ETV Bharat / state

Durga Puja Special: ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଗବତୀ, ନବରାତ୍ରରେ ପଡେ ମାଛ ବଳି

author img

By ETV Bharat Odisha Team

Published : Oct 16, 2023, 3:28 PM IST

Updated : Oct 16, 2023, 3:56 PM IST

Navratri 2023
Navratri 2023

ମା' ଭଗବତୀଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା । ଦଶହରା ପୂର୍ବରୁ ଏଠାରେ ମାଆଙ୍କ ଭିତର ଓ ବାହାର ପର୍ବ କରାଯାଏ । ଭିତର ପର୍ବ ପରେ ଏହେ ବାହାର ପର୍ବରେ ସପ୍ତ ମାତୃତାକାଙ୍କୁ ପୂଜା କରାଯାଉଛି । ଅଧିକ ପଢନ୍ତୁ

maa bhagwati

ଖୋର୍ଦ୍ଧା: ଆରମ୍ଭ ହୋଇଯାଇଛି ନବରାତ୍ର । ଏନେଇ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶକ୍ତିପୀଠ । ନଅ ଦିନ ଧରି ଭିନ୍ନଭିନ୍ନ ରୂପରେ ପୂଜା ପାଇବେ ମାଆ ଜଗତଜନନୀ । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ପୂଜାବିଧି । ଦଶହରା ପୂର୍ବରୁ ଏଠାରେ ମାଆଙ୍କ ଦୁଇ ପ୍ରକାର ପର୍ବ କରାଯାଏ । ମୂଳା ଅଷ୍ଟମୀ ଠାରୁ ମହାଳୟା ପର୍ଯ୍ୟନ୍ତ ଭିତିରି ପର୍ବ ଓ ମହାଳୟ ଠାରୁ ଦଶହାର ପର୍ଯ୍ୟନ୍ତ ବାହାର ପର୍ବ କରାଯାଏ । ବାହାର ପର୍ବ ସମୟରେ ଏଠାରେ ସପ୍ତ ମାତୃତାକାଙ୍କୁ ପୂଜା କରାଯାଏ । ସାତ ଭଉଣୀ ବିରିଜାଇ,ନାରାୟଣୀ,କାଳିଜାଈ,ସିଦ୍ଧେଶ୍ବରୀ, ଭଗବତୀ, କନକ ଦୁର୍ଗା, ବୁଢି ଠାକୁରାଣୀଙ୍କୁ ପୂଜା କରାଯାଏ। ଦଶହରା ସମୟରେ ମା’ ଭଗବତୀଙ୍କ ନିକଟରେ ମାଛ ବଳି ପଡିଥାଏ ।

ମା'ଙ୍କର ଦଶହରା ପୂଜା ଏଠାରେ ସ୍ବତନ୍ତ୍ର ଭାବେ କରାଯାଏ। । ଦଶହରା ପାଇଁ ପଣା ସଂକ୍ରାନ୍ତି ଠାରୁ ଏଠାରେ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ପାର୍ବଣ ନିମନ୍ତେ ତାଙ୍କର ଛ’ ଭଉଣୀଙ୍କୁ ଭିନ୍ନ ଭିନ୍ନ ସମୟରେ ନିମନ୍ତ୍ରଣ କରିଥାନ୍ତି । ମହାବିଷୁବ ପଣା ସଂକ୍ରାନ୍ତିରେ ଉତ୍ତର ଦିଗ ବାସିନୀ ମା' ସିଦ୍ଧେଶ୍ବରୀ, ଅଶୋକାଷ୍ଟମୀରେ ଦକ୍ଷିଣଦିଗ ବାସିନୀ ମା' ନାରାୟଣୀ, ମୂଳାଷ୍ଟମୀରେ ପୂର୍ବଦିଗ ଚିଲିକା ମଧ୍ୟରେ ଥିବା ମା’, କାଳିଜାଇଙ୍କୁ ନିମନ୍ତ୍ରଣ କରିଥାନ୍ତି । ସେହିପରି ମହାଳୟାରେ ମା' ବିରିଜାଇଙ୍କୁ ନିମନ୍ତ୍ରଣ କରିବା ସହ ସେହିଦିନ ଦୁଇ ଭଉଣୀଙ୍କ ମଧ୍ୟରେ ମହା ମିଳନ ହୋଇଥାଏ । ଏହି ମହାମିଳନକୁ ମାଆଙ୍କ ଭେଟ ଯାତ୍ରା ବୋଲି କୁହାଯାଏ । ଷୋଡ଼ଶ ଦିନାତ୍ମକ ଓ ଚଣ୍ଡୀ ପୂଜା ସମୟରେ ମା' ଭଗବତୀ ଭକ୍ତ ମାନଙ୍କୁ ସାଥିରେ ଧରି ତାଙ୍କର ପାର୍ବଣ ଆରମ୍ଭ କରିଥାନ୍ତି । ସାତଦିନ ଧରି ପିତ୍ରାଳୟ ଦଖେଶ୍ଵର ମନ୍ଦିରରୁ ମା' କନକ ଦୂର୍ଗା ଓ ସ୍ଥମ୍ବେଶ୍ବରୀ ବା ମା' ଭଗବତୀ ସେବାୟତ ମାନଙ୍କ ସହ ବାହାରି ବାଣପୁର ବଜାରରେ ନାଚି ନାଚି ମୁଖ୍ୟ ମନ୍ଦିରକୁ ବିଜେ କରିଥାନ୍ତି । ନିଶାର୍ଦ୍ଧରେ ମା'ଙ୍କ ପୂଜାର୍ଚ୍ଚନା ପରେ ପୁଣି ମୁଖ୍ୟ ମନ୍ଦିରକୁ ଫେରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ-Navratri 2023: ନାରାୟଣୀ ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ

ପ୍ରତ୍ୟହ ସକାଳୁ ମୁଖ୍ୟ ମନ୍ଦିରରେ ଚଣ୍ଡୀ ପାଠ କରାଯାଇଥାଏ । ଏହି ସମୟରେ ମା'ଙ୍କର ଭିତିରି ପର୍ବ ଚାଲିଥିବା ବେଳେ ମହାଳୟା ଠାରୁ ସାତବଖରା ଗୃହରେ ବାହାର ପର୍ବ ଆରମ୍ଭ ହୋଇଥାଏ ମହାନବମୀ ପର୍ଯ୍ୟନ୍ତ । ସାତ ବଖରା ଗୃହରେ ମହା ସପ୍ତମୀ, ମହା ଅଷ୍ଟମୀ ଓ ମହା ନବମୀର ସନ୍ଧିପୂଜା କରାଯାଇ ଥିବାବେଳେ ମହା ନବମୀରେ ମାଆ ବେଲପତ୍ର ବେଶ ଧାରଣ କରିଥାନ୍ତି । ମା’ ଭଗବତୀ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ବିଭିନ୍ନ ନୀତିକାନ୍ତିରେ ପୂଜା ପାଇଥାନ୍ତି । ଚଳିତ ବର୍ଷର ମା ଙ୍କର ଷୋଡ଼ଶଦିନାତ୍ମକ ପୂଜା ଆରମ୍ଭ ହୋଇଛି । ମୂଳାଷ୍ଟମୀ ଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଷୋଳଦିନ ଧରି ଠାକୁରାଣିଙ୍କ ସ୍ଵତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ବିଭିନ୍ନ ତିଥିରେ ବିଭିନ୍ନ ବେଶମାନ କରାଯାଇଥାଏ ।


ଇଟିଭି ଭାରତ, ଖୋର୍ଦ୍ଧା

Last Updated :Oct 16, 2023, 3:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.