ETV Bharat / state

ରାଜ୍ୟରେ ଚିଟଫଣ୍ଡ ଜାଲିଆତି, ଜମାକାରୀଙ୍କ ଟଙ୍କା ଫେରାଇବାକୁ କ୍ରାଇମବ୍ରାଞ୍ଚ ପ୍ରସ୍ତୁତି

author img

By

Published : Apr 30, 2023, 12:42 PM IST

ରାଜ୍ୟରେ ଚିଟଫଣ୍ଡ ଜାଲିଆତି
ରାଜ୍ୟରେ ଚିଟଫଣ୍ଡ ଜାଲିଆତି

ରାଜ୍ୟରେ ଚିଟଫଣ୍ଡ ଜାଲିଆତି ଘଟଣା । ଠକେଇ ଟଙ୍କା ଫେରିପାଇବେ ଜମାକାରୀ । ଲକ୍ଷ୍ୟ ଇଣ୍ଡିଆ ଲିମିଟେଡର ୭ କୋଟି ଟଙ୍କା ବ୍ୟାଜାପ୍ତି ପାଇଁ ଅନୁମତି ଲୋଡିଲା ଇଓଡବ୍ଲ୍ୟୁ । ଅଧିକ ପଢନ୍ତୁ

ଭୁବନେଶ୍ବର: ଲକ୍ଷ୍ୟ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଠକେଇ ଘଟଣା । ଠକେଇ ଟଙ୍କା ଫେରିପାଇବେ ଜମାକାରୀ । କାରଣ ଏହି ଚିଟଫଣ୍ଡ ସଂସ୍ଥାର ୭ କୋଟି ଟଙ୍କା ବ୍ୟାଜାପ୍ତି ପାଇଁ କୋର୍ଟଙ୍କ ଅନୁମତି ଲୋଡିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) । କୋର୍ଟଙ୍କ ଅନୁମତି ମିଳିବା ପରେ ଜମାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଟଙ୍କା ଫେରାଇ ଦିଆଯିବ । ସମୁଦାୟ ୭ କୋଟି ୧୬ ହଜାର ୮୪୦ଟଙ୍କା ବ୍ୟାଜାପ୍ତି ପାଇଁ ଇଓଡିବ୍ଲୁ ବାଲେଶ୍ବର ଓପିଆଇଡି କୋର୍ଟରୁ ଅନୁମତି ଲୋଡିଛି ।

