ETV Bharat / state

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ନବୀନ

author img

By ETV Bharat Odisha Team

Published : Jan 1, 2024, 6:45 PM IST

Metro Rail Project: ନୂଆବର୍ଷରେ ଟ୍ବିନସିଟିବାସୀଙ୍କୁ ନୂଆ ଉପହାର ଦେଲେ ମୁଖ୍ୟମନ୍ତ୍ରୀ । ବହୁପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭିତ୍ତି ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭିତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭିତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/କଟକ: ଟ୍ବିନ-ସିଟିରେ ପରିବହନ କ୍ଷେତ୍ରରେ ଆରମ୍ଭ ହେବ ନୂଆ ଯୁଗ । କମ ସମୟ କମ ଖର୍ଚ୍ଚରେ ଲୋକେ ପାଇବେ ସୁରକ୍ଷିତ ଯାତ୍ରା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏନେଇ ବାରଙ୍ଗ ରତାଗଡ଼ରେ ଆୟୋଜିତ ହୋଇଥିଲା ଏକ ଭବ୍ୟ କାର୍ଯ୍ୟକ୍ରମ ।

ମେଟ୍ରୋ ପ୍ରକଳ୍ପ ଶିଳାନ୍ୟାସ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ଆଜି ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ବତନ୍ତ୍ର ଦିବସ ହୋଇ ରହିବ । ପରିବହନ କ୍ଷେତ୍ରରେ ଆସିବ ବଡ଼ ରୂପାନ୍ତର । ମେଟ୍ରୋ ରେଳ ପାଇଁ ମୁଁ ଯେଉଁ ପ୍ରତିଶୃତି ଦେଇଥିଲି, ତାହା ଆଜି ପାଳନ କରୁଛି । ଲକ୍ଷ୍ମୀ ଯୋଜନା ଗାଁରେ ରୂପାନ୍ତର ଆଣିଛି । ମେଟ୍ରୋ ରେଳ ଯୋଜନା ଏ ରୂପାନ୍ତରକୁ ଆହୁରି ଆଗକୁ ନେବ । ପୁରୁଣା ରାଜଧାନୀ କଟକ ସହିତ ନୂଆ ରାଜଧାନୀ ଭୁବନେଶ୍ବରର ସମ୍ପର୍କ ଆହୁରି ମଜବୁତ ହେବ । ମେଟ୍ରୋ ରେଳର ଏହି ପ୍ରଥମ ପର୍ଯ୍ୟାୟ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ନିର୍ମାଣ କରାଯିବ । ୨୬ କିମି ଏହି ପ୍ରକଳ୍ପରେ ୨୦ଟି ଷ୍ଟେସନ ରହିବ । ଏଥିପାଇଁ ୬୨୫୫.୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । 5T ଉପକ୍ରମରେ ଏହା ରାଜ୍ୟର ଏକ ଫ୍ଲାଗସିପ୍‌ ପ୍ରକଳ୍ପ । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକଳ୍ପର ସମସ୍ତ ଖର୍ଚ୍ଚ ବହନ କରାଯିବ । ଓଡିଶା ଇତିହାସରେ ଭିତ୍ତିଭୂମି କ୍ଷେତ୍ରରେ ଏହା ସବୁଠାରୁ ବଡ଼ ନିବେଶ ।" ମେଟ୍ରୋ ରେଳକୁ ଖୋର୍ଦ୍ଧା, ପୁରୀ ଓ କଟକ ସହରକୁ ସଂପ୍ରସାରଣ କରିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏକ ନୂଆ ଓଡିଶା ସଶକ୍ତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆଜି ପ୍ରଥମେ ଭୁବନେଶ୍ବର ଏୟାରପୋର୍ଟ ଛକରୁ ବାରଙ୍ଗ ରତାଗଡ ପର୍ଯ୍ୟନ୍ତ ରୋଡ ସୋ'ରେ ଯାଇ ମେଟ୍ରୋ ପ୍ରକଳ୍ପ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ଏୟାରପୋର୍ଟ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ସେ ରୋଡ-ସୋରେ ଯାଇ କ୍ୟାପିଟାଲ ହସ୍ପିଟାଲ, ୧୨୦ ବାଟାଲିୟାନ, ଜୟଦେବ ବିହାର, ଜାଭିୟର, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଇଣ୍ଡିଆନ ଅଏଲ୍‌ ଛକ, କିଟ୍‌ ଛକ, ନନ୍ଦନ ବିହାର ଓ ରଘୁନାଥପୁରରେ ଉପସ୍ଥିତ ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ମଧ୍ଯ ପଢ଼ନ୍ତୁ...କଟକରେ ଗଡିବ ମେଟ୍ରୋ, ଭାଇଚାରା ସହରର ଐତିହ୍ୟ ହେବ ଦ୍ୱିଗୁଣିତ

