ETV Bharat / state

ବିଜେଡି କାର୍ଯ୍ୟକାରିଣୀକୁ କଂଗ୍ରେସ କାଉଣ୍ଟର; ବିଫଳତାର ଲମ୍ବା ତାଲିକା ଦେଖାଇଲେ ବିଜୟ

author img

By ETV Bharat Odisha Team

Published : Dec 15, 2023, 9:37 PM IST

Bijay Patnaik on BJD Govt: ୨୦୨୪ ନିର୍ବାଚନ ପାଇଁ କାର୍ଯ୍ୟକାରିଣୀରେ ବିଜେଡି ନେତା ଓ କର୍ମୀଙ୍କୁ ମନ୍ତ୍ର ଫୁଙ୍କିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ସେପଟେ ଶାସକ ବିଜେଡି ଓ ନବୀନଙ୍କୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ । ବିଫଳତାର ଲମ୍ବା ତାଲିକା ଦେଖାଇଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଅଧିକ ପଢ଼ନ୍ତୁ...

ବିଜେଡି କାର୍ଯ୍ୟକାରିଣୀକୁ କଂଗ୍ରେସ କାଉଣ୍ଟର
ବିଜେଡି କାର୍ଯ୍ୟକାରିଣୀକୁ କଂଗ୍ରେସ କାଉଣ୍ଟର

ବିଜେଡି କାର୍ଯ୍ୟକାରିଣୀକୁ କଂଗ୍ରେସ କାଉଣ୍ଟର

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଭରିଗଲାଣି ରାଜନୈତିକ ଉଷ୍ମତା । ପ୍ରତିଦିନ ଶାସକ ବିଜେଡିକୁ ସମାଲୋଚନା କରିବାରେ ବ୍ୟସ୍ତ ଦୁଇ ବିରୋଧୀ କଂଗ୍ରେସ ଓ ବିଜେପି । ଏହାରି ଭିତରେ ଶୁକ୍ରବାର କାର୍ଯ୍ୟକାରିଣୀରେ ଯୋଗଦେଇ କର୍ମୀ ଓ ନେତାଙ୍କୁ ସଫଳତାର ମନ୍ତ୍ର ଫୁଙ୍କିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜୁ ଜନତା ଦଳ । ସେପଟେ ଶାସକ ବିଜେଡି ଓ ନବୀନଙ୍କୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ ।

ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, "ରାଜ୍ୟ ସରକାର ହଜାରେ ମିଛ କହୁଛନ୍ତି । ଖାଲି ବିଜ୍ଞାପନ ଦେଲେ ମିଛ ଲୁଚି ଯିବନାହିଁ । ଓଡ଼ିଶାରେ ଦାରିଦ୍ର୍ୟ ସେମିତି ଅଛି । ଚାଷୀଙ୍କ ଆୟ ବଢୁନି । ଦେଶ ତୁଳନାରେ ରାଜ୍ୟର ଚାଷୀଙ୍କ ଆୟ ଅଧା । ଏହା କଣ ବିକାଶ ଓ ଟ୍ରାନ୍ସଫରମେସନ୍‌ ? ରାଜ୍ୟରେ ମହିଳା ଅପରାଧ ଉପର ମୁହାଁ । ମହିଳା ମାନଙ୍କର ଶୋଷଣ ଓ ହତ୍ୟା କରାଯାଉଛି । ବିଜେଡିର ବଡ଼ ନେତାମାନେ ସଂପୃକ୍ତ ଥିବାରୁ ଘଟଣା ଗୁଡ଼ିକୁ ଚାପି ଦିଆଯାଉଛି । ଲୋକଙ୍କୁ ଏସବୁ ଘଟଣା ଚକିତ କରିଛି । ରାଜ୍ୟ ସରକାର ମହିଳା ସଶକ୍ତିକରଣ କଥା କହୁଛନ୍ତି, କିନ୍ତୁ ଏସ୍‌ଏଚ୍‌ଜି ମାନେ ପାଇଛନ୍ତି କଣ ? ସେମାନେ ଋଣରେ ବୁଡି ଯାଇଛନ୍ତି । ଏହା କଣ ମହିଳା ସଶକ୍ତିକରଣ ? ଏହା କେଉଁ ପ୍ରକାର ଟ୍ରାନ୍ସଫରମେସନ୍‌ । ରାଜ୍ୟରେ ରୋଜଗାର କି ନିଯୁକ୍ତି ନାହିଁ । ଯୁବକମାନେ ଦାଦନ ଖଟିବାକୁ ଯାଉଛନ୍ତି । ୩୦ ଲକ୍ଷରୁ ଅଧିକ ଲୋକ ଦାଦନ ଯାଉଛନ୍ତି । ଓଡ଼ିଶା ସରକାର କଣ କରିଛନ୍ତି ? ଗଞ୍ଜାମ ଜିଲ୍ଲାରୁ ଲୋକ ସୁରଟ ଯାଉଛନ୍ତି । ଗୋପାଳପୁରରେ ସୁରଟ ତିଆରି କରି ପାରିଲେ ନାହିଁ ନବୀନ ବାବୁ । ଆସ୍କା ସୂତା କଳ ଏବଂ ଓଡ଼ିଶାର ସବୁ ସୂତା କଳ ବନ୍ଦ କରିଦେଲେ । ନୟାଗଡ଼ ଚିନି କଳ ମଧ୍ୟ ବନ୍ଦ । ନିଯୁକ୍ତି ଓ ରୋଜଗାର ଲୋକ କେଉଁଠୁ ପାଇବେ ? ଶିଳ୍ପ କାରଖାନା ସବୁ ବନ୍ଦ ହୋଇଗଲାଣି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୨୭ ପ୍ରସ୍ତାବ ପାରିତ; ବିରୋଧୀଙ୍କ ପାଖରେ ନାହିଁ ପ୍ରସଙ୍ଗ: ନବୀନ