ସୂଚନା ମୁତାବକ, ଲକ୍ଷ୍ୟ ଇଣ୍ଡିଆ ଚିଟଫଣ୍ଡ ନାଁରେ ବାଲେଶ୍ବରରୁ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅର୍ଥନୈତିକ ଅପରାଧା ଶାଖାର ସ୍କାନରକୁ ଆସିବା ପରେ ଇଓଡବ୍ଲୁ ଟିମ୍ ତଦନ୍ତ ଚଳାଇଥିଲା । କମ୍ପାନୀ କର୍ତ୍ତୃପକ୍ଷ ବିଭିନ୍ନ ସ୍କିମ ଜରିଆରେ ଠକିଥିବା ଟଙ୍କାକୁ କାରବାର କରିଥିଲା । ଏହାର ମାଲିକ ହିମାଂଶୁ ଶେଖର ପାଣିଗ୍ରାହୀଙ୍କ ଆର୍ଥିକ କାରବାରର ଖୋଳତାଡ଼ ବେଳେ ସାମ୍ନାକୁ ଆସିଥିଲା ଠକେଇ ଟଙ୍କାର ମନିଟ୍ରେଲ । ଏନେଇ ଟିମ୍ ୧୦ଟି ବିଭିନ୍ନ ଆକାଉଣ୍ଟରେ ୭କୋଟି ୧୬ହାଜର ୮୪୦ଟଙ୍କା ଠାବ କରି ଫ୍ରିଜ୍ କରିଥିଲା । ଏବେ ଏହି ଟଙ୍କା ବ୍ୟାଜାପ୍ତି ପାଇଁ ଓପିଆଇଡି କୋର୍ଟ ବାଲେଶ୍ବରରୁ ଅନୁମତି ଲୋଡିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା । ଏନେଇ କୋର୍ଟଙ୍କ ଅନୁମତି ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ଚିଟଫଣ୍ଡ ସଂସ୍ଥା ମାଲିକ ୨୦୦୮ରୁ ୨୦୦୯ ମସିହାରେ ବାଲେଶ୍ବର ଜିଲ୍ଲା ଅଞ୍ଚଳରେ ଲକ୍ଷ୍ୟ ଲେଭେଲ ପ୍ରାଇଭେଟ୍ ଲିମିଟେଡ ନାଁରେ ପୁଞ୍ଜି ବିନିଯୋଗ କାରବାର ଆରମ୍ଭ କରିଥିଲେ । ଏହି କମ୍ପାନୀ ଦୁଇ ପ୍ରକାରରେ ଜମାକାରୀଙ୍କୁ ପ୍ରଭାବିତ କରିଥିଲା । ପ୍ରଥମେ ଅନଲାଇନରେ ଓ୍ବେବସାଇଟ ଜରିଆରେ ଟଙ୍କା ବିନିଯୋଗ ପାଇଁ ପ୍ରଲୋଭନ ଦେଖାଇଥିଲା । ବିଭିନ୍ନ ନାମିଦାମୀ କମ୍ପାନିର‌ ମାର୍କେଟିଂ ପାର୍ଟନର ଭାବେ ନିଜକୁ ପରିଚିତ କରି ବିଭିନ୍ନ ପ୍ରଡକ୍ଟ କିଣିବା ବା ମାର୍କେଟିଂ ପାଇଁ ଲୋଭନୀୟ ସ୍କିମ ଦେଖାଇ ଟଙ୍କା ବିନିଯୋଗ ଅଫର୍ ଦେଇଥିଲା । ଏହାସହିତ ଅନେକ ଇନସୁରାନ୍ସ କମ୍ପାନୀରେ ମଧ୍ୟ ଟଙ୍କା ବିନିଯୋଗର ବାଟ ଦେଖାଇ ୧୨ ମାସରେ ୪ ଗୁଣା ଟଙ୍କା ପାଇବାର ପ୍ରଲୋଭନ ଦେଖାଇ ଲୋକଙ୍କ ବିଶ୍ବାସଭାଜନ ହୋଇଥିଲା । ଯେଉଁ କାରଣରୁ ଲୋକମାନେ ଏହି ସଂସ୍ଥାରେ ଲକ୍ଷାଧିକ ଟଙ୍କା ବିନିଯୋଗ କରିଥିଲେ ।

କିନ୍ତୁ ପରବର୍ତ୍ତୀ ସମୟରେ ଜମାକାରୀମାନେ ନିଜ ଟଙ୍କା ଫେରି ନପାଇବାରୁ ଏନେଇ ଅର୍ଥନୈତିକ ଅପରାଧା ଶାଖା ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ସଂସ୍ଥା । ତଦନ୍ତ ବେଳେ ଠକେଇ ଟଙ୍କାକୁ ବିଭିନ୍ନ ଆକାଉଣ୍ଟ ଜରିଆରେ ବିଭିନ୍ନ ଆଡେ ବିନିଯୋଗ କରାଯାଇଥିବା ଜଣାପଡିଥିଲା । ଆହୁରି ମଧ୍ୟ, କେବଳ ଓଡ଼ିଶା ନୁହେଁ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ମଧ୍ୟ ସମ୍ପୃକ୍ତ ଚିଟଫଣ୍ଡ ସଂସ୍ଥା ଲୋଭନୀୟ ସ୍କିମ ଜରିଆରେ ନିରୀହ ଜମାକାରୀଙ୍କ ଟଙ୍କା ହଡପ କରିଥିବା ସୁରାକ ମିଳିଥିଲା । ଏହି ସଂସ୍ଥା ପାଖାପାଖି ୬,୭୧୫ ଓଡ଼ିଆ ଜମାକାରୀଙ୍କ ଠାରୁ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ କରିଥିବା ଅର୍ଥନୈତିକ ଅପରାଧା ଶାଖା ସୂଚନା ଦେଇଛି । ତେବେ ଏହି ଠକେଇ ଟଙ୍କାକୁ କିପରି ଜମାକାରୀଙ୍କୁ ଫେରାଇ ଦିଆଯିବ ସେନେଇ ପ୍ରଥମେ ଜମାକାରୀଙ୍କ ଟଙ୍କାକୁ ଫ୍ରିଜ୍ କରି ବ୍ୟାଜାପ୍ତି କରିବା ପାଇଁ କୋର୍ଟଙ୍କ ନିଷ୍ପତ୍ତିକ୍ରମେ ଫେରାଇବା ନିମନ୍ତେ ପ୍ରସ୍ତୁତି ଜୋରଦାର ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.