ETV Bharat / state

ଜାଗା ମିଶନ ଗରିବ ଲୋକକୁ ଦେଇଛି ସମ୍ମାନ, ନୂଆ ପରିଚୟ: ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Aug 28, 2023, 6:46 PM IST

ଜାଗା ମିଶନରେ ୫ଟି ମହାନଗରର ୬୫ ହଜାର ଗରିବ ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର । ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Etv Bharat
Etv Bharat

ଜାଗା ମିଶନ ଗରିବ ଲୋକକୁ ଦେଇଛି ସମ୍ମାନ

ଭୁବନେଶ୍ବର: ରାଜ୍ୟର ମହାନଗର ନିଗମର ଗରିବ ବସ୍ତି ବାସିନ୍ଦା ଆଜି ପାଇଛନ୍ତି ଭୂମି ଅଧିକାର । ଜାଗା ମିଶନରେ ୫ଟି ମହାନଗରର ୬୫ ହଜାର ଗରିବ ପରିବାରକୁ ମିଳିଛି ଭୂମି ଅଧିକାର ପ୍ରମାଣ ପତ୍ର । ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜମି ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାଗା ସହ ମିଳିବ ଘର ତିଆରି ସହାୟତା ଏବଂ ବିଜୁଳି, ପାଣି, ସଡକ ଓ ଅନ୍ୟ ମୌଳିକ ସୁବିଧା ମିଳିବ । ଅକ୍ଟୋବର ମାସରେ BMC ଅଞ୍ଚଳରେ ଦ୍ବିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରଦାନ କରାଯିବ । ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମସ୍ତଙ୍କୁ ଭୂମି ଅଧିକାର ମିଳିବା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି ।

ରାଜ୍ୟରେ ଆଉ ରହିବନି ବସ୍ତି । ସବୁ ବସ୍ତି ହେବ ଆଦର୍ଶ କଲୋନୀ । ବିଜୁ ଆଦର୍ଶ କଲୋନୀ । ବିକାଶର ସୁଫଳରେ ଗରିବ ଲୋକର ପ୍ରଥମ ଅଧିକାର । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି ଜାଗା ମିଶନ କାର୍ଯ୍ୟକ୍ରମ । ଜାଗା ମିଶନ ଗରିବ ଲୋକକୁ ଦେଇଛି ସମ୍ମାନ, ନୂଆ ପରିଚୟ । ରାଜ୍ୟର ୫ଟି ମହାନଗରର ଗରିବ ବସ୍ତି ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର । ଜାଗା ମିଶନରେ ୬୫ ହଜାର ପରିବାରକୁ ମିଳିଲା ଜମି ଅଧିକାର । ସବୁ ପରିବାରକୁ ଜମି ଅଧିକାର ମିଳିବା ପର୍ଯ୍ୟନ୍ତ ଏ କାର୍ଯ୍ୟକ୍ରମ ଜାରି ରହିବ । ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।



କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉଲକେଲା ମହାନଗର ନିଗମର ୬୫ ହଜାର ଗରିବ ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଜାଗା ସହ ଘର କରିବା ପାଇଁ ଆର୍ଥିକ ସହାୟତା ମଧ୍ୟ ଦିଆଯିବ । ଆସନ୍ତା ଅକ୍ଟୋବର ମାସରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପ୍ରମାଣ ପତ୍ର ପ୍ରଦାନ କରାଯିବ । ସହରର ସବୁ ଗରିବ ପରିବାରଙ୍କୁ ଭୂମି ଅଧିକାର ମିଳିବା ପର୍ଯ୍ୟନ୍ତ ଏ ଅଭିଯାନ ଜାରି ରହିବ । ସହର କେବଳ ଧନୀ ଲୋକଙ୍କର ନୁହେଁ । ଗରିବ ଲୋକର ମଧ୍ୟ ସ୍ବାଭିମାନ ସହ ସହରରେ ବଞ୍ଚିବାର ଅଧିକାର ରହିଛି । ସହରର ନିର୍ମାଣରେ ବ୍ୟବହୃତ ପ୍ରତିଟି ଇଟାରେ ଗରିବ ଲୋକର ପରିଶ୍ରମ ଯୋଡି ହୋଇ ରହିଛି । ସେମାନଙ୍କ ଅବଦାନକୁ ଆମେ ସମସ୍ତେ ସମ୍ମାନ ଜଣାଇବା ଉଚିତ ।"

ଏହା ବି ପଢନ୍ତୁ- ଜାଗା ମିଶନ ଯୋଜନା ଫେଲ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଭୂମିହୀନ


ସେ ଆହୁରି ମଧ୍ୟ କହିଛନ୍ତି, "ଆମର ଏ କାର୍ଯ୍ୟକ୍ରମ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି । ବିକାଶର ସୁଫଳରେ ଗରିବ ଲୋକର ପ୍ରଥମ ଅଧିକାର ରହିଛି । ସହରର ରୂପାନ୍ତରରେ ଜାଗା ମିଶନ ନୂଆ ଯୁଗ ଆରମ୍ଭ କରିଛି । ଜାଗା ମିଶନର ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଯୋଗାଇଛି । ମୁଖ୍ୟମନ୍ତ୍ରୀ ଏହାକୁ ଧନ୍ୟବାଦ ଦେବା ସହିତ ଟାଟା ଷ୍ଟିଲକୁ ସମ୍ବର୍ଦ୍ଧିତ କରିଛନ୍ତି । ଲୋକଙ୍କ ଜୀବନରେ ରୂପାନ୍ତର ଆଣିବା ପାଇଁ ଆମର ଉଦ୍ୟମକୁ 5T ଉପକ୍ରମ ତ୍ୱରାନ୍ୱିତ କରିଛି । ଜାଗା ମିଶନ ଏହାର ଏକ ପ୍ରକୃଷ୍ଠ ଉଦାହରଣ । ସମସ୍ତଙ୍କ ସହଯୋଗ ଓ ସମସ୍ତଙ୍କୁ ସାଥିରେ ନେଇ ଆମେ ଆଗକୁ ବଢୁଛୁ । ଏହି ଲକ୍ଷ୍ୟ ପୂରଣ ଦିଗରେ ଆଜିର କାର୍ଯ୍ୟକ୍ରମ ଏକ ମାଇଲଷ୍ଟୋନ ହୋଇ ରହିବ । ଏକ ନୂଆ ଓଡିଶା, ସଶକ୍ତ ଓଡିଶା, ରୂପାନ୍ତରିତ ଓଡିଶା ଗଢିବା ଆମର ଲକ୍ଷ୍ୟ ।"



୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଜାଗା ମିଶନ କାର୍ଯ୍ୟକ୍ରମରେ ସହରର ବସ୍ତିଗୁଡିକରେ ରହୁଥିବା ଗରିବ ପରିବାର ଗୁଡିକୁ ଭୂମି ଅଧିକାର ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ୧ ଲକ୍ଷ ୭୦ ହଜାରରୁ ଅଧିକ ପରିବାରକୁ ଭୂମି ଅଧିକାର ମିଳିଛି । ଆଜିର କାର୍ଯ୍ୟକ୍ରମକୁ ମିଶାଇ ରାଜ୍ୟରେ ୨ ଲକ୍ଷ ୪୦ ହଜାର ପରିବାରକୁ ଭୂମି ଅଧିକାର ମିଳିଲା । ଏହା ସହିତ ୪୦ ହଜାର ପରିବାରକୁ ଘର ତିଆରି ପାଇଁ ସହାୟତା ମଧ୍ୟ ଦିଆଯାଇଛି । ବସ୍ତି ମୁକ୍ତ ଓଡିଶା ଗଠନ ଉଦ୍ଦେଶ୍ୟ ନେଇ ଏହି ସବୁ ବସ୍ତି ଗୁଡିକୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଦିଆଯାଇ ଏସବକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୬୮ଟି ପୌରାଞ୍ଚଳର ୧୦୧୦ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି ।



ବିଜୁ ଆଦର୍ଶ କଲୋନିରେ ପରିଣତ ହୋଇଥିବା ୧୦୧୦ଟି ବସ୍ତିକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । କଟକ ମହାନଗର ନିଗମ, ଖୋର୍ଦ୍ଧା, କୋରାପୁଟ ଓ ଯାଜପୁର ପୌରାଞ୍ଚଳକୁ ବିଜୁ ଆଦର୍ଶ କଲୋନି ନିର୍ମାଣରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଏହି ପୌରାଞ୍ଚଳକୁ ସମ୍ମାନିତ କରିଛନ୍ତି । ସେହିପରି ଯେଉଁଠାରେ ଆଇନଗତ କାରଣରୁ ବସ୍ତି ଲୋକଙ୍କୁ ନିଜେ ରହୁଥିବା ସ୍ଥାନରେ ଜାଗା ଦିଆଯିବା ସମ୍ଭବ ନୁହେଁ, ସେଠାରେ ସମସ୍ତଙ୍କ ସହମତିରେ ନିକଟସ୍ଥ ସ୍ଥାନରେ ଜାଗ ଦିଆଯାଇ ନୂଆ କଲୋନି ସ୍ଥାପନ କରାଯାଉଛି । ନୂଆ କଲୋନୀ ସ୍ଥାପନରେ ଚିକିଟି, ବୌଦ୍ଧ, ଢେଙ୍କାନାଳ ଓ କେଶିଙ୍ଗା ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି ।

ଜଙ୍ଗଲ, ଜମିରେ ଘର କରିଥିବା ଗରିବ ଲୋକଙ୍କୁ ଜଙ୍ଗଲ ଅଧିକାର ଆଇନର ପ୍ରୟୋଗରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ସାରା ଦେଶରେ ପ୍ରଥମ ସ୍ଥାନ ପାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ସମ୍ବର୍ଦ୍ଧିତ କରିଛନ୍ତି । ସେହିପରି ରାଜ୍ୟର ଜାଗା ମିଶନ କାର୍ଯ୍ୟକ୍ରମ UN-World Habitat Award 2023 ପାଇଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଜାଗା ମିଶନ ଟିମକୁ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି । କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବୀ ନିଜର ଅଭିଭାଷଣ କହିଛନ୍ତି । ଟାଟା ଷ୍ଟିଲ ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ, ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମରେ ସରକାରଙ୍କୁ ସହଯୋଗ ଯୋଗାଇଦେବା ପାଇଁ ଟାଟା ଷ୍ଟିଲ ସବୁବେଳେ ପ୍ରସ୍ତୁତ । ଏପରି ଏକ କାର୍ଯ୍ୟକ୍ରମ ଟାଟା ଷ୍ଟିଲ ପାଇଁ ସମ୍ପୂର୍ଣ୍ଣ ଭାବେ ନୂଆ ହୋଇଥିଲେ ମଧ୍ୟ ଏହି ଦାୟିତ୍ୱକୁ ଆମେ ଠିକ୍ ଭାବେ ତୁଲାଇଛୁ । ଆଗକୁ ମଧ୍ୟ ଏହିପରି ସହଯୋଗ ଜାରି ରହିବ ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.