ETV Bharat / state

ଶ୍ରୀମନ୍ଦିରକୁ ପ୍ରଵେଶ ବେଳେ ଭକ୍ତ ପିନ୍ଧିବେ ଶାଳୀନତା ପୋଷାକ, ନୂଆବର୍ଷରୁ କଡ଼ାକଡ଼ି ହେବ ନିୟମ

author img

By ETV Bharat Odisha Team

Published : Oct 9, 2023, 10:13 PM IST

ଶ୍ରୀମନ୍ଦିରକୁ ପ୍ରଵେଶ ବେଳେ ଭକ୍ତ ପିନ୍ଧିବେ ଶାଳୀନତା ପୋଷାକ । ନୂଆବର୍ଷରୁ କଡ଼ାକଡ଼ି ହେବ ନିୟମ । ଅଧିକ ପଢନ୍ତୁ

Dress code rule
Dress code rule

ଶ୍ରୀମନ୍ଦିରକୁ ପ୍ରଵେଶ ବେଳେ ଭକ୍ତ ପିନ୍ଧିବେ ଶାଳୀନତା ପୋଷାକ, ନୂଆବର୍ଷରୁ କଡ଼ାକଡ଼ି ହେବ ନିୟମ

ପୁରୀ: ଏଣିକି ମଡର୍ଣ୍ଣ ଡ୍ରେସ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେନି ଭକ୍ତ। ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା । ନଚେତ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା । ଏଭଳି ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ ବାରମ୍ବାର ସେବାୟତ ଓ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଭକ୍ତମାନେ ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିବା ବେଳେ ଏବେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ । ନୂଆବର୍ଷରୁ କଡ଼ାକଡ଼ି ଭାବେ ଏହି ନିୟମ ଲାଗୁ କରାଯିବ ।

ଏହା ବି ପଢନ୍ତୁ- Dress code for Devotees: ଆଲୋଚନା ପରେ ନିଷ୍ପତ୍ତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି ଆସନ୍ତା ଜାନୁୟାରୀ 1 ତାରିଖରୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ସେପଟେ ଆସନ୍ତାକାଲିଠାରୁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ସଚେତନତା କରିବ । ଶ୍ରୀମନ୍ଦିର କାର୍ଯ୍ୟଳୟରେ ଏକ ସ୍ଵତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଜାନୁଆରୀ 1 ତାରିଖରୁ ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ । ଆସନ୍ତା ଜାନୁୟାରୀ 1 ତାରିଖରୁ ଯୋଉ ଭକ୍ତମାନେ ଶାଳୀନତା ଭାବେ ପୋଷାକ ନପିନ୍ଧି ଶ୍ରୀମନ୍ଦିର ଯିବେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏହା ବି ପଢନ୍ତୁ- ଜିନ୍ ପ୍ୟାଣ୍ଟ ସାର୍ଟ ପିନ୍ଧି ଗର୍ଭଗୃହକୁ ଯାଉଛନ୍ତି ସେବାୟତ ! ଭକ୍ତଙ୍କ ଅସନ୍ତୋଷ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି, " ଧାର୍ମିକ ପୀଠର ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି । ତାହାକୁ ସମସ୍ତେ ମାନିବାକୁ ପଡ଼ିବ। ଅନ୍ୟ ଧର୍ମରେ ବି ଧର୍ମୀୟ ସ୍ଥଳୀକୁ ଯିବା ପାଇଁ କିଭଳି ପୋଷାକ ପରିଧାନ କରିବେ ସେ ନେଇ ନିୟମ ରହିଛି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ପୋଷାକରେ ଶାଳୀନତା ରଖିଲେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ବାତାବରଣ ବଜାୟ ରହିବ । ଆଧୁନିକ ପୋଷାକ ପିନ୍ଧି ସବୁ ଜାଗାକୁ ଲୋକେ ଯାଇପାରିବେ । ହେଲେ ଧର୍ମାନୁଷ୍ଠାନରେ ଏହା ଚଳିବ ନାହିଁ । ଆମ ପରମ୍ପରା ଅନୁଯାୟୀ ଡ୍ରେସ ପିନ୍ଧିବାକୁ ପଡ଼ିବ । 12 ବର୍ଷରୁ କମ ବୟସ ପିଲା ହାଫ୍ ପ୍ୟାଣ୍ଟ୍ ପିନ୍ଧି ଶ୍ରୀମନ୍ଦିରକୁ ଆସିପାରିବେ। ହେଲେ 12 ବର୍ଷରୁ ଅଧିକ ବୟସ ପିଲା, ପ୍ରାପ୍ତ ବୟସ୍କ ଲୋକେ ଫୁଲ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ଆସିପାରିବେ । ହେଲେ ଆଜିକାଲି ଯେଭଳି ଚିରା ଫଟା ଡିଜାଇନର ପ୍ୟାଣ୍ଟ୍ ଆସୁଛି ତାହା ପିନ୍ଧି ମନ୍ଦିର ପ୍ରବେଶ ନେଇ କଟକଣା ରହିବ । ମହିଳାମାନେ ଶାଢୀ ଅବା ସଲୱାର ପିନ୍ଧି ମନ୍ଦିର ପ୍ରଵେଶ କରିପାରିବେ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.