ETV Bharat / state

ଓଡିଶା ଆସିବେ ରାହୁଲ, କଂଗ୍ରେସ ପ୍ରସ୍ତୁତ କରୁଛି ବ୍ଲ୍ୟୁ ପ୍ରିଣ୍ଟ

author img

By ETV Bharat Odisha Team

Published : Nov 13, 2023, 8:19 PM IST

ଓଡିଶା ଆସିବେ ରାହୁଲ
ଓଡିଶା ଆସିବେ ରାହୁଲ

Rahul Gandhi to visit Odisha: ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସ କର୍ମୀ ଓ ନେତାଙ୍କ ମନୋବଳ ବୃଦ୍ଧି କରିବାକୁ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଏନେଇ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ଓଡିଶା ଆସିବେ ରାହୁଲ

ଭୁବନେଶ୍ବର: ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ନଭେମ୍ବର ଶେଷ ସପ୍ତାହରୁ ଡିସେମ୍ବର ୧୫ ଭିତରେ ଓଡ଼ିଶା ଗସ୍ତରେ ଆସିବେ ରାହୁଲ । ଭୁବନେଶ୍ବରରେ ଆୟୋଜନ ହେବ ବିଶାଳ ସମାବେଶ । ସାରା ରାଜ୍ୟରେ କଂଗ୍ରେସ କର୍ମୀ ଓ ନେତାଙ୍କ ମନୋବଳ ବୃଦ୍ଧି କରିବାକୁ ରାହୁଲଙ୍କ ଏହି ଗସ୍ତ ସହାୟକ ହେବ ବୋଲି ରାଜନୀତି ସମୀକ୍ଷକ ମହଲରେ ଚର୍ଚ୍ଚା ହେଉଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଦୀର୍ଘ ୨୩ ବର୍ଷ ଧରି କ୍ଷମତାରୁ ଦୂରରେ ଥିବା ରାଜ୍ୟ କଂଗ୍ରେସ ଏବେ କ୍ଷମତା ହାତେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି । ମତାନ୍ତର ଓ ମନାନ୍ତର ଭୁଲି ନେତାଙ୍କୁ ଏକାଠି କରି ଦଳକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି । ଏଭଳି ସ୍ଥିତିରେ ରାହୁଲ ଗାନ୍ଧୀଙ୍କ ଗସ୍ତ ଦଳ ପାଇଁ ସଞ୍ଜିବନୀ ଭଳି କାମ ଦେବ ବୋଲି ଚର୍ଚ୍ଚା ହେଉଛି । ତେବେ ରାହୁଲଙ୍କ ଗସ୍ତ ନେଇ ତାରିଖ ଚୂଡ଼ାନ୍ତ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ନିର୍ବାଚନ ପୂର୍ବରୁ ବିଜେଡି ନବୀନଙ୍କ ଭାବମୂର୍ତ୍ତି ଏବଂ ଲୋକାଭିମୁଖୀ ଶାସନକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଛି । ବିଜେପି ମଧ୍ୟ କେନ୍ଦ୍ରୀୟ ନେତାଙ୍କୁ ଘନ ଘନ ଓଡ଼ିଶା ଆଣି ମୋଦିଙ୍କ ସୁଶାସନ ବଖାଣି ଲୋକଙ୍କ ବିଶ୍ବାସ ଜିତିବାକୁ ପ୍ରୟାସ କରୁଛି । ଏହି ରେସ୍‌ରେ ପଛରେ ପଡ଼ିନି କଂଗ୍ରେସ । ନିର୍ବାଚନ ପୂର୍ବରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ଦଳ । ଦଳର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କ ସ୍ବଚ୍ଛ ଚେହେରାକୁ ନେଇ ଓଡିଶାବାସୀଙ୍କ ସମର୍ଥନ ପାଇବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ । ରାହୁଲଙ୍କୁ ଓଡିଶା ଆଣି ଦଳ ଲୋକଙ୍କ ପାଖରେ ବିଜେଡି ଓ ବିଜେପିର ବିକଳ୍ପ ଭାବେ ପ୍ରକାଶ କରିବାକୁ ବ୍ଲ୍ୟୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଛି । ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରହିଛି । ନଭେମ୍ବର ମାସର ଶେଷ ସପ୍ତାହରୁ ଡିସେମ୍ବର ମାସ ୧୫ ତାରିଖ ମଧ୍ୟରେ ରାହୁଲ ଓଡିଶା ଆସିବା ନେଇ ଆଲୋଚନା ହୋଇଥିବା ଜଣା ପଡ଼ିଛି । ଏଆଇସିସି ଏହି ଗସ୍ତ ସୂଚୀ ଧାର୍ଯ୍ୟ କରିବ ।

ଏହା ମଧ୍ୟ ପଢ଼ନ୍ତୁ...ଆସନ୍ତା ୧୬ରେ କଂଗ୍ରେସର ମହାମିଶ୍ରଣ ପର୍ବ, ହାତ ଧରିବେ ହେଭିୱେଟ୍ !

ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ 'ଘର ଘର ହାତ' କାର୍ଯ୍ୟକ୍ରମ ସଫଳ ହୋଇଛି । ଏହାପରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ଭୁବନେଶ୍ବରରେ ହେବ । ପ୍ରତି ବୁଥ୍‌ରୁ କଂଗ୍ରେସ କାର୍ଯ୍ୟକର୍ତ୍ତା ଆସିବେ । ପ୍ରାୟ ୨ ଲକ୍ଷ ଲୋକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ । ଏକ ବଡ଼ ସମାବେଶ କରି ଆମେ ୨୦୨୪ ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.