ETV Bharat / state

Train Tragedy: ଉତ୍ତରଦାୟିତ୍ବ କେହି ନେଉନାହାନ୍ତି କହିଲେ ରାହୁଲ, ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ପିସିସି

author img

By

Published : Jun 5, 2023, 5:42 PM IST

Updated : Jun 5, 2023, 6:37 PM IST

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ବାହାନଗା ରେଳ ଦୁର୍ଘଟଣା ନେଇ ବିଦେଶରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଉତ୍ତର ଦାୟିତ୍ବ କେହି ନେଉନାହାନ୍ତି ବୋଲି ସେ କହିଛନ୍ତି । ଏପଟେ ସାମ୍ବାଦିକ ସମ୍ମିଳନୀରେ ଭାବ ବିହ୍ବଳ ହୋଇଛନ୍ତି ପସିିସି ସଭାପତି ଶରତ ପଟ୍ଟନାୟକ । ଲୁହ ଛଳଛଳ ଆଖିରେ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ପିସିସି ସଭାପତି । ଅଧିକ ପଢ଼ନ୍ତୁ

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା ନେଇ ତେଜୁଛି ରାଜନୀତି । ଆମେରିକାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି, "ଏତେ ବଡ଼ ଦୁର୍ଘଟଣା ଘଟିଲା, କିନ୍ତୁ ସରକାରରେ କେହି ଉତ୍ତର ଦାୟିତ୍ବ ନେଉନାହାନ୍ତି । କଂଗ୍ରେସ ସରକାର ସମୟରେ ଏପରି ହେଉନଥିଲା । କୌଣସି ରେଳ ଦୁର୍ଘଟଣା ଘଟିବା ସମୟରେ ଆମେ ବ୍ରିଟିଶର ମାନଙ୍କ ଯୋଗୁଁ ଘଟିଲା ବୋଲି କହିନଥାଉ । ବରଂ ତୁରନ୍ତ ଦାୟିତ୍ବରେ ଥିବା ମନ୍ତ୍ରୀ ଇସ୍ତଫା ଦେଉଥିଲେ । କିନ୍ତୁ ବାହାନଗା ରେଳ ଦୁର୍ଘଟଣାରେ କେହି ବି ମନ୍ତ୍ରୀ ଉତ୍ତର ଦାୟିତ୍ବ ଗ୍ରହଣ କରିନାହାନ୍ତି କି ଇସ୍ତଫା ଦେଇନାହାନ୍ତି ।" ମୋଦି ସରକାର ଏମିତି ଚାଲିଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଏପଟେ ପ୍ରଦେଶ କଂଗ୍ରେସ ପକ୍ଷରୁ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ରେଳମନ୍ତ୍ରୀଙ୍କର ଇସ୍ତଫା ଦାବି କରାଯାଇଛି ।

ବିଦେଶ ଗସ୍ତରେ ଥିବା ରାହୁଲ ଗାନ୍ଧୀ କହିଛନ୍ତି, "ମୋଦି ସରକାରଙ୍କୁ କୌଣସି ପ୍ରଶ୍ନ ପଚାରିଲେ, ଉତ୍ତର ଆସୁଛି କଂଗ୍ରେସ ଅମଳରେ ଏହା ଘଟିଥିଲା । ଏପରିକି ରେଳ ଦୁର୍ଘଟଣା ସମ୍ପର୍କରେ ପଚାରିଲେ ମଧ୍ୟ ସମାନ ଉତ୍ତର ଆସିବ । ବଡ଼କଥା ହେଲା, ଉତ୍ତର ଦାୟିତ୍ବ । ଏତେ ବଡ଼ ଦୁର୍ଘଟଣା ଘଟିଲା, ଏତେ ଲୋକ ମରିଗଲେ । କିନ୍ତୁ ମୋଦି ସରକାରରେ ଥିବା ମନ୍ତ୍ରୀ ଦୁର୍ଘଟଣାର ଉତ୍ତର ଦାୟିତ୍ବ ନେଉ ନାହାନ୍ତି । ଏଥିରୁ ଅନୁମାନ କରାଯାଇପାରେ, ଏ ସରକାର କେମିତି ଶାସନ କରୁଛି ।"

ଅନ୍ୟପଟେ ଏହି ଭୟଙ୍କର ରେଳ ଦୁର୍ଘଟଣା ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି । ଏହା ସହିତ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ସହ କ୍ଷତିପୂରଣ ରାଶି ୧୦ରୁ ୧୫ ଲକ୍ଷ କରିବା, ଗୁରୁତର ଆହତ ଓ ଭିନ୍ନକ୍ଷମ ହୋଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଚାକିରୀ ଦେବା ପାଇଁ ଦାବି କରିଛି କଂଗ୍ରେସ । କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "ରେଳମନ୍ତ୍ରୀ ଏକ ଚାଲାକି କରିଛନ୍ତି । ସିବିଆଇ ତଦନ୍ତ କେବଳ ଅପରାଧିକ ମାମଲାରେ ହୁଏ । ସିବିଆଇକୁ ତଦନ୍ତ ଦେବା ଅର୍ଥ ରେଳମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ ରେଳ ଦୁର୍ଘଟଣାରେ ଏକ ଅପରାଧିକ କାର୍ଯ୍ୟ କଳାପ ରହିଛି । ଏଥିରେ କିଏ ଦାୟୀ ରେଳମନ୍ତ୍ରୀ ସ୍ପଷ୍ଟ କରନ୍ତୁ । ତେଣୁ ରେଳମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।"

