ETV Bharat / state

Dress Code For Sri Mandir: 'ପ୍ରଥମେ ନୀତିକାନ୍ତି ଶୃଙ୍ଖଳିତ କରନ୍ତୁ, ତାପରେ ପୋଷାକରେ ଶାଳୀନତା'

author img

By ETV Bharat Odisha Team

Published : Oct 10, 2023, 9:44 PM IST

ଶ୍ରୀମନ୍ଦିରରେ ଡ୍ରେସକୋଡ ନିୟମ ଲାଗୁ ନିଶ୍ଚିତ ସ୍ବାଗତଯୋଗ୍ୟ ପଦକ୍ଷେପ । ହେଲେ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି କେବେ ? ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କେବେ ? ଭକ୍ତଙ୍କ ସହ ସେବାୟତଙ୍କ ଉତ୍ତମ ଆଚରଣ କେବେ ? ପ୍ରଥମେ ଏ ଦିଗରେ ଦୃଷ୍ଟି ଦିଅନ୍ତୁ ତାପରେ ଡ୍ରେସକୋଡ ଲାଗୁ କରିବାକୁ ଦାବି ଉଠିଛି । ଦେଖନ୍ତୁ ଏହି ରିପୋର୍ଟ

Pradyumna Satpathy demands discipline rituals
Pradyumna Satpathy demands discipline rituals

Dress code for Sri Mandir: 'ପ୍ରଥମେ ନୀତିକାନ୍ତି ଶୃଙ୍ଖଳିତ କରନ୍ତୁ, ତାପରେ ପୋଷାକରେ ଶାଳୀନତା'

ପୁରୀ/ଭୁବନେଶ୍ବର: ନୂଆବର୍ଷ ବା ଆସନ୍ତା ଜାନୁଆରୀ 1 ତାରିଖରୁ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧି ଯିବାକୁ ନିର୍ଦ୍ଦେଶନାମା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହାପରେ ଶାଳୀନତାର ସଂଜ୍ଞାକୁ ନେଇ ଉଠିଛି ପ୍ରଶ୍ନ । ଏବେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ପୋଷାକ ସହିତ ଭକ୍ତିର କଣ ରହିଛି ସମ୍ପର୍କ ? ଏହି ପ୍ରଶ୍ନ ମଧ୍ୟ ଉଠିବା ସ୍ବାଭାବିକ । ଖାଲି ପୋଷାକରେ ଶାଳୀନତା ଆଣିଲେ ହେବ ନାହିଁ ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ଶୃଙ୍ଖଳିତ ଢଙ୍ଗରେ କରିବାକୁ ଉଠିଛି ଦାବି । ନୀତିକାନ୍ତିରେ ବିଭ୍ରାଟ ଯୋଗୁଁ ଅନେକ ସମୟରେ ମହାପ୍ରଭୁ ଉପାସରେ ରହୁଛନ୍ତି । ତେଣୁ ଏଥିରେ ଶୃଙ୍ଖଳା ଆସିବା ଦରକାର ବୋଲି କହିଛନ୍ତି ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ।

ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି, "ପ୍ରଥମେ ମହାପ୍ରଭୁଙ୍କ ନିତିକାନ୍ତି ଶୃଙ୍ଖଳିତ କରନ୍ତୁ । ତାପରେ ପୋଷାକରେ ଶାଳିନତା କଥା ଉଠାଇବେ । ନବକଳେବର ସମୟରେ ନୀତିକାନ୍ତିରେ ବିଭ୍ରାଟ ହୋଇଥିଲା । ଯେଉଁ ନୀତିକାନ୍ତି ନିଷାର୍ଦ୍ଧ ରାତିରେ ହେବା କଥା ତାହା ଦିନ ଦ୍ବିପହରରେ ହେଲା । ନୀତିକାନ୍ତିରେ ବିଭ୍ରାଟ ଯୋଗୁଁ ଅନେକ ସମୟରେ ମହାପ୍ରଭୁ ଉପାସରେ ରହୁଛନ୍ତି । ତେଣୁ ଏଥିରେ ଶୃଙ୍ଖଳା ଆସିବା ଦରକାର । କେବଳ ଯେ ପୋଷାକ ପରିବର୍ତ୍ତନ କରିଦେଲେ ଶାଳୀନତା ଆସିଯିବ, ଏହା ଭାବିବା ଭୁଲ । ଯଦିଓ ଏପରି ପଦକ୍ଷେପକୁ ସ୍ବାଗତ କରାଯାଉଛି, କିନ୍ତୁ ଏହା ଏକ ତୋଗଲକି ଚିନ୍ତାଧାରା । ଏପରି ଚିନ୍ତାଧାରା ଦ୍ବାରା ଶୃଙ୍ଖଳାରେ ପରିବର୍ତ୍ତନ ଆସିବ ନାହିଁ, ବରଂ ସେବାୟତମାନେ ଚିନ୍ତା କରିବା ଦରକାର ସେମାନଙ୍କ ବ୍ୟବହାରରେ କିପରି ପରିବର୍ତ୍ତନ ଆସିବ । ମନ୍ଦିରର ନୀତିକାନ୍ତି କିପରି ଶୃଙ୍ଖଳିତ ହେବ ।"

ଏହା ବି ପଢନ୍ତୁ- ଶ୍ରୀମନ୍ଦିରକୁ ପ୍ରଵେଶ ବେଳେ ଭକ୍ତ ପିନ୍ଧିବେ ଶାଳୀନତା ପୋଷାକ, ନୂଆବର୍ଷରୁ କଡ଼ାକଡ଼ି ହେବ ନିୟମ

