ETV Bharat / state

ସମ୍ଭାବ୍ୟ ବାତ୍ୟା ‘ମିଞ୍ଚାଉଙ୍ଗ’: ଆସନ୍ତାକାଲି ଅଵପାତ, 7 ଜିଲ୍ଲାପାଳଙ୍କୁ SRCଙ୍କ ଆଲର୍ଟ

author img

By ETV Bharat Odisha Team

Published : Nov 29, 2023, 5:37 PM IST

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ‘ମିଞ୍ଚାଉଙ୍ଗ’ । ଆସନ୍ତାକାଲି ନେବ ଅବପାତର ରୂପ । 1 ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । 7 ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବା ପାଇଁ ଏସଆରସିଙ୍କ ଚିଠି । ଅଧିକ ପଢନ୍ତୁ

ସମ୍ଭାବ୍ୟ ବାତ୍ୟା ମିଞ୍ଚାଉଙ୍ଗ: ଆସନ୍ତାକାଲି ସୁଦ୍ଧା ଅଵପାତ, 7 ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠିଋଋଋ
ସମ୍ଭାବ୍ୟ ବାତ୍ୟା ମିଞ୍ଚାଉଙ୍ଗ: ଆସନ୍ତାକାଲି ସୁଦ୍ଧା ଅଵପାତ, 7 ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ସମ୍ଭାବ୍ୟ ବାତ୍ୟା ମିଞ୍ଚାଉଙ୍ଗ: ଆସନ୍ତାକାଲି ସୁଦ୍ଧା ଅଵପାତ, 7 ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ‘ମିଞ୍ଚାଉଙ୍ଗ’ । ଆସନ୍ତାକାଲି ସୁଦ୍ଧା ଏହା ଅବପାତର ରୂପ ନେବା ନେଇ ପୂର୍ବାକଳନ ପ୍ରକାଶ ପାଇଛି । ଡିସେମ୍ବର ୨ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନଥିବା ବେଳେ ଆଗୁଆ ମୁକାବିଲା ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର ।

ଗତକାଲି ଦକ୍ଷିଣ-ଅଣ୍ଡାମାନ ସାଗର ବା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳେ ୱେଲମାର୍କ ଲୋ-ପ୍ରେସର ବା ସଦୃଶ ଲଘୁଚାପରେ ପରିଣତ ହୋଇସାରିଛି । ଏହା ପରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୩୦ ତାରିଖ (ଆସନ୍ତାକାଲି) ଏହା ଅବପାତର ରୂପ ନେଇପାରେ । ଧୀରେ ଧୀରେ ଏହି ସମ୍ଭାବ୍ୟ ବାତ୍ୟା ୨ ତାରିଖରେ ଘୁର୍ଣ୍ଣିବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେନ୍ଦ୍ରୀୟ ବଙ୍ଗୋପସାଗର ଏହାର ପ୍ରଭାବ ଅଧିକ ରହିବା ସହ ୨ ତାରିଖରେ ବେଶୀ ବିପଦ ରହିବ ବୋଲି ସତର୍କ କରାଇଛି ପଣିପାଗ ବିଭାଗ । ଏହାସହ ଏହି ସମୟରେ ସମୁଦ୍ର ମଧ୍ୟରେ ୪୦ ରୁ ୫୦ ସର୍ବାଧିକ ୬୦ କି.ମି ବର୍ଷା ସେଥିପାଇଁ ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ୧ ତାରିଖ ସୁଦ୍ଧା ଫେରି ଆସିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ସମ୍ଭାବ୍ୟ ବାତ୍ୟାକୁ ନେଇ ବର୍ତ୍ତମାନ ଓଡିଶା ପାଇଁ କୌଣସି ବିପଦ ସଙ୍କେତ ଜାରି କରାଯାଇନାହିଁ । ଏଥିପାଇଁ ଦକ୍ଷିଣ ଆଣ୍ଡାମାନ ନିକୋବର ଅଞ୍ଚଳ ପାଇଁ ସତର୍କତା ଜାରି ହୋଇଛି । ୫ ଦିନ ଯାଏ ରାଜ୍ୟରେ କୌଣସି ସତର୍କ ସୂଚନା ନାହିଁ । ୨ ତାରିଖ ଯାଏ ପାଗ ଶୁଖିଲା ରହିବ ରାଜ୍ୟରେ । ୩ ତାରିଖ ବେଳକୁ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।ସେପଟେ ଗତ ୨୪ ଘଣ୍ଟା ମାଲକାନଗିରି କନ୍ଧମାଳ ଓ କୋରାପୁଟ କିଛି ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ କୋରାପୁଟର ବୋରିଗାଁରେ ସର୍ବାଧିକ ୭.୮ ମି.ମି ବର୍ଷା ରେକର୍ଡ କରାଯାଇଛି ।

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ଆରମ୍ଭ:-

ଅନ୍ଯପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲଫ କମିଶନର (ଏସଆରସି) । ସେହିପରି ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଯେଉଁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରେ ଅଛନ୍ତି, ସେମାନେ ୧ ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ କୁହାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ କୌଣସି ସ୍ପଷ୍ଟ ବିବରଣୀ ମିଳିନାହିଁ । ଲଘୁଚାପ କ୍ଷେତ୍ରର ଗତିବିଧି ଉପରେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ ସତର୍କ ନଜର ରଖିଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରାରମ୍ଭିକ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୂଚନା ଅନୁଯାୟୀ, ଆସନ୍ତା ୩ ତାରିଖରେ ବାତ୍ୟା ଯୋଗୁଁ ଓଡ଼ିଶାର ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ୩ ତାରିଖରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ୪ ତାରିଖରେ ଏହାର ପ୍ରଭାବ ବୃଦ୍ଧି ପାଇବା ସହ ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି ।

ସମ୍ଭାବ୍ୟ ବାତ୍ୟା ଯୋଗୁଁ ସମୁଦ୍ର ଧୀରେ ଧୀରେ ଅଶାନ୍ତ ହେବାରେ ଲାଗିଛି । ଆସନ୍ତା ୧ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ପବନର ଘଣ୍ଟା ପ୍ରତି ବେଗ ୪୦-୫୦ କି.ମି ରହିବ । ଏହାର ଝଟକା ୬୦ କିମି ପହଞ୍ଚିବ । ୨ରେ ଏହା ବଢ଼ି ଘଣ୍ଟା ପ୍ରତି ୫୦-୬୦ ଓ ଝଟକା ପବନ ୭୦ କିମି ଛୁଇଁବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧ ତାରିଖରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଖୋର୍ଦ୍ଧା ସମେତ ଉପକୂଳବର୍ତ୍ତୀ ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଯାଇଛି । ମତ୍ସ୍ୟଜୀବୀମାନେ ଯେପରି ୧ ତାରିଖ ପରେ ସମୁଦ୍ର ମଧ୍ୟକୁ ନଯିବେ ଓ ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି, ସେମାନଙ୍କୁ ୧ ତାରିଖ ସୁଦ୍ଧା କୂଳକୁ ଫେରାଇ ଆଣିବାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.