ETV Bharat / state

'ପ୍ରତିଶ୍ରୁତି ପରେ ଧର୍ମଘଟ ବେଆଇନ', ଆନ୍ଦୋଳନରୁ ଓହରିବାକୁ ଡ୍ରାଇଭରଙ୍କୁ ସିଏସ ଓ ଡିଜିଙ୍କ ଅନୁରୋଧ

author img

By

Published : Mar 17, 2023, 5:22 PM IST

ଆନ୍ଦୋଳନରୁ ଓହରିବାକୁ ଡ୍ରାଇଭରଙ୍କୁ ସିଏସ ଓ ଡିଜିଙ୍କ ଅନୁରୋଧ
ଆନ୍ଦୋଳନରୁ ଓହରିବାକୁ ଡ୍ରାଇଭରଙ୍କୁ ସିଏସ ଓ ଡିଜିଙ୍କ ଅନୁରୋଧ

ଦାବି ପୂରଣ ନେଇ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ ଅନେକ ସ୍ଥାନରେ ଆନ୍ଦୋଳନ ଜାରି ରଖିଛି ଡ୍ରାଇଭର ମହାସଂଘ । ତେବେ ଧର୍ମଘଟ ପ୍ରତ୍ୟାହୃତ କରିବା ପାଇଁ ଡ୍ରାଇଭରଙ୍କୁ ଅନୁରୋଧ କଲେ ସିଏସ ଓ ଡିଜି । ଧର୍ମଘଟ ପ୍ରତ୍ୟାହୃତ ନକଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୋଲିସ ଡିଜି ସୁନୀଲ ବଂଶଲ । ଅଧିକ ପଢ଼ନ୍ତୁ

ଆନ୍ଦୋଳନରୁ ଓହରିବାକୁ ଡ୍ରାଇଭରଙ୍କୁ ସିଏସ ଓ ଡିଜିଙ୍କ ଅନୁରୋଧ

ଭୁବନେଶ୍ବର: 10 ଦଫା ଦାବି ନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଚାଲିଥିବା ଧର୍ମଘଟ ଆଜି ମଧ୍ୟ ଅନେକ ସ୍ଥାନରେ ଜାରି ରହିଛି । 3 ମାସ ମଧ୍ୟରେ ଦାବି ପୂରଣ ନେଇ ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତିକୁ ଅଣଦେଖା କରିଛି ମହାସଂଘ । ଦାବି ପୂରଣ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇ ଆନ୍ଦୋଳନ ଜାରି ରଖିଛନ୍ତି ଡ୍ରାଇଭର । ସେପଟେ ଏନେଇ କଠୋର ହୋଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ପରେ ଧର୍ମଘଟ ଜାରି ରଖିବା ବେଆଇନ । ଧର୍ମଘଟ ପ୍ରତ୍ୟାହୃତ ନକଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୋଲିସ ଡିଜି ସୁନୀଲ ବଂଶଲ ।

