ETV Bharat / state

Cyclone Jawad: ସାମ୍ଭାବ୍ୟ ବାତ୍ୟା ଜଓ୍ବାଦ ପାଇଁ ପ୍ରସ୍ତୁତି

author img

By

Published : Dec 3, 2021, 3:56 PM IST

Updated : Dec 3, 2021, 8:46 PM IST

ସାମ୍ଭାବ୍ୟ ବାତ୍ୟା ଜଓ୍ବାଦ ପାଇଁ ପ୍ରସ୍ତୁତି
ସାମ୍ଭାବ୍ୟ ବାତ୍ୟା ଜଓ୍ବାଦ ପାଇଁ ପ୍ରସ୍ତୁତି

20:37 December 03

ବାତ୍ୟା ପାଇଁ ପାରାଦୀପ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ବାତ୍ୟା ପାଇଁ ପାରାଦୀପ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଜଗତସିଂହପୁର : ସମ୍ଭାବ୍ୟ ବାତ୍ୟା 'ଜୱାଦ'କୁ ନେଇ ପାରାଦୀପ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପାରାଦୀପ ପୌର ପରିଷଦ ପକ୍ଷରୁ ବିଭିନ୍ନ ବସ୍ତି ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଉଛି। ପାରାଦ୍ୱୀପ ନୋଳିଆ ସାହିରୁ ଏକାଧିକ ଲୋକେ ଡଙ୍ଗ ନେଇ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିବା ବେଳେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ କୁଳକୁ ଫେରି ଆସିବାକୁ କୁହାଯାଇଛି। ସେହିପରି ବାତ୍ୟା ଦୁର୍ବଳ ନ ହେବା ପର୍ଯନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ପୌର ପ୍ରଶାସନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରୁ କାଚାଘରେ ରହୁଥିବା ବସ୍ତି ବାସିନ୍ଦା ଙ୍କୁ ସ୍ଥାନାନ୍ତରିତ କରାଯାଉଛି। ବାତ୍ୟା ଜୱାଦ, ପୁରୀ ରେ ସ୍ଥଳ ଭାଗ ଛୁଇଁବା ପରେ ଉପକୂଳ ଦେଇ ଗତି କରିବ।ଏହାର ପ୍ରଭାବରେ ପାରାଦ୍ୱୀପ ରେ ଅତିପ୍ରବଳ ବର୍ଷା ସାଙ୍ଗକୁ ପବନ ଓ ସମୁଦ୍ର ଅଶାନ୍ତ ରହିବ।ଏହାକୁ ଦୃଷ୍ଟିରେ ରଖି ପାରାଦ୍ୱୀପ ସମୁଦ୍ର କୂଳ କୁ ଯିବାକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

20:36 December 03

ଭଦ୍ରକରେ ପହଞ୍ଚିଲା ଏନଡିଆରଏଫ ସହ ଓଡ୍ରାଫ ଟିମ

ଭଦ୍ରକରେ ପହଞ୍ଚିଲା ଏନଡିଆରଏଫ ସହ ଓଡ୍ରାଫ ଟିମ

ଭଦ୍ରକ : ବାତ୍ୟା ଜୱାଦର ମୁକାବିଲା ପାଇଁ ଭଦ୍ରକ ଜ଼ିଲ୍ଲା ରେ ପହଞ୍ଚିଛି ଏନଡିଆରଏଫ ଓ ଓଡ୍ରାଫ ଟିମ। ଗୋଟିଏ ଏନଡ଼ିଆରଏଫ ଟିମକୁ ଧାମରା ଅଞ୍ଚଳକୁ ପଠାଯାଇ ସ୍ଥିତି ଉପରେ ନଜର ରଖି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଉ ଗୋଟିଏ ଓଡ୍ରାଫ ଟିମ ବାସୁଦେବପୁର ବ୍ଲକରେ ମୁତୟନ କରାଯାଇଛି। ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଟିମ ଗୁଡିକୁ ମୁତୟନ କରାଯାଇଛି। ସମସ୍ତ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତିରେ ପ୍ରସ୍ତୁତ ଥିବା ଏହି ଓଡ୍ରାଫ ଓ ଏନଡିଆରଏଫ ଟିମ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଲୋକ ମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଜିଲ୍ଲାପାଳ।

