ETV Bharat / state

ଡ୍ରାଇଭର ମହାମଞ୍ଚର ଗାନ୍ଧୀନୀତି: ସମର୍ଥନ କରୁନଥିବା ଚାଳକଙ୍କୁ ଫୁଲମାଳ ସହ ମୁଣ୍ଡିଆ, ଚକୋଲେଟ ଉପହାର

author img

By

Published : Mar 15, 2023, 9:32 PM IST

driver association protest in Bhubaneswar
ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସମୟରେ ଦେଖାଦେଇଛି ନିଆରା ଦୃଶ୍ଯ । ଆନ୍ଦୋଳନକୁ ସମର୍ଥନ କରୁନଥିବା ଡ୍ରାଇଭରଙ୍କୁ ଫୁଲମାଳ ପିନ୍ଧାଇ ମୁଣ୍ଡିଆ ମାରୁଛନ୍ତି ଆନ୍ଦୋଳନକାରୀ । ଅଧିକ ପଢ଼ନ୍ତୁ

ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ବର: ୧୦ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ଼ ଡାକରା ଦେଇଛି ଓଡିଶା ଡ୍ରାଇଭର ଏକତା ମହାମଞ୍ଚ । ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ଯାଏ ଜାରି ରହିବ ଏହି ଆନ୍ଦୋଳନ । ତେବେ ଆନ୍ଦୋଳନର ପ୍ରଥମ ଦିନରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଆନ୍ଦୋଳନରେ ସାମିଲ ହୋଇଥିବା ଚାଳକ ଓ ଡ୍ରାଇଭରମାନେ ଗାନ୍ଧୀନୀତି ଆପଣାଇଛନ୍ତି । ଆନ୍ଦୋଳନରେ ସାମିଲ ହୋଇନଥିବା ଗାଡ଼ି ଚାଳକଙ୍କୁ ଫୁଲମାଳ ପିନ୍ଧାଇ ଚକୋଲେଟ ଖୁଆଇବା ସହ ମୁଣ୍ଡିଆ ମାରୁଛନ୍ତି ଆନ୍ଦୋଳନକାରୀ ।

ମହାମଞ୍ଚର ଆନ୍ଦୋଳନ ଡାକରାକୁ ସମର୍ଥନ କରି ଷ୍ଟିଅରିଂ ଛାଡି ଶହଶହ ଡ୍ରାଇଭର ସାମିଲ ହୋଇଛନ୍ତି । ହେଲେ ଅନେକ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇନାହାନ୍ତି । ଆନ୍ଦୋଳନ ଡାକରା ସତ୍ତ୍ବେ ଯେଉଁ ଡ୍ରାଇଭରମାନେ ଗାଡ଼ି ଧରି ବାହାରୁଛନ୍ତି ସେମାନଙ୍କୁ ଆନ୍ଦୋଳନକାରୀମାନେ ସମ୍ମାନ ଜଣାଉଛନ୍ତି । ଏଥିସହ ଆନ୍ଦୋଳନରେ ସାମିଲ କରିବା ଲାଗି ଆହ୍ୱାନ ଦେଉଛନ୍ତି । ଗାନ୍ଧୀନୀତି ଆପଣାଇ ଭଦ୍ରତାର ସହ ଆନ୍ଦୋଳନରେ ସାମିଲ କରିବା ଲାଗି ଆନ୍ଦୋଳନରତ ଡ୍ରାଇଭରଙ୍କୁ ପରାମର୍ଶ ଦିଆଯାଇଛି । ଗଣ୍ଡଗୋଳ ନକରି ଅନ୍ୟ ଡ୍ରାଇଭରମାନଙ୍କୁ ଫୁଲମାଳ ପିନ୍ଧାଉଛନ୍ତି । ଚକୋଲେଟ ଖୁଆଇ ସମ୍ମାନର ସହ ମୁଣ୍ଡିଆ ମାରି ହାତ ଯୋଡି ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରାଯାଉଛି ।

ରାଜ୍ୟବ୍ୟାପୀ ଡ୍ରାଇଭର ମହାମଞ୍ଚର ଆନ୍ଦୋଳନ ଚାଲୁ ରହିଛି । ନିଜ ହକ ଲଢେଇ ପାଇଁ ରାଜରାସ୍ତାରେ ବସି ପ୍ରତି ଜିଲ୍ଲାର ଡ୍ରାଇଭରମାନେ ବିକ୍ଷୋଭ ପଦର୍ଶନ କରୁଛନ୍ତି । ଯେଉଁମାନେ ଆନ୍ଦୋଳନକୁ ସମର୍ଥନ ନକରି ଗାଡ଼ି ଚଳାଉଛନ୍ତି, ସେମାନଙ୍କୁ ଆନ୍ଦୋଳନରତ ଡ୍ରାଇଭରମାନେ ସମ୍ମାନ ଜଣାଇ ସମର୍ଥନ ପାଇଁ ନିବେଦନ କରିଛନ୍ତି । ଆଗମୀ ଦିନରେ ଏକତା ରଖି ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି । ଯଦି ସାରା ରାଜ୍ୟର ଡ୍ରାଇଭରମାନେ ମିଳିମିଶି ଆନ୍ଦୋଳନ କରିବେ ତାହାଲେ ସରକାରଙ୍କ ଉପରେ ଚାପ ପଡିବ । ସରକାର ସେମାନଙ୍କ ଦାବି ଶୁଣିବେ ବୋଲି କହିଛନ୍ତି ଆନ୍ଦୋଳନରତ ଡ୍ରାଇଭର । ତେଣୁ ଆନ୍ଦୋଳନଙ୍କୁ ସମର୍ଥନ ପୂର୍ବକ ସରକାରଙ୍କୁ ନିଜ ସମସ୍ୟା ଓ ଅଧିକାର ସମ୍ବନ୍ଧରେ ଜଣାଇବାକୁ ମଞ୍ଚ ଅନୁରୋଧ କରିଛି । ଘରେ ନରହି ରାଜରାସ୍ତାକୁ ଓହ୍ଲାଇବାକୁ ଆହ୍ବାନ ଦେଇଛି ।


ଓଡିଶା ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିଅରିଂ ଛାଡ଼ ଡାକରାରେ ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ ଓ ଡ୍ରାଇଭର ସାମିଲ ହୋଇଛନ୍ତି । ସମସ୍ତ ଜିଲ୍ଲା, ବ୍ଲକ ଏବଂ ସଦର ମହକୁମାରେ ଏହି ଆନ୍ଦୋଳନ ଚାଲିଛି । ଆନ୍ଦୋଳନକୁ ନେଇ ଗାଡ଼ି ଚଳାଚଳ ବନ୍ଦ ଥିବା ବେଳେ ରାସ୍ତାରେ ଟ୍ରକ ଗୁଡିକ ମଧ୍ୟ ପଛକୁ ପଛ ଲାଗି ରହିଛି । ପରୀକ୍ଷା ଚାଲୁଥିବାରୁ ସ୍କୁଲ ଓ କଲେଜ ବସ, ଆମ୍ବୁଲାନ୍ସ ଓ ଆବଶ୍ୟକୀୟ କାର୍ଯ୍ୟରେ ଯାଉଥିବା ଲୋକଙ୍କୁ ଆନ୍ଦୋଳନକାରୀ ଛାଡି ଦେଉଛନ୍ତି ।

ରାଜ୍ୟ ସରକାରଙ୍କ ପାଖରେ ୧୦ଟି ଦାବି ରଖିଛି ଓଡିଶା ଡ୍ରାଇଭର ଏକତା ମହାମଞ୍ଚ । ସେଥି ମଧ୍ୟରୁ ୮ଟି ଦାବିକୁ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା । ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା, ପେନସନ ବ୍ୟବସ୍ଥା, ଦୁର୍ଘଟଣା ଜନିତ କ୍ଷତିପୂରଣ, ଗାଡ଼ି ରହଣି ସ୍ଥଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ଭଳି ଅନେକ ସମସ୍ୟାକୁ ଦୂର କରିବାକୁ ଦାବି ହୋଇଥିଲା । କିନ୍ତୁ ଏହି ଦାବି ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । ସରକାର ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ଅଭିଯୋଗ କରି ଡ୍ରାଇଭର ମହାମଞ୍ଚ ଆନ୍ଦୋଳନକୁ ଓହ୍ଲାଇଛି । ଯଦି ସରକାର ସେମାନଙ୍କ ଆନ୍ଦୋଳନରେ ପ୍ରଭାବିତ ନ ହୁଅନ୍ତି ବା ଦାବି ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ମଞ୍ଚ ଚେତାବନୀ ଦେଇଛି । ଖାଲି ସେତିକି ନୁହେଁ ସରକାରଙ୍କ ଏଭଳି ନୀତି ଯଦି ଲାଗି ରୁହେ, ତାହାଲେ ଆଗାମୀ ନିର୍ବାଚନକୁ ବର୍ଜନ କରିବା ବୋଲି କହିଛି ମଞ୍ଚ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.