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, "10 ଦଫା ଦାବି ନେଇ ଡ୍ରାଇଭର ମହାମଞ୍ଚ ଧର୍ମଘଟ ଡାକରା ଦେଇଥିଲା । 2 ଦିନ ହେଲା ଧର୍ମଘଟ ଜାରି ରହିଛି । ଧର୍ମଘଟ ଯୋଗୁଁ ରାଜ୍ୟବାସୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଧର୍ମଘଟ ପ୍ରତ୍ୟାହୃତ କରିବା ପାଇଁ ସରକାର ଓ ଡ୍ରାଇଭର ମହାସଂଘ ମଧ୍ୟରେ ପର୍ଯ୍ୟାୟକ୍ରମେ ଆଲୋଚନା ହୋଇଛି । ଆଲୋଚନା ବେଳେ ଡ୍ରାଇଭର ମହାସଂଘର ଯଥାର୍ଥ ଦାବିକୁ ସହୃଦୟତାର ସହ ବିଚାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ମୁଁ ଡ୍ରାଇଭର ମହାସଂଘ ସହିତ ଆଲୋଚନା କରିଛି । ସକରାତ୍ମକ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 3 ମାସ ମଧ୍ୟରେ ଯଥାର୍ଥ ଦାବି ପୂରଣ ନେଇ ମୁଁ ଡ୍ରାଇଭର ମହାସଂଘକୁ ପ୍ରତିଶ୍ରୁତି ଦେଇଛି । ନିର୍ଭର ପ୍ରତିଶ୍ରୁତି ଲିଖିତ ଭାବେ ଦିଆଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ସରକାରଙ୍କ ଲିଖିତ ପ୍ରତିଶ୍ରୁତିର ଘଣ୍ଟାଏ ମଧ୍ୟରେ ଆନ୍ଦୋଳନ ପ୍ରତ୍ୟାହୃତ ନେଇ ସକରାତ୍ମକ ନିଷ୍ପତ୍ତି ଜଣାଇବେ ବୋଲି ମହାସଂଘ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଆଜି ମଧ୍ୟ କିଛି ସ୍ଥାନରେ ଧର୍ମଘଟ ଚାଲୁ ରହିଥିବା ଦେଖିବାକୁ ମିଳିଛି । ଏହି ଧର୍ମଘଟ ଏମିତି ଏକ ସମୟରେ ହୋଇଛି, ଯେତେବେଳେ ଛାତ୍ରଛାତ୍ରୀଙ୍କର ମାଟ୍ରିକ, ଯୁକ୍ତ 2 ଓ ପଲିଟେକ୍ନିକ ପରୀକ୍ଷା ଚାଲିଛି । ଏହି ଧର୍ମଘଟ ଯୋଗୁଁ ଠିକ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରିବା ନେଇ ପିଲାମାନଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଏହାଦ୍ଵାରା ସେମାନଙ୍କ ମନରେ ମାନସିକ ଚାପ ବୃଦ୍ଧି ପାଇଛି । ଏହି ମାନସିକ ଚାପ ସେମାନଙ୍କ ସଫଳତାକୁ ପ୍ରଭାବିତ କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।"

ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହା ସତ୍ତ୍ବେ କେତେକ ସ୍ଥାନରେ ରାସ୍ତା ଅବରୋଧ ହୋଇଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି ସିଏସ୍‌ ପ୍ରଦୀପ ଜେନା । ସେ କହିଛନ୍ତି, "ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । କିଛି ରୋଗୀ ମଧ୍ୟ ଠିକ ସମୟରେ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି । ତା ସହିତ ଅତ୍ୟାବଶ୍ୟକ ସାମଗ୍ରୀ ପରିଚାଳନାରେ ସମସ୍ୟା ହୋଇଛି । ସରକାର ସକରାତ୍ମକ ଦୃଷ୍ଟି ନେଇ ଡ୍ରାଇଭର ମହାସଂଘ ସହିତ ଆଲୋଚନା କରିଛନ୍ତି । ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଦାବି ସମାଧାନ କରିବା ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ସାରା ଦେଶରେ 3ଟି ରାଜ୍ୟ ଡ୍ରାଇଭରଙ୍କ ସମସ୍ୟାକୁ କିଛି ମାତ୍ରାରେ ସମାଧାନ କରିଛନ୍ତି । ଆମ ରାଜ୍ୟରେ ଡ୍ରାଇଭରଙ୍କର ଯାହା ଦାବି ରହିଛି, ତାହା ଅନୁଶୀଳନ କରି 3 ମାସ ମଧ୍ୟରେ ସମାଧାନର ବାଟ ବାହାର କରିବୁ । ରାଜ୍ୟ ସରକାରଙ୍କ ତରଫରୁ ପ୍ରତିଶ୍ରୁତି ଦେବା ପରେ ଏହି ଧର୍ମଘଟ ଜାରି ରହିବ ନାହିଁ ବୋଲି ବିଶ୍ଵାସ ଥିଲା ।"

