ETV Bharat / state

ଫିଲ୍ମ ଫ୍ରାଇଡରେ ରିଲିଜ ହେଲା ଜ୍ୱିଗାଟୋ, ଡେଲିଭରି ବୟ ଭୂମିକାରେ କମେଡି କିଙ୍ଗ୍‌ କପିଲ

author img

By

Published : Mar 17, 2023, 8:27 PM IST

କପିଲ ଶର୍ମାଙ୍କ ଫିଲ୍ମ ଜ୍ୱିଗାଟୋ
comedy king kapil sharma new movie zwigato

ବହୁ ଚର୍ଚ୍ଚିତ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ଜ୍ୱିଗାଟୋ ରିଲିଜ ହୋଇଯାଇଛି । ଡେଲିଭରି ବୟର ସଂଘର୍ଷର କାହାଣୀକୁ ଫିଲ୍ମରେ ଦର୍ଶାଯାଇଛି । ଅଧିକ ପଢ଼ନ୍ତୁ

ଫିଲ୍ମ ଫ୍ରାଇଡରେ ରିଲିଜ ହେଲା ଜ୍ୱିଗାଟୋ

ଭୁବନେଶ୍ବର: ଫିଲ୍ମ ଫ୍ରାଇଡରେ ରିଲିଜ ହୋଇଛି ବଲିଉଡ ଫିଲ୍ମ ଜ୍ୱିଗାଟୋ । ପ୍ରଯୋଜକ ତଥା ଲେଖକ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ଜ୍ୱିଗାଟୋ ଜଣେ ଫୁଡ୍‌ ଡେଲିଭେରୀ ବୟର କାହାଣୀ ଉପରେ ଆଧାରିତ । ତେବେ ଫିଲ୍ମଟିର ଅଧିକାଂଶ ସୁଟିଂ ଓଡ଼ିଶାରେ ହୋଇଛି । ମୁଖ୍ୟତଃ ଭୁବନେଶ୍ବରରେ ଏହାର ସୁଟିଂ ହୋଇଛି । ରାଜଧାନୀର ଅନେକ ସ୍ଥାନ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏହି ହିନ୍ଦୀ ସିନେମାରେ ଅନେକ ସଂଳାପ ଓଡ଼ିଆ ଭାଷାରେ ମଧ୍ୟ ରହିଛି । ଭୁବନେଶ୍ୱରର ଗଳିକନ୍ଦିରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ବଲିଉଡ଼ ଅଭିନେତା ତଥା କମେଡିଆନ କପିଲ ଶର୍ମା ଏବଂ ଅଭିନେତ୍ରୀ ଶହାନା ଗୋସ୍ୱାମୀ । ଝାଡ଼ଖଣ୍ଡର ଏକ ବାସ୍ତବ କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବା ବେଳେ ସମ୍ପୂର୍ଣ୍ଣ ଫିଲ୍ମଟି ଭୁବନେଶ୍ୱରରେ ସୁଟିଂ କରାଯାଇଛି ।

ଫିଲ୍ମରେ କପିଲ ଶର୍ମା ଫୁଡ ଡେଲିଭରି ବୟ ଭୂମିକା ନିଭାଇଛନ୍ତି । ଏଥିରେ ଜଣେ ଫୁଡ ଡେଲିଭରି ବୟର ଖାଦ୍ୟ ଡେଲିଭରି ସମୟର ସଂଘର୍ଷ ଓ ଲୋକମାନଙ୍କ ତାଙ୍କ ପ୍ରତି ଥିବା ମାନସିକତା କଥା ଦର୍ଶାଯାଇଛି । ପରିବାର ଚଳାଇବା ପାଇଁ କପିଲ ଶର୍ମା କିଭଳି ଫ୍ଲୋର ମ୍ୟାନେଜରରୁ ପାଲଟି ଯାଇଛନ୍ତି ଡେଲିଭରି ବୟ ତାହା କାହାଣୀରେ ଦେଖାଯାଇଛି । ଫୋନ୍‌ ଆପରେ ସେ ନିଜ ବ୍ୟବସାୟ ଚଳାଉଛନ୍ତି । ଖାଲି ସେତିକି ନୁହେଁ ରେଟିଂ ପାଇଁ ଖୁବ ସଂଘର୍ଷ ମଧ୍ୟ କରୁଛନ୍ତି । ଫୁଡ ଡେଲିଭରୀ ବୟ ପାଇଁ ରେଟିଂ କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆଉ ରେଟିଂକୁ ନେଇ ଫୁଡ ଡେଲିଭରୀ ବୟଙ୍କୁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଜଣେ ଫୁଡ୍‌ ଡେଲିଭେରୀ ବୟକୁ ବସ୍‌ଠାରୁ କେତେ କ’ଣ ଶୁଣିବାକୁ ପଡେ, ତାହା ଏହି ସିନେମାରେ ଦର୍ଶାଯାଇଛି ।

