ETV Bharat / state

ମାଲକାନଗିରିରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ୩ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

author img

By ETV Bharat Odisha Team

Published : Nov 25, 2023, 5:46 PM IST

Updated : Nov 25, 2023, 7:54 PM IST

cm announces ex gratia
ମୃତକଙ୍କ ପରିବାରକୁ ଅନୁକମ୍ପାରାଶି

Malkangiri Tipper Mishap: ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ସିମେଣ୍ଟ ଓ ରଡ ବୋଝେଇ ଟିପର ଓଲଟି ପଡିଥିଲା । ଦୁର୍ଘଟଣାରେ ୬ ଶ୍ରମିକଙ୍କ ଜୀବନ ଯାଇଥିବାବେଳେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା ଯୋଗାଇ ଦିଆଯିବ ।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ୮ ଜଣଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୃତାହତ ସମସ୍ତ ଶ୍ରମିକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଅଞ୍ଚଳର ହୋଇଥିବା ଜଣାପଡିଛି । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ୩ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ...ସଡକ ଦୁର୍ଘଟଣାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଏହା ବି ପଢନ୍ତୁ...ମାଲକାନଗିରି ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ଟିପର୍: ୬ ଶ୍ରମିକ ମୃତ

ସୂଚନା ଅନୁସାରେ, ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ସିମେଣ୍ଟ ଓ ରଡ ବୋଝେଇ ଟିପର ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ୬ ଜଣ ଶ୍ରମିକଙ୍କର ଜୀବନ ଯାଇଛି । ତେବେ ଟିପରଟି ଚିତ୍ରକୋଣ୍ଡାରୁ ଯୋଡାମ୍ବ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡ଼ିଥିବା କୁହାଯାଉଛି । ୧୩ ଜଣ ଶ୍ରମିକଙ୍କୁ ନେଇ ଯାଉଥିଲା ଏହି ଟିପର । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ସେଠାରେ ଭିଡ ଜମାଇଥିଲେ । ଖବର ପାଇ ହନ୍ତାଳଗଡ଼ା BSF ଯବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଗୁରୁତର ଆହତମାନଙ୍କୁ ବଡ଼ପଡ଼ା ହସ୍ପିଟାଲ ଏବଂ ଚିତ୍ରକୋଣ୍ଡା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ନିକଟରେ କଳାହାଣ୍ଡି ଜୁନାଗଡରେ ମଧ୍ୟ ସଡ଼କ ଦୁର୍ଘଟଣା ଘଟି ଚିକିତ୍ସାଧୀନ ଥିବା ଜଣେ ଯୁବକଙ୍କ ଜୀବନ ଯାଇଛି । କ୍ଷତିପୂରଣ ଦାବିରେ ଘୋଡ଼ାଘାଟ ଛକ ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ଅଞ୍ଚଳବାସୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 25, 2023, 7:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.