ETV Bharat / state

ବିପଦରେ ବିଶାଳ ଲବଣ ହ୍ରଦ ଚିଲିକା, ପୋତି ହେଉଛି ଗର୍ଭ-ମୁହାଣ

author img

By

Published : Nov 8, 2021, 7:14 PM IST

ଚିଲିକାରେ ଏବେ କାୟା ବିସ୍ତାର କରିବାରେ ଲାଗିଛି ରାଜଦଳ । ରାଜଦଳ ହିଁ ପାଲଟିଛି ଚିଲିକାର ବଡ଼ ଦୁଃଖ । ଏଥିପ୍ରତି ଦୃଷ୍ଟି ଦିଆନଗଲେ ପୋତି ହୋଇଯିବ ଏହି ବିଶାଳ ଲବଣ ହ୍ରଦ । ଅଧିକ ପଢ଼ନ୍ତୁ...

ଚିଲିକାରେ ଘନଉଛି ରାଜଦଳ ସଙ୍କଟ, ଧ୍ୟାନ ନଦେଲେ ପୋତି ହେବ ଚିଲିକାରାଣୀ
ଚିଲିକାରେ ଘନଉଛି ରାଜଦଳ ସଙ୍କଟ, ଧ୍ୟାନ ନଦେଲେ ପୋତି ହେବ ଚିଲିକାରାଣୀ

ଖୋର୍ଦ୍ଧା: ଚିଲିକାକୁ ଲାଗିଛି ଗ୍ରହଣ । ପରିବେଶଗତ ସଙ୍କଟ ସହ ଲଢ଼େଇ କରୁଛି ଚିଲିକାରାଣୀ । ପ୍ରବାସୀ ପକ୍ଷୀମାନଙ୍କ ପାଇଁ ସବୁଠାରୁ ବଡ ଶୀତକାଳୀନ ବାସସ୍ଥାନ ଚିଲିକା । ଚିଲିକାରେ ଶୀତଦିନ ବିତାଇବା ପାଇଁ ବିଦେଶୀ ପକ୍ଷୀମାନେ ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ଉଡ଼ି ଏଠାକୁ ଆସନ୍ତି । ବିରଳ ପ୍ରଜାତି ବା ସଙ୍କଟାପନ୍ନ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀଙ୍କୁ ନିଜ ଛାତିରେ ସଜେଇ ରଖିଛି ଚିଲିକାରାଣୀ । ଚିଲିକାର ଏହି ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଟାଣି ହୋଇ ଆସନ୍ତି ପର୍ଯ୍ୟଟକ ।

ଚିଲିକାରେ ଘନଉଛି ରାଜଦଳ ସଙ୍କଟ, ଧ୍ୟାନ ନଦେଲେ ପୋତି ହେବ ଚିଲିକାରାଣୀ

ହେଲେ ଏବେ ଚଲିକା ଉପରେ ରାଜଦଳର ନଜର ପଡ଼ିଛି । ଏହି ବିଶାଳ ଲବଣ ହ୍ରଦରେ ରାଜଦଳ ବୃଦ୍ଧି ଯୋଗୁଁ ଧିରେଧିରେ ଗର୍ଭ ଓ ମୁହାଣ ପୋତି ହେବାରେ ଲାଗିଛି । ଏହି ରାଜଦଳ ହିଁ ପାଲଟିଛି ଚିଲିକାର ବଡ଼ ଦୁଃଖ । ସମସ୍ୟା ଲାଗି ରହିଲେ ଚିଲିକା ନିଜ ପରିଚୟ ହରାଇବା ସହ ବିପନ୍ନ ହୋଇ ପଡିବେ ଲକ୍ଷାଧିକ ମସ୍ୟଜୀବୀ ପରିବାର ।

ସମୟ ବଦଳିବା ସହ ଚିଲିକା ଏବେ ରୋଗାକ୍ରାନ୍ତ କହିଲେ ଭୁଲ୍‌ ହେବନି । ବିଶାଳ ହ୍ରଦ ଉପରେ ଯୁଆଡ଼େ ଆଖି ବୁଲାଇ ଚାହିଁଲେ ମୁଣ୍ଡ ଉଚ୍ଚ ଦଳ ଆଖିରେ ପଡ଼ୁଛି । ବୈଜ୍ଞାନିକଙ୍କ ମତରେ ଦଳ ପଚିଲେ ମିଥେନ ଗ୍ୟାସ ସୃଷ୍ଟି କରେ, ଯାହା ମାଛଙ୍କ ଖାଦ୍ୟ ନଷ୍ଟ କରେ । ଏହି ରାଜଦଳ ପାଇଁ ବହୁ ବିରଳ ପ୍ରଜାତିର ମାଛ ବଂଶ ