ETV Bharat / state

Train Tragedy: ପୁଅ ମୃତଦେହ ଅପେକ୍ଷାରେ ଦିବ୍ୟାଙ୍ଗ ଦମ୍ପତି, DNA ରିପୋର୍ଟ ଆସିବା ପରେ ମିଳିବା ଆଶା

author img

By

Published : Jun 30, 2023, 1:12 PM IST

Train Tragedy
Balasore train accident

ଦିନକ ପରେ ବାଲେଶ୍ବର ଟ୍ରେନ ଦୁର୍ଘଟଣାକୁ ମାସଟେ ପୁରି ଯିବ । ଦୁର୍ଘଟଣାରେ ଜୀବନ ଯାଇଥିବା 293ଜଣଙ୍କ ମଧ୍ୟରୁ ଏମ୍ସରେ ଥିବା 29 ଜଣଙ୍କ ମୃତଦେହ ଡିଏନଏ ଟେଷ୍ଟ ଦ୍ବାରା ଚିହ୍ନଟ ହୋଇଛି । ଏହା ପରେ ପୁଅର ମୃତଦେହ ଅପେକ୍ଷାରେ ଦିବ୍ୟାଙ୍ଗ ଦମ୍ପତି । ଅଧିକ ପଢନ୍ତୁ

couple waiting for their sons body

ଭୁବନେଶ୍ବର: ସମୟକୁ ଯଦି ମଣିଷ ହାତରେ ଜାବୁଡି ଧରି ପାରନ୍ତା ତେବେ ଦୁଃଖ କେବେ ପାଖ ମାଡନ୍ତାନି । ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା କେତେ ଯେ କୋଳ ଖାଲି କରିଛି ତାର ହିସାବ ନାହିଁ । ମୃତ୍ୟୁ ଆଣିଥିବା କରମଣ୍ଡଳ ଟ୍ରେନ ଟ୍ରାଜେଡିରେ କିଏ ବାପାକୁ ହରାଇଛି ତ କିଏ ସିନ୍ଦୁରକୁ ତ ପୁଣି କିଏ ଭେଣ୍ଡିଆ ପୁଅକୁ । ଯେବେ ଭେଣ୍ଡିଆ ପୁଅର ମୃତଦେହକୁ ବୁଢା ବାପା ଚିହ୍ନଟ ପରେ ଅନ୍ତିମ ସଂସ୍କାର ପାଇଁ ଅପେକ୍ଷା କରିଥାଏ ତାହାଠୁ ବଡ ହୃଦୟ ବିଦାରକ ଆଣ କଣ ବା ହୋଇପାରେ । ଦିନକ ପରେ ବାଲେଶ୍ବର ଟ୍ରେନ ଦୁର୍ଘଟଣାକୁ ମାସଟେ ପୁରି ଯିବ । ଦୁର୍ଘଟଣାରେ ଜୀବନ ଯାଇଥିବା 293ଜଣଙ୍କ ମଧ୍ୟରୁ ଏମ୍ସରେ ଥିବା 29 ଜଣଙ୍କ ମୃତଦେହ ଆଜି ଡିଏନଏ ଟେଷ୍ଟ ଦ୍ବାରା ଚିହ୍ନଟ ହୋଇଛି । ସେଥିରୁ କାଳେ ସେମାନଙ୍କ ପୁଅ ମିଳିଯିବ ଭାବି ଜଣେ ଦିବ୍ୟାଙ୍ଗ ଦମ୍ପତି ଅପେକ୍ଷା କରି ରହିଛନ୍ତି । ପୁଅର ମୃତଦେହ ନେବାକୁ ଅନେଇ ବସିଛନ୍ତି ଦମ୍ପତି । ଏ ଦୃଶ୍ୟ ସମସ୍ତଙ୍କ ଆଖିକୁ ଓଦା କରିଛି ।

ପୁଅ ମୃତଦେହ ଅପେକ୍ଷାରେ ଦିବ୍ୟାଙ୍ଗ ଦମ୍ପତି: ପରିଣତ ବୟସରେ ପୁଅ ବାପାମାଆଙ୍କ ସାହାର ପାଲଟେ । ହେଲେ ବାପା ଥାଉ ଥାଉ ଭେଣ୍ଡିଆ ପୁଅ ଯେବେ ଆରପାରିକୁ ଚାଲିଯାଏ ତାହା ଧୈର୍ଯ୍ୟର ପାହାଡ କୁହାଯାଉଥିବା ବାପାକୁ ଅଧୈର୍ଯ୍ୟ କରିଦିଏ । କେମିତି ବା ସହିବ ସେ ବାପା । ଆଖିର ଲୁହ ଛାତିର କୋହକୁ ଚାପି ଧରି ପୁଅର ମୃତଦେହ ପାଇଁ ଧାଡିରେ ଅପେକ୍ଷା କରିଛନ୍ତି ଝାଡ଼ଖଣ୍ଡର ଦିବ୍ୟାଙ୍ଗ ବାପାମାଆ । ଦିନକ ପରେ ଟ୍ରେନ ଦୁର୍ଘଟଣାକୁ ପାଖାପାଖି ଏକ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଦମ୍ପତିଙ୍କୁ ତାଙ୍କ ପୁଅର ମୃତଦେହ ମିଳିପାରିଲା ନାହିଁ । ଡିଏନ୍ଏ ରିପୋର୍ଟ ଦେଇଥିବା ବେଳେ ରିପୋର୍ଟ ଅପେକ୍ଷାରେ ରହିଛନ୍ତି ଦମ୍ପତି ।

