ETV Bharat / state

VSSUT Student Death Case: NHRCରେ ମାମଲ ଦାଖଲ

author img

By

Published : Mar 5, 2023, 4:01 PM IST

VSSUT Student Death Case
VSSUT Student Death Case

ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଦାଖଲ ହେଲା ମାମଲା । ଅଧିକ ପଢ଼ନ୍ତୁ

NHRCରେ ମାମଲ ଦାଖଲ

ଭୁବନେଶ୍ବର: ଭିସୁଟର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । କେମିତି ହେଲା ଚିନ୍ମୟୀଙ୍କ ମୃତ୍ୟୁ ? ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ? ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନଥିବା ବେଳେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାଖଲ କରାଯାଇଛି । ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ ସହ ଜାତୀୟ ମାନବାଧିକାର କମିଶନଙ୍କ ଟିମ୍‌ ତଦନ୍ତ କରିବାକୁ କେଶ୍‌ ନମ୍ବର ୩୭୧୬/ଇନ/୨୦୨୩ କେଶ ନମ୍ବରରେ ଏକ ମାମଲା ଦାଖଲ କରିଛନ୍ତି ମାନବାଧିକାର କର୍ମୀ ସୁବ୍ରତ କୁମାର ଦାଶ ।

ଗତ ଫେବୁଆର ୨୮ ତାରିଖରେ କଳାହାଣ୍ଡି ଜିଲ୍ଲା ମଦନପୁରର ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିଲା । ଯିଏକି ବୁର୍ଲା ଭିସୁଟ୍‌ର ପୁରାତନ ଛାତ୍ରୀ ଅଟନ୍ତି । ୨୮ ତାରିଖରେ ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଡିଗ୍ରୀ ସାର୍ଟିଫିକେଟ ଆଣିବା ପାଇଁ ଚିନ୍ମୟୀ କଲେଜକୁ ଯାଇଥିଲେ । ସେଠାରୁ ସାର୍ଟିଫିକେଟ ଆଣିବା ପରେ ସେହି ଦିନ ରାତିରେ ବୁର୍ଲା ପାୱାର ଚ୍ୟାନେଲ ବ୍ରିଜ ନିକଟରେ ନିଜର ପୁରୁଷ ବନ୍ଧୁ ଏବଂ ଅନ୍ୟ କିଛି ସାଙ୍ଗଙ୍କ ସହ ବୁଲାବୁଲି କରୁଥିଲେ । ଏହାପରେ ସେ ବୁର୍ଲା ପାୱାର ଚ୍ୟାନେଲ ବ୍ରିଜକୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଥିଲା । ଏନେଇ ପରିବାର ଲୋକ ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ।

ତେବେ ଦିନ ଗଡିବା ସହ ଚିନ୍ମୟୀଙ୍କ ମୃତ୍ୟୁ ଆଜିବି ରହସ୍ୟ ଘେରରେ ରହିଛି । ମୃତ୍ୟୁର ପ୍ରକୃତ କାରଣ ଖୋଜିବାକୁ ଜାତୀୟ କମିଶନଙ୍କ ଏକ ଟିମ୍‌ ତଦନ୍ତ କରୁ ଏବଂ ତାଙ୍କ ପରିବାରକୁ 50 ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାପାଇଁ ଅନୁରୋଧ କରିଛନ୍ତି ମାନବାଧିକାର କର୍ମୀ ସୁବ୍ରତ କୁମାର ଦାଶ ।

ଫେବୁଆର ୨୮ ତାରିଖରେ ଚିନ୍ମୟୀ ପରିବାର ଲୋକଙ୍କ ସହ ଫୋନ୍‌ରେ କଥା ହୋଇଥିଲେ । ରାତି ୯ଟା ବେଳେ ବସ୍‌ ଅଛି ସେଥିରେ ଘରକୁ ଫେରିଯିବା କଥା ପରିବାର ଲୋକଙ୍କୁ କହିଥିଲେ । ହେଲେ ଘରକୁ ଫେରିବା ପୂର୍ବରୁ ଚିନ୍ମୟୀଙ୍କ ମୃତ୍ୟୁ ଖବର ପାଇଥିଲେ ପରିବାର ଲୋକେ । ଏହାପରେ ଥାନାରେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ସଦସ୍ୟ । ଏନେଇ ମଧ୍ୟ ବୁର୍ଲା ଥାନାରେ ଏତଲା ଦିଆଯାଇଛି ।

ଗତକାଲି ଚିନ୍ମୟୀଙ୍କ ଘରେ ବୁର୍ଲା ପୋଲିସର 2 ଜଣିଆ ଟିମ୍‌ ଆସି ତଦନ୍ତ କରିଥିଲେ । ଦିନ 1ଟା ସମୟରେ ପୋଲିସ ଟିମ୍‌ ତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଥିଲା । ତେବେ ଦୀର୍ଘ ଦେଢ ଘଣ୍ଟା ଧରି ମୃତ ଚିନ୍ମୟୀଙ୍କ ମା' ଓ ଭଉଣୀକୁ ପଚରାଉଚରା କରିଥିଲା । କିନ୍ତୁ ପୋଲିସ ମିଡିଆ ଆଗରେ ଏନେଇ ମୁହଁ ଖୋଲିନଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.