ETV Bharat / state

ଏମ୍ସରେ ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା, ଘରୁ ଥାଇ ମଧ୍ୟ କରିପାରିବେ ଟଙ୍କା ପୈଠ

author img

By ETV Bharat Odisha Team

Published : Oct 20, 2023, 10:40 PM IST

ଏମ୍ସରେ ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା । ତ୍ବରାନ୍ବିତ ରୋଗୀ ସେବା ନିମନ୍ତେ ଅଭିନବ ପଦକ୍ଷେପ । ଏଣିକି ସହଜ, ସରଳ ଭାବେ ମୋବାଇଲ୍‌ରୁ ହୋଇପାରିବ ପେମେଣ୍ଟ୍‌ । ଭିଡ଼ କମିବ, ତ୍ବରାନ୍ବିତ ହେବ ଚିକିତ୍ସା ସେବା । ଘରୁ ଥାଇ ମଧ୍ୟ କରିପାରିବେ ପେମେଣ୍ଟ୍। ଅଧିକ ପଢନ୍ତୁ

ଏମ୍ସରେ ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା
ଏମ୍ସରେ ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା

ଏମ୍ସରେ ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା

ଭୁବନେଶ୍ବର: ସରକାରୀ ବ୍ୟବସ୍ଥାରେ ପ୍ରଥମ ଥର ପାଇଁ ତ୍ବରାନ୍ବିତ ରୋଗୀ ସେବା ନିମନ୍ତେ ଅଭିନବ ପଦକ୍ଷେପ । ଏମ୍ସ ଭୁବନେଶ୍ୱରରେ ଶୁଭାରମ୍ଭ ହୋଇଛି ଇ-ପେମେଣ୍ଟ ବ୍ୟବସ୍ଥା । ଏଣିକି ଘରୁ ଥାଇ ମଧ୍ୟ ବିଭିନ୍ନ ପରୀକ୍ଷା ନିମନ୍ତେ ସାଧାରଣଲୋକ କରିପାରିବେ ପେମେଣ୍ଟ୍‌ । ଏମ୍ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍‌ ଜରିଆରେ ୟୁପିଆଇ ଆଇଡି ବ୍ୟବହାର କରି ବିଭିନ୍ନ କାର୍ଡ/ନେଟ୍‌ ବ୍ୟାଙ୍କିଙ୍ଗ୍‌ ମାଧ୍ୟମରେ ହୋଇପାରିବ ପେମେଣ୍ଟ ବ୍ୟବସ୍ଥା । ଏନେଇ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ଆଜି ଏହି ବ୍ୟବସ୍ଥାର ଉଦ୍‌ଘାଟନ କରିଛନ୍ତି । ଦେଶର ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍‌ ଇଣ୍ଡିଆ ମିଶନ୍‌କୁ ସଫଳ କରିବା ତଥା ଲୋକଙ୍କୁ ସହଜ, ସରଳ ଭାବେ ପେମେଣ୍ଟ୍‌ କରିବାର ମାଧ୍ୟମ ଯୋଗାଇଦେବାକୁ ଏମ୍ସ ପକ୍ଷରୁ ଏହି ବ୍ୟବସ୍ଥାର ପ୍ରଚଳନ କରାଯାଇଛି ।

ଏହା ଦ୍ବାରା ଆଉ ଲମ୍ବା ସମୟ ପାଇଁ ଧାଡ଼ିରେ ଠିଆ ହେବାର ଆବଶ୍ୟକତା ରହିବ ନାହିଁ । ଏପରିକି ଦେଶର ଯେକୌଣସି ସ୍ଥାନରୁ ମଧ୍ୟ ରୋଗୀଙ୍କ ସମ୍ପର୍କୀୟମାନେ ଏହି ପେମେଣ୍ଟ୍‌ କରିପାରିବେ । ଫଳରେ ରୋଗୀ କିମ୍ବା ତାଙ୍କର ସମ୍ପର୍କୀୟମାନେ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନାହିଁ।ଏହା ଦ୍ବାରା ସମୟ ସଞ୍ଚୟ ହେବା ସହିତ ଚିକିତ୍ସାସେବା ଶୀଘ୍ର ହୋଇପାରିବ । ଏହି ଜାତୀୟ ଅନୁଷ୍ଠାନ ପକ୍ଷରୁ ଆଜି ଠାରୁ ପ୍ରଚଳିତ ହୋଇଥିବା ଏହି ଡିଜିଟାଲ୍‌ ପେମେଣ୍ଟ୍‌ ବ୍ୟବସ୍ଥା ପୁରା ଦେଶରେ ମଧ୍ୟ ଅଭିନବ ବୋଲି ଡ. ବିଶ୍ବାସ ସୂଚନା ଦେଇଛନ୍ତି ।