ଏହାସହ ଜ଼ିଲ୍ଲାରେ ଥିବା 9 ଗୋଟି ଅଗ୍ନିଶମ ଟିମ ଓ ରାଜ୍ୟରୁ ଆସିବାକୁ ଥିବା 13 ଗୋଟି ଟିମକୁ ମଧ୍ଯ ବିଭିନ୍ନ ଅଞ୍ଚଳକୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯିବ। ତେବେ ଆବଶ୍ୟକ ହେଲେ ସମୁଦ୍ର ଉପକୂଳରେ ଥିବା ବାସୁଦେବପୁର ବ୍ଲକର 17 ଗୋଟି ଗ୍ରାମ ଏବଂ ଚାନ୍ଦବାଲି ବ୍ଲକର 29 ଗୋଟି ଗ୍ରାମକୁ ମିଶାଇ ମୋଟ 46 ଗୋଟି ଗ୍ରାମର ଲୋକ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବ। ବର୍ଷା ଓ ପବନର ବେଗ ଜୋର ରହିଲେ ତଳିଆ ଅଞ୍ଚଳର ଲୋକ ମାନଙ୍କୁ ଜ଼ିଲ୍ଲାରେ ଥିବା 104 ଗୋଟି ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବାର ବ୍ୟବସ୍ଥା ହୋଇଥିବା ଜ଼ିଲ୍ଲାପାଳ କହିଛନ୍ତି।

ସେହିପରି ଭାବେ, ମସ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ନଯିବାପାଇଁ ସତର୍କ ସୂଚନା ଜାରି କରିବା ପରେ ସେମାନେ ଉପକୂଳକୁ ଫେରି ଆସିଛନ୍ତି। ତେବେ ଧାନ ଚାଷ ଅଧିକ ପ୍ରଭାବିତ ହେବାକୁ ଥିବାରୁ, ଚାଷୀ ମାନଙ୍କୁ ଧାନ ନକାଟିବା ଓ ଧାନ କାଟିଥିଲେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉଠାଇ ଆଣିବାକୁ ଜ଼ିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

19:26 December 03

ବାତ୍ୟା ଜୱାଦ ପାଇଁ ପ୍ରସ୍ତୁତ ପୁରୀ ପ୍ରଶାସନ

ବାତ୍ୟା ଜୱାଦ ପାଇଁ ପ୍ରସ୍ତୁତ ପୁରୀ ପ୍ରଶାସନ

ପୁରୀ: ବାତ୍ୟା ଜୱାଦକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତ ଆରମ୍ଭ କରିଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଭର୍ଚ୍ୟୁଆଲ ମାଧ୍ୟମରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ଥିବା ୧୭୦ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଓ ପ୍ରାୟ ୪୦୦ଟି ସ୍କୁଲ ଓ କମ୍ୟୁନିଟ ହଲରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି । ସମସ୍ତ ଆଶ୍ରୟସ୍ଥଳୀରେ ସାନିଟାଇଜର, ମାସ୍କ, ପାନୀୟ ଜଳ, ଆଲୋକ ଓ ଜେନେରେଟର ବ୍ୟବସ୍ଥା କରାଯାଇଛି । ଚୁଡା, ଗୁଡ, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ହୋଇ ରହିଛି । ଆବଶ୍ୟକ ସ୍ଥଳେ ନିରବଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