ସେପଟେ ଏହି ନିଷ୍ପତ୍ତିକୁ ଭକ୍ତ ଓ ସେବାୟତ ମହଲରେ ସ୍ଵାଗତ କରାଯାଇଛି । ଏ ନେଇ ଶ୍ରୀମନ୍ଦିର ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, "ଏହାଦ୍ବାରା ଜଗନ୍ନାଥ ସଂସ୍କୃତି ପରମ୍ପରା ବଜାୟ ରହିବ । ଶ୍ରୀମନ୍ଦିର ଭିତରେ ଆଧ୍ୟାତ୍ମିକ ବାତାବରଣ ବଜାୟ ରହିବ । ଭକ୍ତମାନେ ଏହି ନିଷ୍ପତ୍ତିକୁ ମାନିବେ ବୋଲି ଆମର ଆଶା । ଏହି ନିୟମକୁ ଅଧିକ ପ୍ରଚାର ପ୍ରସାର ଲାଗି ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ବ ବହନ କରିବା ଉଚିତ । ଓଡ଼ିଶା ବାହାରେ ମଧ୍ଯ ଏହାର ପ୍ରଚାର ପ୍ରସାର ପାଇଁ ଜାତୀୟ ଗଣମାଧ୍ୟମରେ ଏହା ପ୍ରଚାର ହେବା ଉଚିତ । ଏହାସହ ଶ୍ରୀମନ୍ଦିର ନିକଟରେ ପୋଷାକ ବଦଳାଇବା ଗୃହ ନିର୍ମାଣର ଆବଶ୍ୟକ । ଯଦି କେହି ଭକ୍ତ ଆଧୁନିକ ପୋଷାକ ପିନ୍ଧି ଆସୁଛନ୍ତି ସେହି ପୋଷାକ ପରିବର୍ତ୍ତନ ଗୃହରେ ପାରମ୍ପାରିକ ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ଯିବେ ।"

ଏହା ବି ପଢନ୍ତୁ- ୨୩ ବର୍ଷ ପରେ ଭାଙ୍ଗିଲା ସରକାରଙ୍କ ନିଦ, ମନେପଡିଲା ଶ୍ରୀମନ୍ଦିରରେ ଭକ୍ତଙ୍କ ଶାଳୀନତା ପୋଷାକ କଥା: ବିଜେପି

ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନେଇ ଡ୍ରେସ କଟକଣାକୁ ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ ମଧ୍ୟ ସ୍ବାଗତ କରିଛି । ଏହି ଦାବି ପୂର୍ବରୁ ନିଯୋଗ ପକ୍ଷରୁ ହୋଇ ଆସୁଥିଲା । ଏହା କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇ ଥିବାରୁ ଏହାକୁ ସ୍ଵାଗତ କରିଛନ୍ତି ନିଯୋଗର ବରିଷ୍ଠ କର୍ମକର୍ତ୍ତା ହଜୁରୀ କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ । ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ସବୁଦିନ ଆସୁଥିବା ବେଳେ ପର୍ବପର୍ବାଣିରେ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି । ସେହିପରି ସାରା ଦେଶରୁ ଭକ୍ତ ଆସୁଛନ୍ତି । ଏଣୁ ନିର୍ଦ୍ଦିଷ୍ଟ ଡ୍ରେସକୋଡ୍‌ ଶ୍ରୀମନ୍ଦିରରେ ଲାଗୁ ହୋଇପାରିବ ନାହିଁ । ହେଲେ ଏକ ଶାଳୀନତା ଢଙ୍ଗରେ ପୋଷାକ ପିନ୍ଧି ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରନ୍ତୁ ବୋଲି ସେ କହିଛନ୍ତି ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଦର୍ଶକ ଭକ୍ତ ବିଶ୍ବର କୋଣ ଅନୁକୋଣରୁ ଆସିଥାଆନ୍ତି । ସେମାନେ କି ପ୍ରକାର ପୋଷାକ ପିନ୍ଧୁଛନ୍ତି ଏବେ ତା ଉପରେ ମନ୍ଦିର ପ୍ରଶାସନର ନଜର ରହିବ । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଉଛି । ପ୍ରାପ୍ତ ବୟସ୍କମାନେ ଚିରା ଫଟା ଡ୍ରେସ୍‌ ପିନ୍ଧି ଯାଇପାରିବେ ନାହିଁ ବୋଲି କଟକଣା ଜାରି ହୋଇଛି । ଯାହା ଆସନ୍ତା ଜାନୁଆରୀ 1 ତାରିଖରୁ କଡ଼ାକଡି ଭାବେ ଲାଗୁ ହେବ । ଶ୍ରୀମନ୍ଦିରରେ ଡ୍ରେସ୍‌କୋଡ ଲାଗୁ ହେବା ନିଶ୍ଚିତ ସ୍ବାଗତଯୋଗ୍ୟ ପଦକ୍ଷେପ । ହେଲେ ମହାପ୍ରଭୁଙ୍କ ନୀତିକାନ୍ତି କିପରି ଶୃଙ୍ଖଳିତ ଢଙ୍ଗରେ ହେବ ସେ ଦିଗରେ ସେବାୟତମାନେ ଦୃଷ୍ଟି ଦେବା ଲାଗି ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ/ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.