ETV Bharat / state

Train Tragedy: କଂଗ୍ରେସ କହିଲା ଦୁର୍ଘଟଣାର କାରଣ ମନ୍ତ୍ରୀ ଜାଣିଛନ୍ତି, ଇସ୍ତଫା ଦାବି ଯୁକ୍ତିଯୁକ୍ତ ନୁହେଁ କହିଲା ବିଜେପି

author img

By

Published : Jun 7, 2023, 8:53 PM IST

ରେଳମନ୍ତ୍ରୀଙ୍କ ଇସ୍ତଫା ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ
ରେଳମନ୍ତ୍ରୀଙ୍କ ଇସ୍ତଫା ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ

ରେଳ ଦୁର୍ଘଟଣାରେ ରେଳମନ୍ତ୍ରୀଙ୍କ ଇସ୍ତଫା ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି । ବିଭାଗର ଛୋଟରୁ ବଡ଼ ଘଟଣା ହେଲେ ବିଭାଗୀୟ ମନ୍ତ୍ରୀଙ୍କ ଉପରେ ଇଙ୍ଗିତ ହୁଏ । ତେଣୁ ରେଳମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ ବୋଲି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି । ସେପଟେ ଇସ୍ତଫା ଦାବି ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛନ୍ତି ବିଜେପି ବିଧାୟକ ଭୂଦାନ ମୁର୍ମୁ । ଅଧିକ ପଢ଼ନ୍ତୁ

ରେଳମନ୍ତ୍ରୀଙ୍କ ଇସ୍ତଫା ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ

ଭୁବନେଶ୍ବର: ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି ଜୋର ଧରିଛି । ଦୁର୍ଘଟଣାର କାରଣ କୁହାଳିଆ ମନ୍ତ୍ରୀ ବୈଷ୍ଣବ ଜାଣିଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ସିବିଆଇ ତଦନ୍ତ ହେଉଛି ବୋଲି ଅଧିରାଜ କହିଛନ୍ତି । ସେପଟେ ଅଭିଯୋଗର ଜବାବ ରଖିଛନ୍ତି ବିଜେପି ବିଧାୟକ ଭୂଦାନ ମୁର୍ମୁ । ମନ୍ତ୍ରୀଙ୍କ ଇସ୍ତଫା ଦାବି ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି ।

କଂଗ୍ରେସ ବିଧାୟକ ଅଧିରାଜ କହିଛନ୍ତି, "ଘଟଣାକୁ ଭିନ୍ନ ଢଙ୍ଗ ଦେବାପାଇଁ ଚେଷ୍ଟା କରାଯାଉଛି । ଲୋକଙ୍କ ଧ୍ୟାନ ବଦଳାଇବାକୁ ପ୍ରୟାସ ହେଉଛି । ଲୋକେ ଏହି ଘଟଣାକୁ ବହୁତ ଜଲ୍‌ଦି ଭୁଲି ଯାଆନ୍ତୁ ବୋଲି ଶାସକ ଦଳ ଚାହୁଁଛି । ସେନେଇ ପ୍ରୟାସ କରାଯାଉଛି । ତାହାକୁ ଆମେ ନିନ୍ଦା କରୁଛୁ । ସିବିଆଇ ତଦନ୍ତ କେବଳ ଲୋକଙ୍କୁ ଭୁଆଁ ବୁଲେଇବାକୁ ଉଦ୍ଦିଷ୍ଟ । ସତ କଣ ରେଳମନ୍ତ୍ରୀ ଭଲ ଭାବରେ ଜାଣିଛନ୍ତି । କାହାପାଇଁ ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ହୋଇଛି, ତାହା ମଧ୍ୟ ସେ ଜାଣିଛନ୍ତି । ସେସବୁ ଲୋକ ଲୋଚନକୁ ଆଣିବା କଥା । ଯାହା ତଥ୍ୟ କହୁଛି ଅନେକ ଜିନିଷ ଲୁଚା ଯାଉଛି । ମୃତ୍ୟୁସଂଖ୍ୟା ଲୁଚା ଯାଉଛି । ସର୍ବସାଧାରଣ ଯାହା ଜାଣିବା କଥା ତାହା ଲୁଚା ଯାଉଛି । ଏହାକୁ କଡା ଭାଷାରେ ନିନ୍ଦା କରୁଛୁ ।"