ପିସିସି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ ସମୟରେ ଭାବବିହ୍ବଳ ହୋଇପଡ଼ିଥିଲେ । ରେଳ ଦୁର୍ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନା ବେଳେ କାନ୍ଦି ପକାଇଲେ ପିସିସି ସଭାପତି । ସେ କହିଛନ୍ତି, "ସେଠାକାର ବିକଳ ଚିତ୍ର ବର୍ଣ୍ଣନା କରି ହେବନି । ଛାତିରେ କୋହକୁ ଚାପି ରଖିବାକୁ ପଡ଼ୁଛି । ଏବେ ଦେଶରେ ରେଳ ବିଭାଗରେ ୧ ଲକ୍ଷ ୪୦ ହାଜର ପଦବୀ ଖାଲି ଅଛି । ତାହା ପୂରଣ କରାଯାଉନି । ୨୦୧୨ରୁ ଆଣ୍ଟି କୋଲିଜନ ସିଷ୍ଟମ କଂଗ୍ରେସ ସମୟରେ ହୋଇଥିଲା । ବିଜେପି ସରକାର ଆସିବା ପରେ କେବଳ ଏହାର ନାମ ବଦଳାଇ ‘କବଚ କରିଲେ’ । ହେଲେ ମାତ୍ର ୨ ପ୍ରତିଶତ ଏହି ବ୍ୟବସ୍ଥା ଲାଗୁ ହୋଇଛି । ପୂର୍ବତଟ ରେଳବାଇରେ ଟଙ୍କାଏ ଖର୍ଚ୍ଚ ହୋଇନାହିଁ । ଏ ସମ୍ପର୍କରେ CAG ରିପୋର୍ଟକୁ ଚପାଇ ରଖାଯାଇଛି । ଟ୍ରାକ୍ ନବୀକରଣ ହେଉନି । ସୋରୋ ଡାକ୍ତରଖାନାରେ ୧୦ ଜଣ ଡାକ୍ତର ଆବଶ୍ୟକ, ହେଲେ ଅଛନ୍ତି ୩ ଜଣ । ବାଲେଶ୍ବରରେ ରାତି ଡ୍ୟୁଟି ପାଇଁ ଡାକ୍ତର ନଥିଲେ । ରାଜ୍ୟରେ ଡାକ୍ତର ସହ ନର୍ସଙ୍କର ମଧ୍ୟ ବି ଘୋର ଅଭାବ । ରାଜ୍ୟ ସରକାର ଯେଉଁ ତତ୍ପରତା ଦେଖାଇବା କଥା, ତାହା ଆମେ ଦେଖିବାକୁ ପାଇଲୁ ନାହିଁ ।"

ସେପଟେ ବାହାନଗାରେ ପହଞ୍ଚିଛନ୍ତି ସେଫ୍‌ଟି କମିଶନର । ସେ କହିଛନ୍ତି, "ତଦନ୍ତ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ଘଟଣାସ୍ଥଳରେ ପ୍ରାଥମିକ ତଦନ୍ତ ଚାଲିଛି ।" କାହାର ଭୁଲ ପାଇଁ ଏତେ ବଡ ଦୁର୍ଘଟଣା ଘଟିଲା ? ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା କି ? ଏହା ମନୁଷ୍ୟକୃତ କି ? ଷ୍ଟ୍ରଙ୍ଗରୁମରେ ପହଞ୍ଚିଛନ୍ତି ଶୈଳେଶ ପାଠକ । ଷ୍ଟେସନ ସିଗନାଲ ରୁମ ଏବଂ କଣ୍ଟ୍ରୋଲ ରୁମ ବୁଲି ଅନୁଧ୍ୟାନ କରିଥିଲେ । ସବୁ ଦିଗରୁ ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ଆସିବା ପରେ ଚିତ୍ର ଆହୁରି ସ୍ପଷ୍ଟ ହୋଇପାରିବ ବୋଲି ଶୈଳେଶ ପାଠକ କହିଛନ୍ତି । ସେଫଟି କମିଶନରଙ୍କ ସହ ୧୦ ଜଣିଆ ଟିମ ଏହି ତଦନ୍ତ କରୁଛନ୍ତି । ଅନ୍ୟପଟେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିସାରିଛନ୍ତି ଘଟଣାର ସିବିଆଇ ତଦନ୍ତ ହେବ । ପ୍ରଧାନମନ୍ତ୍ରୀ କହିସାରିଛନ୍ତି ଦୋଷୀକୁ ଛଡା ଯିବନାହିଁ । ଜୁନ ୨ ତାରିଖରେ ବାହାନଗାରେ ହୋଇଥିବା ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ୧ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 5, 2023, 6:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.