ETV Bharat / state

ଇଡି ହାତରେ ଅର୍ଚ୍ଚନାଙ୍କ ୨ ଡାଏରୀ, ପାୱାରକରିଡରରେ ଛନକା

author img

By

Published : Dec 16, 2022, 11:02 PM IST

ଇଡି ହାତରେ ଅର୍ଚ୍ଚନାଙ୍କ ୨ ଡାଏରୀ, ପାୱାରକରିଡରରେ ଛନକା
ଇଡି ହାତରେ ଅର୍ଚ୍ଚନାଙ୍କ ୨ ଡାଏରୀ, ପାୱାରକରିଡରରେ ଛନକା

ଖଣ୍ଡଗିରି ଥାନାରେ ପହଞ୍ଚି ଅର୍ଚ୍ଚନା ମାମଲାରେ ଅନେକ ତଥ୍ୟ ସଂଗ୍ରହ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାରି ଭିତରେ ଦୁଇଟି ଡାଏରୀ ମଧ୍ୟ ଲାଗିଛି ଇଡି ହାତରେ । ଯାହାକୁ ନେଇ ପାୱାରକରିଡରରେ ଛନକା ପଶିଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜ୍ୟରେ ଆଉ ଏକ ବଡ଼ କେଳେଙ୍କାରୀର ଭୟ । ରାଜ୍ୟ ରାଜନୀତି ଓ ପାୱାରକରିଡରରେ ପଡିଲା ଚହଳ ! ପୁଣି ୯ ବର୍ଷ ପରେ ସେଇ ନଭେମ୍ବର ମାସର ଆତଙ୍କ । ସେତେବେଳେ CBI ଆଉ ଏବେ ED ତଦନ୍ତ । ସିସୋର ମାମଲାରେ ମିଡିଲମ୍ୟାନ ଶୁଭଙ୍କର ନାୟକଙ୍କ ଖାରବେଳ ନଗରସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟରେ‌ ରେଡ ବେଳେ ଜବତ ହୋଇଥିଲା ଦୁଇଟି ଚର୍ଚ୍ଚିତ ଡାଏରୀ । ଏବେ ମଧ୍ୟ ସମାନ ଢଙ୍ଗରେ ଅର୍ଚ୍ଚନାଙ୍କର ୨ ଟି ଡାଏରୀ ଲାଗିଛି ଇଡି ହାତରେ । ଯାହାକୁ ନେଇ ପାୱାରକରିଡରରେ ଛନକା ପଶିଛି ।

ଆଜକୁ ୯ ବର୍ଷ ତଳେ ୨୦୧୪ ମସିହା ନଭେମ୍ବର ୧୮ ତାରିଖରେ ସିସୋର ମାମଲାରେ ମିଡିଲମ୍ୟାନ ଶୁଭଙ୍କର ନାୟକଙ୍କ ଖାରବେଳ ନଗରସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟରେ‌ ରେଡ ବେଳେ ଜବତ ହୋଇଥିଲା ଦୁଇଟି ଚର୍ଚ୍ଚିତ ଡାଏରୀ । government of odisha 2011 ଲେଖା ଥିବା ଡାଏରୀ ଓ Krishna 2009 ମସିହା ଲେଖା ଥିବା ଦୁଇ ଡାଏରୀ ରାଜ୍ୟ ରାଜନୀତି ଓ ପାୱାରକରିଡ଼ର ଆଇଏଏସ୍ (IAS) ଓ ଆଇପିଏସ (IPS)ଙ୍କ ସମେତ କିଛି ବ୍ୟବସାୟୀ ପ୍ରତିପତିଙ୍କ ମୁଖା ଖୋଲିଦେଇଥିଲା । ପୁଞ୍ଜି ସ୍କାମରେ ସିବିଆଇ ସିସୋର ଲିଙ୍କରେ ହୋଇଥିବା ଆର୍ଥିକ କାରବାରର ଚିଠା ଖୋଲୁ ଖୋଲୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଲିଙ୍କ ପାଇବା ରାଜ୍ୟରେ ଏକ ହଇଚଇ ସୃଷ୍ଟି କରିଥିଲା । ଯେଉଁଭଳି ଭାବେ ପାୱାରକରିଡ଼ର ହେବିୱେଟଙ୍କ ସହ ସିସୋରର ଆର୍ଥିକ କାରବାରର ଧିରେ ଧିରେ ଫର୍ଦାଫାସ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ।