ଚଳିତ ବର୍ଷ ଅପ୍ରେଲ ପହିଲାରେ ମୁଖ୍ୟମନ୍ତ୍ରୀ ଓଡିଶାରେ ଏହି ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ କରିବା ନେଇ ଘୋଷଣା କରିଥିଲେ । ଅକ୍ଟୋବର ୨୯ରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ତ୍ରିଶୂଳିଆ ଯାଇ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ୨୦୨୩ ନଭେମ୍ବର ୧୪ ତାରିଖରେ ଏହି ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିଛି । ଅନୁମୋଦନ ମିଳିବାର ମାତ୍ର ୪ ମାସ ମଧ୍ୟରେ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଓ ଭୁବନେଶ୍ବର ମେଟ୍ରୋ ରେଲ୍‌ କର୍ପୋରେସନର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।

ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, "ଟେମ୍ପଲ ସିଟି ଭୁବନେଶ୍ବରରୁ ପୁରୁଣା ରାଜଧାନୀ କଟକକୁ ମେଟ୍ରୋ ରେଳ ଚଳାଚଳ ରାଜ୍ୟବାସୀଙ୍କର ବହୁ ପ୍ରତୀକ୍ଷିତ ସ୍ବପ୍ନ ଥିଲା । ଆଜି ଏହି ପ୍ରକଳ୍ପ ମାଧ୍ୟମରେ ତାହା ପୂରଣ ହେଲା । ସହରୀକରଣ, ଗମନାଗମନ ସହିତ ଲୋକମାନଙ୍କୁ ଏହା ସବୁ କ୍ଷେତ୍ରରେ ସାହାଯ୍ୟ କରିବ ।" ଅନ୍ୟତମ ଅତିଥି ଭାବେ ଯୋଗଦେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, "ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି । ଏହି ପ୍ରକଳ୍ପ କଟକ ଭୁବନେଶ୍ବର ସହିତ ସମଗ୍ର ଓଡିଶା ପାଇଁ ଗର୍ବ ଓ ଗୌରବର ପ୍ରତୀକ ।"

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ୱର ମେଟ୍ରୋ ପାଇଁ ଚୁକ୍ତି ସ୍ବାକ୍ଷରିତ: ୬୨୫୫ କୋଟି ବ୍ୟୟ, ୪ ବର୍ଷରେ ଗଡ଼ିବ

ସେହିଭଳି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି, "ଏହି ପ୍ରକଳ୍ପ ମାଧ୍ୟମରେ ଆମର ଟ୍ରାଫିକ ସମସ୍ୟା ଦୂର ହେବ ଓ ଗମନାଗମନ କ୍ଷେତ୍ରରେ ଉନ୍ନତି ଆସିବ । ଏହା ସହିତ ରୋଜଗାର ଓ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇ ଆମକୁ ଏକ ମଡର୍ଣ୍ଣ ଲୁକ୍‌ ଦେବ ।" 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭୁବନେଶ୍ବର ମେୟର ସୁଲୋଚନା ଦାସ ସ୍ବାଗତ ଭାଷଣ ଦେଇଥିଲେ । ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, କଟକ ସଦର ବିଧାୟକ ଚନ୍ଦ୍ରଶେଖର ସାରଥି ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ କଟକ ମେୟର ସୁବାସ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।"

ଇଟିଭି ଭାରତ, ଭୁବନେଶ୍ବର/କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.