ETV Bharat / state

ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନରେ ଓଡ଼ିଶା ଅଗ୍ରଣୀ

author img

By

Published : May 21, 2023, 3:51 PM IST

ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନରେ ଓଡ଼ିଶା ଅଗ୍ରଣୀ
ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନରେ ଓଡ଼ିଶା ଅଗ୍ରଣୀ

ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନରେ ଓଡ଼ିଶା ଅଗ୍ରଣୀ । ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା ସଂପର୍କିତ ଗୋଲ ଟେବୁଲ ଆଲୋଚନାରେ ଯୋଗ ଦେଇ କହିଲେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନରେ ଓଡ଼ିଶା ଅଗ୍ରଣୀ

ଭୁବନେଶ୍ବର: ଅବସ୍ଥିତି ଓ ଭୌଗୋଳିକ ସ୍ଥିତି ଯୋଗୁଁ ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ ଅନୁଭୂତ ହେଉଛି । ଫଳରେ ଜନସାଧାରଣ ପ୍ରଭାବିତ ହେଉଛନ୍ତି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଓଡିଶା । ନିଜର ସ୍ପଷ୍ଟ ଦୃଷ୍ଟିକୋଣ ଓ ଦୃଢ଼ ନେତୃତ୍ବ ଯୋଗୁଁ ଜଳବାୟୁ ସହନଶୀଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବା ଦିଗରେ ଅନେକ ନୂଆ ପଦକ୍ଷେପ ଗ୍ରହଣ କରିଛି । ଏ ଦିଗରେ ରାଜ୍ୟ ବୈଷୟିକ ଜ୍ଞାନ କୌଶଳ, ଗବେଷଣା ଓ ତଥ୍ୟ ସଂଗ୍ରହ କରି ସ୍ଥାନୀୟ ସ୍ତରରେ ଜଳବାୟୁରେ ସ୍ଥିରତା ପ୍ରଦାନ କରିବା ପାଇଁ ଅଧିକ ପ୍ରୟାସ ଜାରି ରଖିବ । ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା ସଂପର୍କିତ ଏକ ଗୋଲ ଟେବୁଲ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଏହା କହିଛନ୍ତି ।

ଅର୍ଥ ବିଭାଗ ଏବଂ ବୈଦେଶିକ ରାଜ୍ୟଗୋଷ୍ଠୀ ଓ ଉନ୍ନୟନ କାର୍ଯ୍ୟାଳୟ ସହଯୋଗରେ ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମକୁ ଉଦଘାଟନ କରି ମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ କ୍ଷେତ୍ରରେ ରୂପାନ୍ତରଣ ଆଣି ନୂତନ ଓଡ଼ିଶାର ସଂକଳ୍ପ ନେଇ ଦୃଢ଼ତାର ସହିତ କାର୍ଯ୍ୟ କରୁଥିବା ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଡେଲ ରାଜ୍ୟ ହୋଇଛି । ଜଳବାୟୁ ପରିବର୍ତ୍ତନ ଉପରେ ଏକ ରାଜ୍ୟସ୍ତରୀୟ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବାରେ ଓଡ଼ିଶା ଭାରତର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ । ସଂପୃକ୍ତ ସମସ୍ତ ସହଭାଗୀ ଅନୁଷ୍ଠାନମାନଙ୍କ ସହଯୋଗରେ ରାଜ୍ୟ ଆକ୍ସନ ପ୍ଲାନ୍‌ର ପ୍ରଭାବଶାଳୀ ରୂପାୟନକୁ ଗୁରୁତ୍ବ ଦେଉଥିବା ମନ୍ତ୍ରୀ କହିଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବ୍ରିଟିଶ ଡେପୁଟୀ ହାଇକମିଶନର ନିକ୍‌ ଲୋ, ଯୋଜନା ଓ ସଂଯୋଜନ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଚିତ୍ରା ଅରୁମୁଗମ ଏବଂ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଅତିଥି ଭାବେ ଏଥିରେ ଯୋଗ ଦେଇଛନ୍ତି ।


ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ରାଜ୍ୟରେ ବିଭିନ୍ନ ସମସ୍ୟା ଦେଖାଦେଉଛି । ୨୦୧୩ ମସିହାରେ ଘଟିଥିବା ଫାଇଲିନ ପରବର୍ତ୍ତୀ ବର୍ଷଗୁଡିକରେ ଦେଖା ଦେଇଥିବା ହୁଡ୍‌ହୁଡ୍‌ ଓ ତିତଲି ଭଳି ବାତ୍ୟା ସଂଗଠିତ ହେବା ଜଳବାୟୁ ପରିବର୍ତ୍ତନର ଅନ୍ୟତମ କାରଣ । ଏହା ଯୋଗୁଁ ଓଡିଶାର କୃଷି ଓ ଅର୍ଥନୀତି ପ୍ରଭାବିତ ହେଉଛି । ଖାଦ୍ୟ ସୁରକ୍ଷା, ଭୂତଳ ଜଳ କମିବା, ଜଳ ପ୍ରଦୂଷଣ ଆଦି ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ଆହ୍ବାନ ସୃଷ୍ଟି କରିଛି । ଏହାକୁ ସମାଧାନ କରିବା ପାଇଁ ଅଧିକରୁ ଅଧିକ ବୈଜ୍ଞାନିକ ଗବେଷଣା ଓ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ଉପରେ ସେ କହିଛନ୍ତି । ବିପର୍ଯ୍ୟୟ ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀଙ୍କର ପ୍ରତ୍ୟେକ ଜୀବନ ମୂଲ୍ୟବାନ ଆହ୍ବାନକୁ ଦୋହରାଇ ପରିବେଶ ସନ୍ତୁଳନ ପାଇଁ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ପ୍ରତି ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ସେ କହିଛନ୍ତି ।