ଝାଡ଼ଖଣ୍ଡରୁ ଆସି ଦୀର୍ଘ 27 ଦିନ ହେଲା ଭୁବନେଶ୍ୱରରେ ରହିଛନ୍ତି ଦିବ୍ୟାଙ୍ଗ ବାପାମାଆ । ପୁରୁଣା ସାହେବଗଞ୍ଜ ଅଞ୍ଚଳର ୬୫ ବର୍ଷୀୟ ବୃଦ୍ଧା ଯଶୋଦା ଦେବୀ ଓ ଦିବ୍ୟାଙ୍ଗ ବାପା ଲକ୍ଷ୍ମଣ ଚୌଧୁରୀ ଦିନ ରାତି ଏମ୍ସରେ ଅପେକ୍ଷା କରି ରହିଛନ୍ତି । ଆଜି ଆସିଥିବା DNA ରିପୋର୍ଟରୁ ତାଙ୍କ ପୁଅର ମୃତଦେହ ମିଳିବକି ନାହିଁ ସେ ଜାଣି ନାହାନ୍ତି ହେଲେ ମିଳିବା ଆଶାରେ ଅପେକ୍ଷା କରିଛନ୍ତି । ଭଗବାନ ତ ତାଙ୍କ କୋଳ ଖାଲି କରିଦେଲେ ଅନ୍ଧରେ ଲଉଡିକୁ ନେଇ ଗଲେ ଶେଷ ସନ୍ତକ ଭାବେ ପୁଅର ମୃତଦେହ ନେବା ପାଇଁ ଚାହିଁ ରହିଛନ୍ତି ବୃଦ୍ଧ ଦମ୍ପତି ।

ଆଉ ଜଣେ ବାପାର କରୁଣ କାହାଣୀ: ପଶ୍ଚିମବଙ୍ଗର ଜଣେ ମୃତକଙ୍କ ବାପା ଶିବକାନ୍ତ ରାୟ । ଭେଣ୍ଡିଆ ପୁଅର ମୃତଦେହ ନେବାକୁ ଜୁନ 4 ତାରିଖରୁ ରାଜଧାନୀ ରାସ୍ତାରେ ଦିନ କାଟୁଛନ୍ତି । ଅଖିରୁ ଲୁହ ଶୁଖି ଗଲାଣି ଛାତି ପଥର ହୋଇଗଲାଣି । ଖରା ବର୍ଷା ସହି ପୁଅର ମୃତଦେହ ନେବାକୁ ପଡି ରହିଛନ୍ତି ପଶ୍ଚିମବଙ୍ଗର ଶିବକାନ୍ତ ରାୟ । ପୁଅର ମୃତ ଦେହ ନମିଳିବା ପର୍ଯ୍ୟନ୍ତ ଘରକୁ ଯିବି ନାହିଁ ବୋଲି କହିଛନ୍ତି ଶିବକାନ୍ତ ।

ଏହା ବି ପଢନ୍ତୁ...Train Accident: କରମଣ୍ଡଳ ଟ୍ରେନ ଦୁର୍ଘଟଣାର କରୁଣ କାହାଣୀ, ପଶ୍ଚିମବଙ୍ଗ ମୃତଦେହ ପଳେଇଛି ବିହାର

ଏହା ବି ପଢନ୍ତୁ...Train Tragedy: ୨୯ ମୃତକଙ୍କ ଆସିଲା DNA ରିପୋର୍ଟ, ଆଜି ମୃତଦେହ ହସ୍ତାନ୍ତର ହେବ

ପ୍ରକାଶ ଥାଉ କି, ଜୁନ 9 ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ଦୁଇଟି ପାସେଞ୍ଜର ଓ ମାଲବାହୀ ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟି 288 ଜଣଙ୍କର ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ସମୟରେ ଦୁର୍ଘଟଣା ଦିନ ବର୍ତ୍ତିଯାଇ ଚିକିତ୍ସିତ ହେଉଥିବା ଆହତଙ୍କ ମଧ୍ୟରୁ 5 ଜଣଙ୍କର ମୃତ୍ୟୁ ହୋଇଥିଲା । ଅଘଟଣରେ 1000ରୁ ଅଧିକ ଆହତ ହୋଇଥିଲେ । ଦୁର୍ଘଟଣାରେ ମୋଟ 293 ଜଣଙ୍କର ମୃତ୍ୟୁ ହୋଇଥିଲା । ଭୁବନେଶ୍ବର ଏମ୍ସରେ ରହିଥିବା 81 ମୃତଦେହରୁ DNA ଟେଷ୍ଟ ଦ୍ବାରା 29ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି । ଏହି ଅଘଟଣ ସାରା ବିଶ୍ବକୁ ଦୋହଲାଇ ଦେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.