ତେବେ ମୁଖ୍ୟ ଶାସନ ସଚିବ ଅନୁରୋଧ କରି କହିଛନ୍ତି, "ଜନସାଧାରଣଙ୍କୁ ଅସୁବିଧାରେ ନପକାଇ, ସରକାରଙ୍କ ପ୍ରତିଶୃତିକୁ ସମ୍ମାନ ଜଣାଇ ଡ୍ରାଇଭର ମହାସଂଘ ଧର୍ମଘଟରୁ କ୍ଷାନ୍ତ ରୁହନ୍ତୁ । ଆଉ କୌଣସି ସ୍ଥାନରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରନ୍ତୁ । ଆନ୍ଦୋଳନ ଓ ଧର୍ମଘଟ କରିବାର ଅଧିକାର ସମସ୍ତଙ୍କର ଅଛି । ଧର୍ମଘଟ ନାଁରେ ଆଇନକୁ ହାତକୁ ନେବା ନିଶ୍ଚିତ ଭାବେ ଗ୍ରହଣୀୟ ନୁହେଁ । ଧନସମ୍ପତ୍ତି ନଷ୍ଟ କରିବା, କୌଣସି ବ୍ୟକ୍ତିଙ୍କୁ ଆଘାତ କରିବା ଆଦୌ ଠିକ ନୁହେଁ । ଡ୍ରାଇଭର ମହାସଂଘର ଆନ୍ଦୋଳନରେ ଅଣଡ୍ରାଇଭର ମଧ୍ୟ ସାମିଲ ହୋଇଥିବା ନେଇ ଅଭିଯୋଗ ଆସୁଛି । ଯେଉଁମାନଙ୍କର ଉଦ୍ଦେଶ୍ୟ ଡ୍ରାଇଭରଙ୍କ ଦାବି ପ୍ରତି ସମର୍ଥନ ଜଣାଇବା ନୁହେଁ । ଏହି ମୌକାରେ ଏହାକୁ ଆଳ କରି କିଛି ହିଂସା ବା ଅଘଟଣ ଘଟାଇବା । ତାହା ପ୍ରତି ମଧ୍ୟ ଡ୍ରାଇଭର ମହାସଂଘ ସଚେତନ ରହିବା ଦରକାର ।" ରାଜ୍ୟର ବହୁବିଧ ସ୍ବାର୍ଥ ଦୃଷ୍ଟିରୁ ଡ୍ରାଇଭର ମହାସଂଘ ଆନ୍ଦୋଳନରୁ ଓହରିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।

ସେହିପରି ପୋଲିସ ଡିଜି ସୁନୀଲ ବଂଶଲ କହିଛନ୍ତି, "ଡ୍ରାଇଭରଙ୍କ ଦାବି ସମାଧାନ କରିବା ସମ୍ପର୍କରେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ଆନ୍ଦୋଳନ ଜାରି ରଖିବାର ପ୍ରାସଙ୍ଗିକତା ଆଉ ରହିନାହିଁ । ରାଜ୍ୟ ସରକାରଙ୍କ ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନ କରିବା ବେଆଇନ । ଗତକାଲି କିଛି ସ୍ଥାନରେ ଆନ୍ଦୋଳନକାରୀ ଆଇନକୁ ହାତକୁ ନେଇଛନ୍ତି । ପୋଲିସ ଉପରେ ଆକ୍ରମଣ କରିଛନ୍ତି । ସେଥିପାଇଁ ପୋଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇଛି । କିଛି ସ୍ଥାନରେ ଧାରଣା ପ୍ରତ୍ୟାହୃତ ହୋଇଛି । ଆଉ କିଛି ସ୍ଥାନରେ ଆନ୍ଦୋଳନକାରୀ ବସିଛନ୍ତି । ତାହାଲେ ପୋଲିସ ବାଧ୍ୟ ହୋଇ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କାହାକୁ ବି ଆଇନକୁ ହାତକୁ ନେବାକୁ ଦିଆଯିବନାହିଁ ।" ରାଜ୍ୟରେ ଆଇନ ଓ ଶାନ୍ତିଶୃଙ୍ଖଳାକୁ ବ୍ୟାଘାତ ହେବାକୁ ଦିଆଯିବନାହିଁ ବୋଲି ଦୃଢ଼ ଭାବେ କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.