ବ୍ରିଟିଶ ଡେପୁଟୀ ହାଇକମିଶନର ନିକ ଲୋ ଓଡିଶାରେ ଗ୍ରୀଷ୍ମଦିନେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ଏହାଦ୍ବାରା ଜୀବଜଗତ ଓ ଜଳସ୍ତର ସ୍ଥିତି ପ୍ରଭାବିତ ହେଉଥିବା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, "ବ୍ରିଟେନ ସରକାର ଏହାର ଅନ୍ତର୍ଜାତୀୟ ଉନ୍ନୟନ ବିଭାଗ ମାଧ୍ୟମରେ ଏବଂ ଓଡ଼ିଶା ସରକାରଙ୍କ ସହ ଦୀର୍ଘ ୨୫ ବର୍ଷ ହେବ କାର୍ଯ୍ୟ କରୁଛନ୍ତି । ଓଡିଶାରେ ପୋଷଣୀୟ ସହରାଞ୍ଚଳ ବିକାଶ, ଭିତ୍ତିଭୂମିରେ ପୁଞ୍ଜିନିବେଶ, ଶକ୍ତି କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାର ଏବଂ ସ୍ଥାୟୀ ଜଳବାୟୁ ସହନଶୀଳ ଅଭିବୃଦ୍ଧି କ୍ଷେତ୍ରକୁ ସମର୍ଥନ କରି ବୈଷୟିକ ସହାୟତା ଏବଂ ବିକାଶ ପୁଞ୍ଜି ମାଧ୍ୟମରେ ସହାୟତା କରୁଛି । ରାଜ୍ୟଗୋଷ୍ଠୀ ଓ ଉନ୍ନୟନ କାର୍ଯ୍ୟାଳୟ, ସହନଶୀଳ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ଜରିଆରେ ଭାରତ ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସମେତ ୭ଟି ରାଜ୍ୟ ସରକାରଙ୍କୁ ବୈଷୟିକ ସହାୟତା ପ୍ରଦାନ କରିଆସୁଛି ।"

ଏହି ରାଉଣ୍ଡ ଟେବୁଲ ଆଲୋଚନା ରାଜ୍ୟ ସରକାରଙ୍କୁ ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା ପାଇଁ ମୌଳିକ ନୀତି ସହ ସହମତ ହେବା ସହିତ ଅନ୍ତର୍ଜାତୀୟ, ଜାତୀୟ ଏବଂ ରାଜ୍ୟସ୍ତରରେ ପ୍ରମୁଖ କାର୍ଯ୍ୟକ୍ରମ ଓ ପଦକ୍ଷେପ ଚିହ୍ନଟ କରିବାରେ ସାହାଯ୍ୟ କରିବ । ଯାହା ବିପର୍ଯ୍ୟୟରେ ଅଧିକ ପ୍ରଭାବିତ ହେଉଥିବା ଆଞ୍ଚଳିକ ସ୍ତରରେ ଜଳବାୟୁକୁ ସ୍ଥିରତା ପ୍ରଦାନ ପାଇଁ ଉପଯୋଗ କରାଯାଇପାରିବ ।

ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଚିତ୍ରା ଅରୁମୁଗମ ଓଡ଼ିଶାର ଭୌଗୋଳିକ ସ୍ଥିତି, ଜଳବାୟୁ, ଜଙ୍ଗଲ, ପରିବେଶ, ତାପମାତ୍ରା, କୃଷି ଉତ୍ପାଦନ, ମୃତ୍ତିକାର ସ୍ଥିତି ଆଦି ସଂପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି । ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିକାଶରେ କାର୍ଯ୍ୟ କରୁଥିବା ବିଭିନ୍ନ ସହଭାଗୀ ସଂସ୍ଥା ଓ ଉଦ୍ୟୋଗୀ ଅନୁଷ୍ଠାନମାନଙ୍କ ସହଯୋଗରେ ରାଜ୍ୟର ଅଭିବୃଦ୍ଧି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଛନ୍ତି । ସୁପାରିଶ କରାଯାଇଥିବା କାର୍ଯ୍ୟକୁ ସମନ୍ୱୟ ରକ୍ଷା କରାଯାଇ, କାର୍ଯ୍ୟ ଯୋଜନାର ବିଭିନ୍ନ ଉପାଦାନଗୁଡ଼ିକୁ ଶୃଙ୍ଖଳିତ ଏବଂ ସମୟବଦ୍ଧ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ସମ୍ବଳ ସଂଗ୍ରହ ଦିଗରେ କାର୍ଯ୍ୟ କରିବା ପାଇଁ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗରେ ଏକ ଜଳବାୟୁ ପରିବର୍ତ୍ତନ ସେଲ୍‌ ଗଠନ କରାଯାଇଥିବା ସ୍ୱତନ୍ତ୍ର ସଚିବ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.