ଫିଲ୍ମରେ ଅଭିନେତ୍ରୀ ଶହାନା ଗୋସ୍ୱାମୀ କପିଲଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି । ତାଙ୍କ ପତ୍ନୀ ମଧ୍ୟ ପରିବାର ଚଳାଇବା ପାଇଁ କପିଲଙ୍କ ସହାୟତାର ହାତ ବଢାଇଛନ୍ତି । ବିଭିନ୍ନ ସ୍ଥାନରେ ସେ କାମ କରୁଛନ୍ତି । ଏକ ସାଧାରଣ ପରିବାରର, ସାଧାରଣ ଲୋକଙ୍କ ନିତିଦିନିଆ ହସଖୁସି ଜୀବନର କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଛି । ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ତେଣୁ ଓଡ଼ିଆ ଓ ଓଡ଼ିଶାର ଛୁଙ୍କ ଥିବା ଏହି ବାସ୍ତବ କାହାଣୀକୁ ଆସି ଦେଖିବାକୁ ଏବଂ ଭଲ ପାଇବା ଦେବାକୁ ଦର୍ଶକ କହିଛନ୍ତି । ଏଥିରେ ପ୍ରଯୋଜକ ଭାବେ ଓଡ଼ିଆ ଝିଅ ନନ୍ଦିତା ଏକ ନିଚ୍ଛକ କାହାଣୀ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି । ତେଣୁ ଓଡ଼ିଶାର ଲୋକମାନେ ଏହାକୁ ଦେଖି ଭଲ ପାଇବା ଦେବାକୁ କହିଛନ୍ତି ଦର୍ଶକ ।

ରିଲିଜ ପୂର୍ବରୁ ଜ୍ୱିଗାଟୋ ବେଶ ଚର୍ଚ୍ଚାରେ ରହିଥିଲା । ଟ୍ରେଲରକୁ ମଧ୍ୟ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଏହି ଫିଲ୍ମରେ ଓଡ଼ିଶାର କିଛି ଅଭିନେତା ସାମିଲ ହୋଇଛନ୍ତି । ଏଥିରେ ଅଭିନେତା ଅଭିଷେକ ଗିରି, କୁନି କଳାକାର ପ୍ରଜ୍ୱଳ ଓ ୟୁଭିକା ନଜର ଆସିଛନ୍ତି । ସମସ୍ତେ ନିଜ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ଏହି ଚଳଚ୍ଚିତ୍ରରେ । ଅନ୍ୟପଟେ ଏହି ଫିଲ୍ମରେ ଦେଶର ସବୁଠାରୁ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସିରିୟସ୍ ଅବତାର ଦେଖିବାକୁ ମିଳିଛି । ଏଥିରେ ସେ ଦମଦାର ଅଭିନୟ କରୁଥିବା ନଜର ଆସିଛନ୍ତି । ଜଣେ ସାଧାରଣ ଡେଲିଭରି ବୟର ଚରିତ୍ରକୁ ସେ ଅତି ନିଖୁଣତାର ସହିତ ନିଭାଇଛନ୍ତି । ତେଣୁ ସିନେମାଟି ଭଲ ଚାଲିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.