ETV Bharat / state

Budget Session: କାଲିଠୁ ବଜେଟ ଅଧିବେଶନ, ବିଧାନସଭା ଜଗିବେ 30 ପ୍ଲାଟୁନ ଫୋର୍ସ

author img

By

Published : Feb 20, 2023, 1:22 PM IST

Updated : Feb 20, 2023, 1:32 PM IST

assembly budget session
ସୁରକ୍ଷା ଯାଞ୍ଚ କଲେ ଡିଜିପି

ଦିନକ ପରେ ରାଜ୍ୟ ବିଧାନସଭା ବଜେଟ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ । ବିଧାନସଭା ବଜେଟ ଅଧିବେଶନ ନେଇ ସୁରକ୍ଷା ସ୍ଥିତି ଯାଞ୍ଚ କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଅଧିକ ପଢନ୍ତୁ

କାଲିଠୁ ବଜେଟ ଅଧିବେଶନ, ବିଧାନସଭା ଜଗିବେ 30 ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ଆସନ୍ତାକାଲି(ମଙ୍ଗଳବାର) ଠାରୁ ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ । ଅଧିବେଶନକୁ ନେଇ ବିରୋଧୀ ଓ ଶାସକ ଦଳ ପ୍ରସ୍ତୁତ ହୋଇଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଘେରିବା ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଧାନସଭା ଭିତରେ ବାହାରେ ରାଜନୈତିକ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ହେବା ନେଇ ଅନୁମାନ କରାଯାଉଛି । ଏହାରି ଭିତରେ ପୋଲିସ ପାଇଁ କଡା ସୁରକ୍ଷା ବଳୟ ଚ୍ୟାଲେଞ୍ଜ ହୋଇପାରେ । ବିଧାନସଭା ବଜେଟ ଅଧିବେଶନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ।

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ଆଇନ ଶୃଙ୍ଖଳା ପରିସ୍ଥିତି ଓ ଚାଉଳ ରାଜନୀତିକୁ ନେଇ ଗୃହ ସରଗରମ ହୋଇପାରେ । ବିଧାନସଭା ଅଧିବେଶନ ସମୟରେ ଉତ୍ତେଜନା କିମ୍ବା ହଙ୍ଗମା ମଧ୍ୟ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ କଡା ସୁରକ୍ଷା ବଳୟ ପ୍ରସ୍ତୁତି କରିଛି । ବିଧାନସଭା ସୁରକ୍ଷା ସ୍ଥିତି ଯାଞ୍ଚ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଏହି ସମୟରେ ଡିସିପିଙ୍କ ସମେତ ଡିଆଇଜି ଇଣ୍ଟେଲିଜେନ୍ସ ମଧ୍ୟ ଉପସ୍ଥିତ ଥିଲେ । ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ବିଧାନସଭାକୁ ସଂଯୋଗ କରୁଥିବା ରୁଟକୁ ସର୍ବାସାଧାରଣଙ୍କ ପ୍ରବେଶ ଉପରେ ରୋକ ଲଗଯାଇଛି ।

ଏହି ସୁରକ୍ଷା ଦାୟିତ୍ବରେ ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ 11 ଅତିରିକ୍ତ ଡିସିପି, 10 ଏସପିଙ୍କ ସମେତ 13 ଇନସ୍ପେକ୍ଟର 85 ଏଏସଆଇ ଓ ଏସଆଇଙ୍କ ସମେତ 200 କନଷ୍ଟେବଳ, 2ଟି ଏସଟିୟୁ ଓ 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ବିଶେଷ କରି ଗୁଇନ୍ଦା ଓ ସ୍ପେଶାଲ ବ୍ରାଞ୍ଚ ଅଫିସର ଅଧିକ ସକ୍ରିୟ ରହିବେ । ବନ୍ଧୁକଧାରୀ ପୋଲିସ ସମେତ ବି ସ୍କ୍ବାର୍ଡ ସହ ସିସିଟିଭି ସର୍ଭିଲାନ୍ସକୁ ଅଧିକ ବଢାଇ ଦିଆଯାଇଛି । ବିଧାନସଭା ସମୟରେ ସୁରକ୍ଷା ପ୍ରସ୍ତୁତିରେ 5ରୁ 6 ଅତିରିକ୍ତ ଡିସିପି ନିୟୋଜିତ ହୋଇଥାନ୍ତି କିନ୍ତୁ ଗୁଇନ୍ଦା ତଥ୍ୟ ଅଧାରରେ ଆନ୍ଦୋଳନ ବଢିବା ଆଶଙ୍କା ଥିବାରୁ 11 ଅତିରିକ୍ତ ଡିସିପିଙ୍କୁ ଦାୟିତ୍ବ ଦିଆଯାଇଥିବା କହିଛନ୍ତି ପୋଲିସ କମିଶନର ।

ସେପଟେ ବଜେଟ ଅଧିବେଶନ ପାଇଁ ପୂର୍ବାହ୍ନ 11ଟାରୁ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧକ୍ଷତାରେ ସର୍ବଦଳୀୟ ବୈଠକ ହୋଇଛି । ବୈଠକରେ ବିଭିନ୍ନ ଦଳର ନେତା ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରତାପ ଦେବ, ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ସାମିଲ ହୋଇଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ମୁଖ୍ୟ ସଚେତନ ମୋହନ ମାଝୀ ଓ କଂଗ୍ରେସରୁ ନରସିଂହ ମିଶ୍ର ବୈଠକରେ ଯୋଗ ଦେଇଛନ୍ତି । ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ପ୍ରକାଶ ଥାଉକି, ଦୁଇଟି ପର୍ଯ୍ୟାୟରେ ବଜେଟ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୃଆରୀ 21ରୁ ମାର୍ଚ୍ଚ 1 ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 10ରୁ ଏପ୍ରିଲ 6 ତାରିଖ ଯାଏଁ ଚାଲିବ । ଫେବ୍ରୃଆରୀ 24 ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 20, 2023, 1:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.