ETV Bharat / state

Jharsuguda By Poll: ସରିଲା ମତଦାନ, କଂଗ୍ରେସ ଜିତିବା ନେଇ ସୁରଙ୍କ ଦୃଢ଼ୋକ୍ତି

author img

By

Published : May 10, 2023, 6:12 PM IST

Updated : May 10, 2023, 10:55 PM IST

ଝାରସୁଗୁଡ଼ାରେ କଂଗ୍ରେସ ଜିତିବା ନେଇ ସୁରଙ୍କ ଦୃଢ଼ୋକ୍ତି
ଝାରସୁଗୁଡ଼ାରେ କଂଗ୍ରେସ ଜିତିବା ନେଇ ସୁରଙ୍କ ଦୃଢ଼ୋକ୍ତି

ସରିଲା ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ । EVM ମେସିନରେ ସିଲ ହୋଇଛି ବିଜେଡି, ବିଜେପି ଓ କଂଗ୍ରେସ ସମେତ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ୧୩ ତାରିଖରେ ନିର୍ବାଚନ ଫଳାଫଳ ବାହାରିବାକୁ ଥିବା ବେଳେ ଏଥିରେ କଂଗ୍ରେସ ୩ରୁ ୪ ହଜାର ଭୋଟରେ ବିଜୟ ଲାଭ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ାରେ କଂଗ୍ରେସ ଜିତିବା ନେଇ ସୁରଙ୍କ ଦୃଢ଼ୋକ୍ତି

ଝାରସୁଗୁଡ଼ା: ସରିଛି ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଛନ୍ତି ଝାରସୁଗୁଡାବାସୀ । ଝାରସୁଗୁଡାର ସାମୁହିକ ବିକାଶ ପାଇଁ ଉପଯୁକ୍ତ ପ୍ରାର୍ଥୀକୁ ଭୋଟ ଦେଇଛନ୍ତି ଭୋଟର । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ସମେତ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଝାରସୁଗୁଡାବାସୀ । ତେବେ କିଏ ହେବ ଝାରସୁଗୁଡାର ପରବର୍ତ୍ତୀ ବିଧାୟକ, ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ାରେ କଂଗ୍ରେସ ୩ରୁ ୪ ହଜାର ଭୋଟରେ ବିଜୟ ହାସଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ପୂର୍ବରୁ ଦୀର୍ଘବର୍ଷ ହେବ କଂଗ୍ରେସ ହାତରେ ରହିଥିଲା ଝାରସୁଗୁଡ଼ା । ତେବେ ୨୦୧୪ରୁ ନବ ଦାସ କଂଗ୍ରେସ ଛାଡ଼ି ବିଜେଡି ଟିକେଟରୁ ଲଢ଼ି ଦୁଇ ଦୁଇଥର ବିପୁଳ ସଂଖ୍ୟାରେ ଜନମତ ହାସଲ କରିଥିଲେ । ଝାରସୁଗୁଡା ଜିଲ୍ଲା ରାଜନୀତିରେ ପୂର୍ବରୁ ନିଜର ଗୁରୁତ୍ବ ରଖି ଆସୁଥିବା କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ନବ ଦାସ ଖାଲି ଝାରସୁଗୁଡା ଜିଲ୍ଲା ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶାରେ ନିଜର ଆଧିପତ୍ୟ ବିସ୍ତାର କରି ଚାଲିଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ଆଜି ଝାରସୁଗୁଡା ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜେଡିରୁ ନବ ଦାସଙ୍କ ଝିଅ ଦୀପାଳି ଦାସ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପୂର୍ବତନ ବିଧାୟକ ସ୍ବର୍ଗତ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି । ଟଙ୍କଧର ତ୍ରିପାଠୀ ବିଜେପି ଯୋଦ୍ଧା ଭାବେ ମୈଦାନକୁ ଓହ୍ଲାଇଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଶେଷ ହୋଇଛି । ସମସ୍ତ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି ଇଭିଏମ ମେସିନରେ ।

ତେବେ ଶାସକ ବିଜେଡି କହିଛି ବିଜେଡି ବହୁ ଭୋଟ ବ୍ୟବଧାନରେ ଜିତିବ । ବିଜେପି ମଧ୍ୟ ଲୋକଙ୍କ ସମର୍ଥନ ପାଇବା ପାଇଁ ଆଶାବାଦୀ ରହିଛି । ସେପଟେ ତରୁଣ ପାଣ୍ଡେଙ୍କ ସପକ୍ଷରେ ଲୋକେ ଭୋଟ ଦେଇଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "କଂଗ୍ରେସ ହାରିବାର ପ୍ରଶ୍ନ ଉଠୁନି । କଂଗ୍ରେସ ସପକ୍ଷରେ ଭଲ ଭୋଟ ପଡୁଛି । ବିଜେଡି ଓ ବିଜେପି ଅମାପ ଅର୍ଥ ବ୍ୟୟ କରିଛନ୍ତି । ହେଲେ ଲୋକଙ୍କ ମତ ପରିବର୍ତ୍ତନ ହେବ । କଂଗ୍ରେସ ଜିତିବ, ବିଜେଡି ଦ୍ବିତୀୟ ଓ ତୃତୀୟରେ ବିଜେପି ରହିବ । କଂଗ୍ରେସ ୩ରୁ ୪ ହଜାର ଭୋଟ ବ୍ୟବଧାନରେ ଜିତିବ ।" ତେବେ ଆସନ୍ତା ୧୩ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣତି ହେବ । ଗଣତି ପରେ ସ୍ପଷ୍ଟ ହେବ କିଏ ମାରିଛି ବାଜି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 10, 2023, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.