19:25 December 03

ଗଜପତି ଜିଲ୍ଲା ପ୍ରଶାସନର ବାତ୍ୟା ପ୍ରସ୍ତୁତି

ଗଜପତି ଜିଲ୍ଲା ପ୍ରଶାସନର ବାତ୍ୟା ପ୍ରସ୍ତୁତି

ଗଜପତି: ମାଡି ଆସୁଛି ବାତ୍ୟା ଜୱାଦ । ଏହା ଧିରେ ଧିରେ ସ୍ଥଳ ଭାଗ ମୁହାଁ ହୋଇଥିବା ବେଳେ ଗତ ଶନିବାର ମଧ୍ୟରାତ୍ରରେ ପୁରୀ ଠାରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ହେଲେ ବାତ୍ୟା ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳ ଦେଇ ଅତିକ୍ରମ କରୁଥିବାରୁ ଶୁକ୍ରବାର ସକାଳ ଠାରୁ ଗଜପତି ଜିଲ୍ଲାର ପାଗ ମେଘୁଆ ରହିଛି । ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇ ମଧ୍ୟରାତ୍ର ବେଳକୁ ଏହାର ପରିମାଣ ବୃଦ୍ଧି ପାଇବ । ଏପରିକି ଶନିବାର ସକାଳ ଠାରୁ ପ୍ରବଳ ବର୍ଷା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରଥମ ଥର ପାଇଁ ଗଜପତି ଜିଲ୍ଲାର ଲୋକେ ଡିସେମ୍ବର ମାସରେ ବାତ୍ୟାକୁ ସାମ୍ନା କରିବେ । ପାଚିଲା ଧାନ କେଣ୍ଡା ଜମିରେ ରହିଥିବା ବେଳେ କିଛି କିଛି କଟା ହୋଇଛି । ଏବଂ ଆଉ କିଛି ଖୋଲା ଆକାଶ ତଳେ ପଡି ରହିଛି । ଏଭଳି ସ୍ଥିତିରେ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଖବର ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଇଛି । ସେପଟେ, ସ୍ଥିତିର ସମୀକ୍ଷା ସହ ପରିସ୍ଥିତିର ମୁକାବିଲା ପାଇଁ ଉଭୟ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଜିଲ୍ଲାର ସମସ୍ତ ୭ଟି ବ୍ଲକ ପାଇଁ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ ,ଇଟିଭି ଭରତ

19:24 December 03

ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ପ୍ରସ୍ତୁତି

ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟା ଜୱାଦକୁ ଆଖି ଆଗରେ ରଖି ପାରାଦ୍ୱୀପ ବନ୍ଦର ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବାତ୍ୟାର 24 ଘଣ୍ଟା ପୂର୍ବରୁ ବନ୍ଦର ନିଷେଧାଞ୍ଚଳରୁ ସମସ୍ତ ଜାହାଜକୁ ପଠାଇ ଦିଆଯିବ । ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ବନ୍ଦର ପ୍ରଶାସନ ପକ୍ଷରୁ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯିବା ସହ 5ଟି ବାତ୍ୟା ଆଶ୍ରୟ ସ୍ଥଳକୁ ପ୍ରସ୍ତୁତ କରି ରଖାଯାଇଛି । ଆମ୍ବୁଲାନ୍ସ ସେବା ,ପାନୀୟ ଜଳ ଯୋଗାଣ, ଶୁଖିଲା ଖାଦ୍ୟ, ଆଦି ବନ୍ଦର ପକ୍ଷରୁ ପ୍ରସ୍ତୁତ ଥିବା ବେଳେ ରାସ୍ତା ଅବରୋଧ ହଟାଇବା ପାଇଁ ଜେସିବି ମେସିନ ସହିତ ଗଛକଟା ମେସିନ ସହ କର୍ମଚାରୀ ନିୟୋଜିତ ରହିଛନ୍ତି । ସେହିଭଳି ସହରରେ ଲାଗିଥିବା ସମସ୍ତ ହାଇମାଷ୍ଟ ଲାଇଟ ଗୁଡିକ ଖୋଲି ଦିଆଯିବ । ବିଦେଶରୁ ଆସୁଥିବା ଜାହାଜ ଗୁଡିକ ବାତ୍ୟା ସମୟରେ ଗଭୀର ସମୁଦ୍ରରେ ରହିବାକୁ କୁହାଯାଇଛି । ବାତ୍ୟା ଦୁର୍ବଳ ନ ହେବ ପର୍ଯ୍ୟନ୍ତ ବନ୍ଦରର କାର୍ଯ୍ୟ ବନ୍ଦ ରହିବାକୁ ବନ୍ଦର ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନନ୍ଦ ସୂଚନା ଦେଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