ସେ ଆହୁରି କହିଛନ୍ତି, "ଦୁର୍ଘଟଣାକୁ ନେଇ ରାଜନୀତିକରଣ କରିବା କଥା କିଛିନାହିଁ । ଏଥିରେ ଅଛି ଦାୟିତ୍ବର କଥା । ରେଳମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା କଥା । ତାପରେ ତଦନ୍ତ ହେବା କଥା । ଏଥିରେ କିଏ ସମ୍ପୃକ୍ତ ଅଛି, ତାହା ତଦନ୍ତ ହେବା ଉଚିତ । ବିଭାଗର ଛୋଟରୁ ବଡ଼ ଘଟଣା ହେଲେ ବିଭାଗୀୟ ମନ୍ତ୍ରୀଙ୍କ ଉପରେ ଇଙ୍ଗିତ ହୁଏ । ଏତେ ବଡ଼ ଘଟଣା ଘଟିଛି ମନ୍ତ୍ରୀଙ୍କ ଉପରେ ଆଙ୍ଗୁଠି ନିଶ୍ଚୟ ଉଠିବ । ଟେକ୍ନୋଲୋଜି କଥା ରେଳମନ୍ତ୍ରୀ କହୁଥିଲେ । ବ୍ୟବସ୍ଥା ପରିବର୍ତ୍ତନ କଥା ବି କହୁଥିଲେ । GPRS କଥା ବି ଏହି ରେଳମନ୍ତ୍ରୀ କହିଛନ୍ତି । ଆଜି ତାଙ୍କ ଉପରେ ପ୍ରଶ୍ନ ଉଠିବା ସ୍ବଭାବିକ କଥା । ମନ୍ତ୍ରୀ ପ୍ରତିଶ୍ରୁତି ଅନୁସାରେ ଏହି କାମ ୨୦୨୨ରେ କରିବା କଥା । ଏହା କରିଥିଲେ ଏଭଳି ଦୁର୍ଘଟଣା ଘଟିନଥାନ୍ତା । ନରେନ୍ଦ୍ର ମୋଦି ସରକାର କେବଳ ଭାଷଣ ବାଜି ସରକାର ।"

ସେପଟେ ବିଜେପି ବିଧାୟକ ଭୂଦାନ ମୁର୍ମୁ ମନ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି । ମନ୍ତ୍ରୀଙ୍କ ଇସ୍ତଫା ଦାବି ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି । ସେ କହିଛନ୍ତି, "ନିଶ୍ଚୟ ଏକ ଦୁଃଖଦ ଘଟଣା ଘଟିଛି । ତାହାର ସମାଧାନ ରେଳମନ୍ତ୍ରୀଙ୍କ ଇସ୍ତଫା ନୁହେଁ । ରେଳମନ୍ତ୍ରୀ ଦୁର୍ଘଟଣାର ଖବର ପାଇବା ମାତ୍ରେ ଓଡ଼ିଶା ମୁହାଁ ହୋଇଥିଲେ । ଦୀର୍ଘ ୫୧ ଘଣ୍ଟା ଘଟଣାସ୍ଥଳରେ ରହି ସବୁ ପଦକ୍ଷେପ ନେଇଛନ୍ତି । ଟ୍ରାକ କ୍ଲିୟର ଓ ଟ୍ରେନ୍‌ ଚାଲିବା ପର୍ଯ୍ୟନ୍ତ ରହିଥିଲେ । ଯେତିକି ପରିଶ୍ରମ କରିଛନ୍ତି, ଆଉ କେଉଁ ମନ୍ତ୍ରୀଙ୍କ ଠାରୁ ଆଶା କରିପାରିବା ନାହିଁ । କଂଗ୍ରେସର ଇସ୍ତଫା ଦାବି ଗ୍ରହଣୀୟ ନୁହେଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.