ଠିକ ୯ ବର୍ଷ ପରେ ଆଜି ଇଡି ହାତରେ ଲାଗିଛି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗର ଚର୍ଚ୍ଚିତ ଦୁଇଟି ଡାଏରୀ । ଭୁବନେଶ୍ବର ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶକ୍ରମେ ଇଡିର ଦୁଇଜଣ ଅଧିକାରୀ ଖଣ୍ଡଗିରି ଥାନାରେ ପହଞ୍ଚି ଖଣ୍ଡଗିରି ଥାନାରୁ ଦୁଇଟି ଡାଏରୀ ସଂଗ୍ରହ କରିଛନ୍ତି । ଆଉ ଏବେ ସମାନ ପ୍ରକ୍ରିୟାରେ ଆର୍ଥିକ କାରବାର ଲିଙ୍କ୍ ଖୋଳତାଡ଼ କରୁଥିବା ଇଡିର ସ୍କାନରରେ ଅନେକ ହେବିୱେଟ ଥିବା ବେଳେ ଅର୍ଚ୍ଚନା ଡାଏରୀ ଏବେ ସୃଷ୍ଟି କରିଛି ଭୟ । କାରଣ ପୂର୍ବରୁ ସମାନ ଢଙ୍ଗରେ ପାୱାର କରିଡ଼ରରେ ବେଶ ଦବଦବା ଥିବା ଶୁଭଙ୍କର ଭଳି ଅର୍ଚ୍ଚନାଙ୍କର ମଧ୍ୟ ହେବିୱେଟଙ୍କ ସହ ଫଟୋ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା । ଏପରିକି ନିଜେ ଖୋଦ ଅର୍ଚ୍ଚନା ମିଡିଆ ସାମ୍ନାକୁ ଆସି ମୁହଁ ଖୋଲିଲେ ରାଜ୍ୟ ପରିବର୍ତ୍ତନ ହେଲା ଭଳି ତଥ୍ୟ ଥିବା କହିଥିଲେ । ଯାହାକୁ ନେଇ ବେଶ ରାଜନୈତିକ ଚର୍ଚ୍ଚା ମଧ୍ୟ ହୋଇଥିଲା ।

ଏବେ ଅର୍ଚ୍ଚନାଙ୍କର ଦୁଇ ଡାଏରୀ ଇଡି ଅଧିକାରିଙ୍କ ହାତରେ ଥିବାବେଳେ ନିଜେ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ମଧ୍ୟ ଇଡିର ରିମାଣ୍ଡରେ ଅଛନ୍ତି । ତେବେ ଅର୍ଚ୍ଚନାଙ୍କ ଡାଏରୀରୁ କେଉଁ ତଥ୍ୟ ଆସିବ, କେଉଁ ହେବିୱେଟଙ୍କ ଲିଙ୍କ ସାମ୍ନାକୁ ଆଣି ସମନ୍ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଇଡିର ସନ୍ଦେହରେ ଥିବା ହେବିୱେଟ ଆସିବେ କି ଅର୍ଚ୍ଚନା ଲିଙ୍କରେ ଇଡିର ରାଡାରକୁ, ସେନେଇ ଉଠୁଛି ଅନେକ ପ୍ରଶ୍ନ । ଯେଉଁମାନେ ଅର୍ଚ୍ଚନା ସହ‌ ଯୋଗାଯୋଗରେ ଥିଲେ ସେମାନଙ୍କ ଛାତି ଧଡଧଡ ହେବାରେ ଲାଗିଲାଣି । କାରଣ ଅର୍ଚ୍ଚନାଙ୍କୁ ଗିରଫ ସମୟରେ ଜବତ ହୋଇଥିବା ସେହି ଦୁଇ ଡାଏରୀ ଯାହା ପୋଲିସ ଜବତ କରିଥିଲା, ତାକୁ ଇଡି ହଠାତ୍ ପୋଲିସଠୁ ମାଗିନେଲେ । ପୂର୍ବରୁ ମଧ୍ୟ ପୋଲିସଠୁ କିଛି ତଥ୍ୟ ସଂଗ୍ରହ କରିଥିଲେ ଇଡି ଅଧିକାରୀ । କିନ୍ତୁ ହଠାତ୍ ଶୁକ୍ରବାର ଖଣ୍ଡଗିରି ଥାନାରେ ପହଞ୍ଚି ଜବତ ପ୍ରମାଣକୁ ପରଖିଥିଲେ । ଏବଂ ତଦନ୍ତରେ ଆବଶ୍ୟକ କହି ସେସବୁକୁ ପୋଲିସଠାରୁ ନେଇ ଆସିଥିଲେ । ଏବେ କଥା ହେଉଛି ଡାଏରୀରେ ଅର୍ଚ୍ଚନା ଲେଖିଥିବା ଚିଠା ଅଛି ନା ଡାଏରୀର ବର୍ଥ ଚିରା ଯାଇଛି । ଯଦି ଚିରା ହୋଇଥାଏ, ତେବେ ଧରା ପଡିଯିବ । ଏଭଳି ଅନେକ ଦିଗକୁ ନେଇ ଏବେ ପାୱାରକରିଡରକୁ ଚେକ୍ ଦେଇଛି ଇଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.