16:16 December 03

କୋରାପୁଟରେ ସାମ୍ଭାବ୍ୟ ବାତ୍ଯାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

କୋରାପୁଟରେ ସାମ୍ଭାବ୍ୟ ବାତ୍ଯାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

କୋରାପୁଟ: ଜିଲ୍ଲାରେ ସାମ୍ଭାବ୍ୟ ବାତ୍ଯାକୁ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ କୋରାପୁଟ ଉପଖଣ୍ଡରେ ଭୂ-ସ୍ଖଳନ ହେବାର ସମ୍ଭାବନା ଥିବା ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖିବା ପାଇଁ ସମ୍ପୃକ୍ତ ବ୍ଲକର ଅଧିକାରୀଙ୍କୁ ସତର୍କ କରି ଦିଆଯାଇଛି ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ଏଥି ସହିତ ଚାଷ ଜମି ଗୁଡିକ ଜଳମଗ୍ନ ହେବାର ସମ୍ଭାବନା ଥିବା ଅଞ୍ଚଳରେ ଫସଲର ସୁରକ୍ଷା ଦିଗରେ ସମସ୍ତ ପ୍ରସ୍ତୁତି ସରିଥିବା ସେ ଜଣାଇଛନ୍ତି । ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ପବନର ବେଗ ଅପେକ୍ଷା ବର୍ଷାର ପ୍ରକୋପ ଅଧିକ ଥିବା ସମ୍ଭାବନାକୁ ଆଖିରେ ରଖି ଗତ ବାତ୍ୟା ସମୟରେ ପ୍ରଭାବିତ ଅଞ୍ଚଳରେ ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

15:32 December 03

ବାତ୍ୟା ପାଇଁ ଜରୁରୀ ବୈଠକ

ବାତ୍ୟା ପାଇଁ ଜରୁରୀ ବୈଠକ

ଭଦ୍ରକ : ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଜୱାଦର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ସତର୍କତା ମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ସେହି ଅନୁଯାୟୀ ବରିଷ୍ଠ ଅଧିକାରୀମାନଙ୍କୁ ସମୁଦ୍ର ଉପକୂଳବର୍ତ୍ତି କୁହା ଯାଉଥିବା ଧାମରା, ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳକୁ ପଠାଯାଇଛି। 4 ରୁ 5 ତାରିଖ ସକାଳ ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି 5 ତାରିଖ ସକାଳୁ 6 ତାରିଖ ସକାଳ ପର୍ଯ୍ୟନ୍ତ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ,ଆଜି ମଧ୍ଯ ରାତ୍ରିରୁ 45 ରୁ 70 କିଲୋମିଟର ଓ ଭଦ୍ରକ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ 90 କିଲୋ ମିଟର ପର୍ଯ୍ୟନ୍ତ ପବନ ବହିପାରେ । ତେଣୁ ଏହାର ମୁକାବିଲା କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

15:11 December 03

ବାତ୍ୟା ମୁକାବିଲା ପାଇଁ ଖୋର୍ଦ୍ଧାରେ ଏନଡିଆରଏଫ ଟିମ

ବାତ୍ୟା ମୁକାବିଲା ପାଇଁ ଖୋର୍ଦ୍ଧାରେ ଏନଡିଆରଏଫ ଟିମ

ଖୋର୍ଦ୍ଧା : ଜିଲ୍ଲା ପ୍ରଶାସନର ସାମ୍ଭାବ୍ୟ ବାତ୍ୟା ଜଓ୍ବାଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶୁକ୍ରବାର ଖୋର୍ଦ୍ଧାରେ ଏନଡିଆରଏଫର 2ଟି ଟିମ ପହଞ୍ଚି ଛନ୍ତି। ଇନ୍ସପେକ୍ଟର ଏସ କେ ପ୍ରସାଦଙ୍କ ନେତୃତ୍ବ ରେ ଆସିଥିବା ଟିମ 42ଜଣ ସଦସ୍ଯ ରହିଛନ୍ତି। ଗୋଟିଏ ଟିମ ଟାଙ୍ଗି ଏବଂ ଅନ୍ୟଟି ଚିଲିକା ବ୍ଲକରେ ମୁତୟନ ରହିବେ। ଏନଡିଆରଏଫ ପକ୍ଷରୁ ଅତ୍ଯାଧୁନିକ ଯନ୍ତ୍ରପାତି, ଉପକରଣ ମହଜୁଦ ରହିଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated :Dec 3, 2021, 8:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.