ଼ିଛି । ତେବେ ଆଜି ସକାଳୁ ହଠାତ ଜଳସ୍ତର ବୃଦ୍ଧି ପାଇ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ଓରବରସିଂ ପଞ୍ଚାୟତର ଜନ ପ୍ରତିନିଧି ଲୋକଙ୍କ ସହ ଆଲୋଚନା କରି ସ୍ଥିତି ଉପରେ ନଜର ରଖିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ- ବିପଦ ସଙ୍କେତ ଉପରେ ମହାନଦୀ, ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସମୀକ୍ଷ କଲେ ଜିଲ୍ଲାପାଳ

ସେହିପରି ବନ୍ୟାଜଳ ବୃଦ୍ଧି ପାଇଲେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି । ଏଥିସହ ଆବଶ୍ୟକ ସ୍ଥଳେ ଲୋକଙ୍କ ଯାତାୟତ ପାଇଁ ବୋଟ୍‌ ରଖାଯାଇଛି । ବନ୍ୟାରେ ବିଶେଷ ଭାବେ ଗୃହପାଳିତ ପଶୁ ପ୍ରଭାବିତ ହେବାକୁ ଥିବାବେଳେ ସେମାନଙ୍କ ପାଇଁ ଗୋ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ସେପଟେ ହୀରାକୁଦ ଅଧିକ ଗେଟ୍‌ ଖୋଲିଲେ ସ୍ଥିତି ଅସମ୍ଭାଳ ହେବ ବୋଲି ସ୍ଥାନୀୟ ଲୋକଙ୍କଠାରୁ ଜଣା ପଡ଼ିଛି । ପ୍ରତିବର୍ଷ ଏଭଳି ପରିସ୍ଥିତି ଉପୁଜୁଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ତେବେ ବନ୍ୟାଜଳ ନରଣଗଡ଼, ବ୍ରଜମୋହନପୁର ଆଦି ପଞ୍ଚାୟତର ଶହଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଫୁଲୁଛି ମହାନଦୀ, ବାଙ୍କି ଓ ତିଗିରିଆରେ ବନ୍ୟା ପରିସ୍ଥିତ

ପ୍ରକାଶ ଥାଉକି, ସେହିପରି ବୌଦ୍ଧରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଏହାର ଶାଖାନଦୀ ତେଲନଦୀରେ ବନ୍ୟାଜଳ ଆସି କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ସୂଚନା ମିଳିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଜିଲ୍ଲାର ମନମୁଣ୍ଡାଠାରୁ ମାରଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ଫଳରେ ହଜାର ହଜାର ଏକର ଚାଷଜମିରେ ବନ୍ୟାଜଳ ପ୍ରବାହିତ ହେଉଛି । ବିଶେଷ ଭାବରେ ମହାନଦୀ କୂଳରେ ଅବସ୍ଥିତ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟାଜଳ ଘେରରେ ଅନେକ ଗ୍ରାମ ରହିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.