ETV Bharat / state

ଏନଏସି ନିର୍ବାଚନରେ ପରାଜୟକୁ ସ୍ବୀକାର କଲା କଂଗ୍ରେସ, ଅର୍ଥ ବଳରେ ବିଜେଡି ଜିତିଥିବା ଅଭିଯୋଗ

author img

By

Published : Apr 5, 2023, 9:41 PM IST

Updated : Apr 5, 2023, 9:46 PM IST

ଏନଏସି ନିର୍ବାଚନରେ ପରାଜୟକୁ ସ୍ବୀକାର କଲା କଂଗ୍ରେସ
ଏନଏସି ନିର୍ବାଚନରେ ପରାଜୟକୁ ସ୍ବୀକାର କଲା କଂଗ୍ରେସ

ଉଭୟ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବାଜି ମାରିଛି ବିଜେଡି । ତେବେ ହାରକୁ ସ୍ବୀକାର କରିବା ସହ ଶାସକ ଦଳ ଭୋଟକୁ ଅର୍ଥ ବଳରେ ପ୍ରଭାବିତ କରିଥିବା ଅଭିଯୋଗ କରିଛି କଂଗ୍ରେସ । କିନ୍ତୁ ଏହାର ପ୍ରଭାବ ଆଗାମୀ ସାଧାରଣ ନିର୍ବାଚନରେ ପଡ଼ିବ ନାହିଁ ବୋଲି କହିଛନ୍ତି ପିସିସି ସଭାପତି । ଅଧିକ ପଢ଼ନ୍ତୁ

ଏନଏସି ନିର୍ବାଚନରେ ପରାଜୟକୁ ସ୍ବୀକାର କଲା କଂଗ୍ରେସ

ଭୁବନେଶ୍ବର: ବରଗଡ଼ ଜିଲ୍ଲା ଅତାବିରା ଏବଂ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସିର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ଶାସକ ବିଜେଡି ସପକ୍ଷରେ ଯାଇଛି ଜନତାଙ୍କ ରାୟ । ଉଭୟ ଏନଏସିରେ ବିଜେଡି କ୍ଲିନ ସ୍ବିପ କରିଛି । ଅତାବିରାରେ ୧୨ଟି ୱାର୍ଡରୁ ବିଜେଡି ୧୧ଟି ୱାର୍ଡରେ ଜିତିଥିବା ବେଳେ କଂଗ୍ରେସ ଗୋଟିଏ ୱାର୍ଡରେ ହାତେଇଛି । ସେହିପରି ହିନ୍ଦୋଳରେ ମଧ୍ୟ ୧୬ଟି ୱାର୍ଡରୁ ବିଜେଡି ୧୧ଟି ୱାର୍ଡରେ ବାଜି ମାରିଛି । ବିଜେପିକୁ ୫ଟି ସିଟ୍‌ରେ ବିଜୟ ମିଳିଥିବା ବେଳେ କଂଗ୍ରେସ ଖାତା ମଧ୍ୟ ଖୋଲିପାରି ନାହିଁ । ତେବେ ଉଭୟ ସ୍ଥାନରେ ହାରକୁ ସ୍ବୀକାର କରିଛି କଂଗ୍ରେସ ।

ରାଜ୍ୟରେ ନିର୍ବାଚନ ଋତୁ ଜାରି ରହିଛି । ଧାମନଗର ପରେ ପଦ୍ମପୁର, ଆଉ ଏବେ ଝାରସୁଗୁଡ଼ାରେ ହେବାକୁ ଯାଉଛୁ ଉପନିର୍ବାଚନ । ତେବେ ଏହାରି ଭିତରେ ଆଜି ଆସିଛି ଏନଏସି ନିର୍ବାଚନ ଫଳାଫଳ । ଯାହାକି ଶାସକ ବିଜେଡି ସପକ୍ଷରେ ଯାଇଛି । ଉଭୟ ଅତାବିରା ଏବଂ ହିନ୍ଦୋଳରେ ବାଜିମାତ କରିଛି ବିଜେଡି । ବିଜେପି ଲୋକଙ୍କ ଆସ୍ଥାଭାଜନ ହେବାରେ ବିଫଳ ହୋଇଛି । କଂଗ୍ରେସର ଅବସ୍ଥା ମଧ୍ୟ ସମାନ । ତେବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଛୋଟ ବଡ଼ ନିର୍ବାଚନ ସାଧାରଣ ନିର୍ବାଚନରେ ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଉଭୟ ସ୍ଥାନରେ ହାରକୁ ସ୍ବୀକାର କରିଥିଲେ ମଧ୍ୟ ଏହି ଫଳାଫଳ ଆସନ୍ତା ସାଧାରଣ ନିର୍ବାଚନରେ ପ୍ରଭାବ ପକାଇବାକୁ ଅସ୍ବୀକାର କରିଛି କଂଗ୍ରେସ । ଶାସକ ଦଳ ବିପୁଳ ଅର୍ଥ କାରବାର କରି ଭୋଟ ହାତେଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ଲୋକେ ବିଶ୍ବାସ ହରାଇଲେଣି, ତେଣୁ ସାଧାରଣ ନିର୍ବାଚନରେ କଂଗ୍ରେସ ଭଲ ପଦର୍ଶନ କରିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଉଭୟ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ କଂଗ୍ରେସର ପରାଜୟକୁ ସ୍ବୀକାର କରି ବିଧାୟକ ସୁର ରାଉତରାୟ କହିଛନ୍ତି, "ବିଜେଡି ଭୋଟକୁ କିଣିଛି । ପୁଳାପୁଳା ଟଙ୍କା ବ୍ୟୟ କରି ଭୋଟ ପ୍ରଭାବିତ କରିଛି । କଂଗ୍ରେସ ପାଖରେ ଅର୍ଥ ନାହିଁ । ତେଣୁ ଏନଏସି ନିର୍ବାଚନ ଆମେ ହାରିଲୁ । ହେଲେ ଏହାର କୌଣସି ପ୍ରଭାବ ଆଗାମୀ ସାଧାରଣ ନିର୍ବାଚନରେ ପଡିବ ନାହିଁ । ଲୋକେ କଂଗ୍ରେସକୁ ଭୋଟ ଦେଇ ୨୦୨୪ରେ କ୍ଷମତାକୁ ଆଣିବେ ।" ସେହିଭଳି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଜନତାଙ୍କ ରାୟକୁ ସ୍ବୀକାର କରିଛନ୍ତି । ସେ କହିଛନ୍ତି, "ଶାସକ ଦଳ ଅର୍ଥ ଦ୍ବାରା ଜନମତକୁ ପ୍ରଭାବିତ କରିଛି । ତଥାପି ଉଭୟ ସ୍ଥାନରେ କଂଗ୍ରେସର ଭୋଟ ହାର ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି । ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ବହୁତ ଭଲ କରିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 5, 2023, 9:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.