ETV Bharat / state

ଦୁର୍ଗାପୂଜାରେ ଝଲସିବ ବମିଖାଲ ମଣ୍ଡପ, ହସ୍ତିନାପୁର ରାଜପ୍ରସାଦରେ ପୂଜା ପାଇବେ ମା' ଦଶଭୂଜା

author img

By ETV Bharat Odisha Team

Published : Oct 8, 2023, 7:36 PM IST

ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ବମିଖାଲ ଦୁର୍ଗାପୂଜା ମଣ୍ଡପରେ ହସ୍ତିନାପୁର ରାଜପ୍ରସାଦରେ ପୂଜା ପାଇବେ ମା’ ଦୁର୍ଗତିନାଶିନୀ ।

durga puja preparation in bomikhal
ଦୁର୍ଗାପୂଜାରେ ଝଲସିବ ବମିଖାଲ ମଣ୍ଡପ

ଦୁର୍ଗାପୂଜାରେ ଝଲସିବ ବମିଖାଲ ମଣ୍ଡପ

ଭୁବନେଶ୍ବର: ଚାଲିଛି ପାର୍ବଣର ଋତୁ । ଆଉ ଦିନ କେଇଟା ପରେ ଧରାବତରଣ କରିବେ ଜଗତଜନନୀ ମା' ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ଦୁର୍ଗାପୂଜା ପାଇଁ ବେଶ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ । ଚଳିତ ବର୍ଷ ବମିଖାଲ ଦୁର୍ଗା ପୂଜା ମଣ୍ଡପରେ ହସ୍ତିନାପୁର ରାଜପ୍ରସାଦରେ ପୂଜା ପାଇବେ ମା' ଦୁର୍ଗତିନାଶିନୀ । କୁରୁପତିଙ୍କ ହସ୍ତିନାପୁର ପ୍ରାସାଦର କାରୁକାର୍ଯ୍ୟ ଯେମିତି ବେଶି ଝଲମଲ କରିବ, ସେଥିପାଇଁ ପ୍ଲାଏ ଉପରେ ହୀରା ଭଳି ଚକ୍‌ଚକ୍‌ କରୁଥିବା କାଚ ଷ୍ଟୋନ୍‌ ଖଞ୍ଜାଯିବ । ଏହି ତୋରଣର ଉଚ୍ଚତା ପ୍ରାୟ ୧୨୦ ଫୁଟ୍‌ ଏବଂ ପ୍ରସ୍ଥ ପ୍ରାୟ ୭୦ ଫୁଟର ରହିବ ।

ଚଳିତ ବର୍ଷ ୬୦ ବର୍ଷରେ ପଦାର୍ପଣ କରୁଥିବା ବମିଖାଲ ଦୁର୍ଗାପୂଜା କମିଟି ଏଥର ସ୍ବତନ୍ତ୍ର ସାଜସଜ୍ଜା ଉପରେ ଧ୍ୟାନ ଦେଇଛି । ଚଳିତ ଥର ମା’ଙ୍କ ପୂଜା ମଣ୍ଡପ ହସ୍ତିନାପୁର ପ୍ରାସାଦ ଭିତରେ ଝଲସି ଉଠିବ । ‘ବମିଖାଲ ଦୁର୍ଗା ପୂଜା ସମିତି’ ଏଥିପାଇଁ ବଙ୍ଗୀୟ କାରିଗରଙ୍କୁ ଏହି ଦାୟିତ୍ବ ଦେଇଛି । କୋଲକାତାରୁ ଆସିଥିବା ୫୦ରୁ ଊର୍ଦ୍ଧ୍ବ କାରିଗର ଏହି ତୋରଣ ନିର୍ମାଣରେ ଲାଗିଛନ୍ତି । ତୋରଣର କାରିଗରୀ ସହ ତାଳ ଦେଇ ସେଥିରେ ରଙ୍ଗିନ୍ ଆଲୋକମାଳା ସଜାଯିବ । ତେଣୁ ଏଥିରେ ଆଲୋକ ସଜ୍ଜା ପାଇଁ ମଧ୍ୟ କୋଲକାତାରୁ ଲାଇଟ୍‌ ମିସ୍ତ୍ରୀମାନେ ଆସିଛନ୍ତି । ସେମାନେ କିଛି ନୂଆ ଡିଜାଇନ୍‌ର ଲାଇଟ୍‌ରେ ତୋରଣକୁ ଅଧିକ ଆକର୍ଷଣୀୟ କରିବେ ।

ଏହା ବି ପଢନ୍ତୁ...ଆସୁଛନ୍ତି ମା' ଦୁର୍ଗତିନାଶିନୀ, ସଜେଇ ହେଲାଣି ପୂଜା ମଣ୍ଡପ


ଏନେଇ କମିଟି ସଭାପତି କହିଛନ୍ତି, "ଚଳିତ ବର୍ଷ କମିଟି ପକ୍ଷରୁ ତୋରଣକୁ ଗୁରୁତ୍ବ ଦିଆଯାଇଥିବାବେଳେ ପୂଜାର ମୁଖ୍ୟ ଆକର୍ଷଣ ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ଓଡ଼ିଆ ମୂର୍ତ୍ତିକାର କଟକର ସିତନ ବେହେରା ଓ ତାଙ୍କ ସାଥୀମାନେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଗଢୁଛନ୍ତି । ଏଥର ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୦ ଫୁଟ୍‌ ଏବଂ ମେଢ଼ର ଉଚ୍ଚତା ରହିଛି ୧୮ ଫୁଟ୍‌ । ସବୁଥର ଭଳି ଏଥର ବି ମା’ଙ୍କ ମସ୍ତକରେ ଝଟିକିବ ୭ କିଲୋ ବିଶିଷ୍ଟ ତାରକସି କାମର ଚାନ୍ଦି ମୁକୁଟ । ବିଧି ଅନୁସାରେ ଜନ୍ମାଷ୍ଟମୀରେ ମାଟି ଅନୁକୂଳ ସରିଛି । ଦଶହରା ପୂଜାର ଷଷ୍ଠୀଠାରୁ ଏଠାରେ ପୂଜାର୍ଚ୍ଚନା ଆରମ୍ଭ ହେବ । ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଖେଚୁଡ଼ି ଭୋଗ ଲାଗି କରାଯାଇ ବଣ୍ଟନ କରାଯିବ । ପରମ୍ପରା ଅନୁସାରେ ଅଷ୍ଟମୀ ଦିନ ମହିଳାମାନେ ଶାଢ଼ି ପୂଜା କରିବେ । ସେଦିନ ୨ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.