ସେ ଆହୁରି କହିଛନ୍ତି, "ମଦ ଓଡ଼ିଶାରେ ବହୁଳ ଭାବରେ ପ୍ରଚାର ହୋଇଛି । ସବୁଠୁ ଅଧିକ ମଦ ପିଉଥିବା ଲୋକ ଓଡ଼ିଶାରେ ଅଛନ୍ତି । ଶିକ୍ଷା କ୍ଷେତ୍ରରେ ୧୪ରୁ ୨୪ ରାଙ୍କ୍‌କୁ ଆସିଲାଣି ଓଡ଼ିଶା । 5T ରୂପାନ୍ତରଣ ନାଁରେ ଚୂନ ଲଗାଇ, ସବୁଜ ରଙ୍ଗ ଲଗାଇଦେଲେ । ସ୍କୁଲକୁ ବିଭିନ୍ନ ଉପକରଣ ବାହାର ରାଜ୍ୟର ସଂସ୍ଥା ଦେଲେ । ୫୦ ହାଜର ସ୍କୁଲରେ ଶ୍ରେଣୀଗୃହ ନାହିଁ । ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲାଣି । ସ୍ବାସ୍ଥ୍ୟ ଉପରେ ବିଜ୍ଞାପନ ଓ ହୋଡ଼ିଂ ଲଗାଯାଇଛି । ବିଜୁ ସ୍ବାସ୍ଥ୍ୟ ପ୍ରାଇଭେଟ୍ ମେଡିକାଲରେ ଚିକିତ୍ସା ପାଇଁ ବର୍ଷକୁ ୨ ହାଜର କୋଟି ଟଙ୍କା ଖର୍ଚ୍ଚ ହେଉଛି । ସରକାର ପ୍ରାଇଭେଟ୍ ମେଡିକାଲକୁ ଟେକି ଦେଉଛନ୍ତି ଟଙ୍କା । ଯଦି ସେହି ଟଙ୍କାରେ ସରକାରୀ ମେଡିକାଲ ଗୁଡ଼ିକର ବିକାଶ ହୋଇଥାନ୍ତା, ତେବେ ପ୍ରାଇଭେଟ୍ ମେଡିକାଲକୁ ଏତେ ଟଙ୍କା ଯାଇନଥାନ୍ତା । ଓଡ଼ିଶା ସରକାରଙ୍କ ପ୍ରଦର୍ଶନ ସଂପୂର୍ଣ୍ଣ ନୈରାଶ୍ୟଜନକ । ଟ୍ରାନ୍ସଫରମେସନ୍‌ରେ କୌଣସି ସତ୍ୟତା ନାହିଁ ।"

ବିଜେପି ଓ ବିଜେଡି ମଧ୍ୟରେ ଭିତିରି ସମ୍ପର୍କ ଅଭିଯୋଗ ଦୋହରାଇ ବିଜୟ କହିଛନ୍ତି, "ନବୀନ ପଟ୍ଟନାୟକ ଆଗରୁ ସମଦୂରତ୍ଵ କଥା କହୁଥିଲେ । କେନ୍ଦ୍ରରେ ଯିଏ ସରକାର ରହିଲେ, ଟଙ୍କା ବିରୋଧରେ କେବଳ ବିଷେଦଗାର କଲେ । କିନ୍ତୁ ଏବେ ଆଉ ସେମିତି ହେଉନାହିଁ । ବିଜେପି ପାଖରେ ଶରଣ ପଶିଛି ବିଜେଡି । ବିଜେପି ଯାହା କହୁଛି ବିଜେଡି ତାହା କରୁଛି । ଅମିତ ଶାହ ଆସି ପାଣ୍ଡିଆନଙ୍କୁ ଭେଟିଲେ । ବିଜେପି ପାଖରେ ବହୁତ ପ୍ରକାର ଅସ୍ତ୍ର ଅଛି । ଇଡି, ସିବିଆଇ ଅଛି । ଯଦି ଏ ସବୁ ବିଜେପି ପ୍ରୟୋଗ କରିବ, ତେବେ ବିଜେଡି ଧରାଶାୟୀ ହୋଇଯିବ । ବିଜେପିର ଶରଣକୁ ଚାଲି ଯାଇଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.