ETV Bharat / state

ପାଠକ ପରିବାର ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ, ଆକାଶ ପାଠକଙ୍କ ଗାଡ଼ି ଜବତ କଲା ଇଡି

author img

By

Published : Jan 6, 2023, 7:57 PM IST

ଆକାଶ ପାଠକଙ୍କ BMW କାର ଜବତ କରିଛି ଇଡି
ଆକାଶ ପାଠକଙ୍କ BMW କାର ଜବତ କରିଛି ଇଡି

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତଦନ୍ତକୁ ଜୋରଦାର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାଠକ ପରିବାରର ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ । IFS ଅଭୟ ପାଠକଙ୍କ ପରେ ପୁଅ ଆକାଶ ପାଠକଙ୍କ ଦାମି ଗାଡ଼ି ଜବତ କଲା ଇଡି । ଗୋଟିଏ ପରେ ଗୋଟିଏ ଗାଡି ସିଜ କରିବା ସହ ଇଡି ବିଭିନ୍ନ ଆକାଉଣ୍ଟରେ ଥିବା ଟଙ୍କା ସମ୍ପର୍କରେ ମଧ୍ୟ ତଥ୍ୟ‌ ହାସଲ କରୁଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜ୍ୟ ବାହାରୁ ଜବତ ହେଲା ଆକାଶ ପାଠକଙ୍କ ଦାମୀ ଗାଡି । IFS ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ BMW କାର ଜବତ କରିଛି ଇଡି । ଯାହାର ଦାମ ପାଖାପାଖି ୭୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଆକାଶ ପାଠକଙ୍କ କାର ଜବତ କରିବା ପୂର୍ବରୁ ଆକାଶଙ୍କ ବାପା IFS ଅଭୟ ପାଠକଙ୍କ ଦାମୀ କାର ମଧ୍ୟ ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଆକାଶ ପାଠକଙ୍କ ଗାଡ଼ି ଜବତ କଲା ଇଡି
ଆକାଶ ପାଠକଙ୍କ ଗାଡ଼ି ଜବତ କଲା ଇଡି

ପୂର୍ବରୁ‌ ଗତ ୧୪ ଡିସେମ୍ବରରେ ଆକାଶ ପାଠକଙ୍କୁ ଜେରା କରିଥିଲା ଇଡି । ଏନେଇ ସବିଶେଷ ତଥ୍ୟ ପାଇବା ପରେ ଏବେ ତାଙ୍କ ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ ହୋଇଛି । ଆର୍ଥିକ କାରବାର‌ ଲିଙ୍କ୍‌ରେ ଏପରିକି ଗାଡି କିଣିଥିବା ଶୋରୁମ ମାଲିକ ଅର୍ଥାତ୍ ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ମଧ୍ୟ ପୂର୍ବରୁ ଏନେଇ ଜେରା କରିସାରିଛି ଇଡି । ତେବେ ପ୍ରଥମେ IFS ଅଭୟ ପାଠକଙ୍କ ଘରେ ଗତ ୧୭ ଅକ୍ଟୋବର ୨୦୨୦ରେ ରେଡ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ପାଠକ ପରିବାର ସମ୍ପତ୍ତିର ଖୋଳତାଡ଼ ଆରମ୍ଭ କରିଥିଲା । ପରେ ପୁଅ ଆକାଶ ଚାକିରି ଦେବା ନାଁରେ ଠକେଇ କରିଥିବା ଅଭିଯୋଗ ଯୋଡ଼ି ହୋଇଥିଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧା ଶାଖା ମଧ୍ୟ ତଦନ୍ତ କରିଥିଲା ।

ଏନେଇ ଉଭୟ ବାପା ଅଭୟ ପାଠକ ଓ ପୁଅ ଆକାଶ ପାଠକ ଭିଜିଲାନ୍ସ ଓ କମିଶନରେଟ ପୋଲିସ କେସରେ ଗିରଫ ମଧ୍ୟ ହୋଇଥିଲେ । ପରେ ସେହି ମାମଲାର ତଦନ୍ତ ଭାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନେଇଥିଲା । ଏହାପରେ ଏହି ମାମଲାରେ ଅନେକ ଲୋକଙ୍କୁ ପଚରାଉଚରା କରାଯାଇଥିଲା । ମନି ଲଣ୍ଡରିଂ ଆକ୍ଟ ଆଧାରରେ ଆକାଉଣ୍ଟରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କରେ ଖୋଳତାଡ଼ କରି ଧୀରେଧୀରେ ଏହି ମାମଲାରେ ଗୋପାଳ‌ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ତାଙ୍କ ପତ୍ନୀ ଓ ଝିଅଙ୍କୁ ପଚରାଉଚରା କରିଥିଲା ଇଡି । ଅଭୟ ପାଠକ ଓ ଆକାଶ ପାଠକଙ୍କୁ ପୂର୍ବରୁ ଜେଲ୍‌ରେ ଜେରା ପରେ ମଧ୍ୟ ପୁଣିଥରେ ଇଡି କାର୍ଯ୍ୟାଳୟକୁ ଡକାଇ ଜେରା କରିଥିଲା । ଏବେ ଧୀରେ ଧୀରେ ଆକାଶଙ୍କ ନାଁରେ ‌ହୋଇଥିବା ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ପାଇଁ ପାଠକ ପରିବାରର ସବୁ ସମ୍ପତ୍ତି ସିଜ୍‌ ପ୍ରକ୍ରିୟା ଆରମ୍ଭ କରିଛି ଇଡି । ଗୋଟିଏ ପରେ ଗୋଟିଏ ଗାଡି ସିଜ କରିବା ସହ ବିଭିନ୍ନ ଆକାଉଣ୍ଟରେ ଥିବା ଟଙ୍କା ସମ୍ପର୍କରେ ମଧ୍ୟ ତଥ୍ୟ‌ ହାସଲ କରୁଛି ଇଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.