ETV Bharat / state

ବିଜେଡି-ବିଜେପି ରାଜ୍ୟରେ କଳି, ଦିଲ୍ଲୀରେ କୋଳାକୋଳି: ତାରା

author img

By

Published : May 12, 2023, 8:20 PM IST

Updated : May 12, 2023, 9:58 PM IST

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରି ଯିବାପରେ ତୁରନ୍ତ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ନବୀନ ପଟ୍ଟନାୟକ । ଏଠାରେ ତୃତୀୟ ସାମ୍ମୁଖ୍ୟ ସହ ଆମେ ନାହୁଁ ବୋଲି କହିବା ନବୀନଙ୍କ ମୋଦୀ ପ୍ରୀତିକୁ ପଦାରେ ପକାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

ନବୀନ-ମୋଦିଙ୍କ ଭେଟଘାଟ ନେଇ କଂଗ୍ରେସର ପ୍ରତିକ୍ରିୟା
ନବୀନ-ମୋଦିଙ୍କ ଭେଟଘାଟ ନେଇ କଂଗ୍ରେସର ପ୍ରତିକ୍ରିୟା

ନବୀନ-ମୋଦିଙ୍କ ଭେଟଘାଟ ନେଇ କଂଗ୍ରେସର ପ୍ରତିକ୍ରିୟା

ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଛନ୍ତି । ପୁରୀରେ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନେଇ ଦାବି ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ନବୀନ ଗଣମାଧ୍ୟମକୁ କହିଥିଲେ । ଏଠାରେ ବିଜେଡି ତୃତୀୟ ସାସାମ୍ମୁଖ୍ୟରେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନବୀନ । ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ତୁରନ୍ତ ଦିଲ୍ଲୀ ଯାଇ ମୋଦୀଙ୍କୁ ଭେଟିବା ଓ ପରେ ତୃତୀୟ ସାମ୍ମୁଖ୍ୟ ସହ ଆମେ ନାହୁଁ ବୋଲି କହିବା ନବୀନଙ୍କ ମୋଦୀ ପ୍ରୀତିକୁ ପଦାରେ ପକାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ନବୀନଙ୍କ ସମଦୂରତା ଉପାଖ୍ୟାନକୁ ମନେ ପକାଇବା ସହ ବିଜେଡିକୁ CBI ଏବଂ ED ଭୟ ଘାରିଛି ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି ଅଭିଯୋଗ କରିଛନ୍ତି ।

ତାରା କହିଛନ୍ତି, "ନବୀନ ବାବୁ ନୀତିଶ କୁମାରଙ୍କୁ ଭେଟିବା ପରେ ବିଜେପି କଟାକ୍ଷ କରିବାରୁ ନବୀନ ବାବୁ ଦିଲ୍ଲୀ ଧାଇଁଲେ । ବିଜୁ ଜନତା ଦଳ ଚାଲୁଣି । ତାଙ୍କର ଲକ୍ଷେ ଭୁଲ ରହିଛି । ଅନ୍ୟ ରାଜ୍ୟରେ ଯେପରି ED ଓ CBI ଚଢ଼ାଉ କରୁଛି, ଏଠାକୁ ଆସୁନି । ଯଦି ନବୀନ ତୃତୀୟ ସମୁଖ୍ୟକୁ ଯିବେ, ତା ପରେ ED ଏବଂ CBIର ଚଢ଼ାଉ ହେବାର ଭୟ ରହୁଛି । ତେଣୁ ବିଜେପି ଓ ବିଜେଡି ଏଠି କଳି ଲାଗୁଛନ୍ତି, ସେଠି କୋଳାକୋଳି ହେଉଛନ୍ତି ।" ତେବେ ବିଜେଡି କେବେ ତୃତୀୟ ସାମୁଖ୍ୟକୁ ଯିବନାହିଁ ବୋଲି ତାରା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ପାଇଁ ସମଦୂରତା ସ୍ପଷ୍ଟ ନୀତି, ବିକାଶ ଆଭିମୁଖ୍ୟ ସ୍ପଷ୍ଟ ଲକ୍ଷ୍ୟ: ଦେବୀ

ପୂର୍ବରୁ ନବୀନଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭେଟିଛନ୍ତି । କେନ୍ଦ୍ରରେ ମୋଦୀ ସରକାର ପ୍ରତି ବିଜେପି ବିରୋଧି ଆଭିମୁଖ୍ୟ ପୋଷଣ କରିବାକୁ ପ୍ରୟାସ ନବୀନଙ୍କ କ୍ଷେତ୍ରରେ କାମ ଦେଇନି । ନବୀନ ଯଦିଓ ସମଦୂରତ୍ବ କଥା କହି ଆସିଛନ୍ତି, ହେଲେ ସଂସଦରେ ବିଜେପିକୁ ସମସ୍ତ ବିଲ ପାସ କରିବା ପାଇଁ ସହଯୋଗ କରିଛି ବିଜେଡି । ତେବେ ସବୁ କଥାରେ ବିଜେପି ଓ ବିଜେଡି ତାଳଦେଇ ଚାଲିଛନ୍ତି । ଯଦିଓ କେନ୍ଦ୍ରରେ ବିଜେଡି ଏନଡିଏର ସହଯୋଗୀ ନାହିଁ, ତଥାପି ସବୁ କ୍ଷେତ୍ରରେ ମୋଦିଙ୍କୁ ସହାୟତାର ହାତ ବଢାଇଛନ୍ତି ନବୀନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 12, 2023, 9:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.