କିପରି କରିବେ ଇ-ପେମେଣ୍ଟ: ଏମ୍ସ ଭୁବନେଶ୍ୱରର ଏହି ଇ-ପେମେଣ୍ଟ ବ୍ୟବସ୍ଥାର ଲାଭ ପାଇବାକୁ ହେଲେ, ଜଣେ ବ୍ୟକ୍ତିଙ୍କୁ ନିଜ ମୋବାଇଲ୍‌ରେ କିଛି ପ୍ରକ୍ରିୟା ଅନୁସରଣ କରିବାକୁ ପଡ଼ିବ । ପ୍ରଥମ ସୋପାନରେ ବ୍ୟକ୍ତିଙ୍କୁ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ “ଏମ୍ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍” ଡାଉନଲୋଡ୍ କରିବାକୁ ପଡ଼ିବ । ଦ୍ୱିତୀୟ ପର୍ଯ୍ୟାୟରେ, ତାଙ୍କୁ ପଞ୍ଜୀକୃତ ମୋବାଇଲ୍ ନମ୍ବର ସହିତ ଲଗ୍ଇନ୍ କରିବାକୁ ହେବ। ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ହିତାଧିକାରୀଙ୍କ ମୋବାଇଲ୍‌କୁ ଏକ ଓଟିପି ନମ୍ବର ଆସିବ । ଓଟିପି ନମ୍ବର ଦେବା ପରେ ସ୍ବାସ୍ଥ୍ୟ ଆପ୍‌ର ପେଜ୍‌ ମୋବାଇଲ୍‌ରେ ଡିସ୍‌ପ୍ଲେ ହେବ । ଏହା ପରେ ଉପଭୋକ୍ତାଙ୍କୁ ବିଲିଂ ପ୍ରକ୍ରିୟା ଚୟନ କରିବାକୁ ପଡିବ । ଯାହା ପରେ ଡିଜିଟାଲ ପେମେଣ୍ଟ ପ୍ରକ୍ରିୟା ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଉପଭୋକ୍ତା ନିଜର ସୁବିଧା ଅନୁଯାୟୀ ଡିଜିଟାଲ୍‌ ପେମେଣ୍ଟ୍‌ ବ୍ୟବସ୍ଥା ଚୟନ କରିବେ । ପେମେଣ୍ଟ୍‌ ପ୍ରକ୍ରିୟା ସମାପ୍ତ ହେବା ପରେ ଏକ ରସିଦ ପ୍ରଦର୍ଶିତ ହେବ ଯାହା ପରବର୍ତ୍ତୀ ବ୍ୟବହାର ପାଇଁ ଡାଉନଲୋଡ୍ ହୋଇ ବ୍ୟବହାର ହୋଇପାରିବ । ଦେୟ ପ୍ରକ୍ରିୟା ସମାପ୍ତ ହେବା ପରେ ରୋଗୀମାନେ ସିଧାସଳଖ ନମୁନା ସଂଗ୍ରହ କାଉଣ୍ଟର୍‌କୁ ଯାଇପାରିବେ ।

ଏହା ମଧ୍ୟ ପଢନ୍ତୁ...ଗାଇଡଲାଇନ ଅନୁସାରେ ହୋଇନି ପିଜି ଆଡ଼ମିଶନ ! ଉଚ୍ଚ ଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ପେପର୍‌ଲେସ ଅଫିସ୍‌ ନିମନ୍ତେ ଏମ୍ସ ଭୁବନେଶ୍ୱର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି । ଏମ୍ସ ଭୁବନେଶ୍ୱରକୁ ଦୈନିକ ଚାରି ହଜାରରୁ ସାଢ଼େ ଚାରି ହଜାର ରୋଗୀ ଚିକିତ୍ସାସେବା ନିମନ୍ତେ ଆସୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷପ ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.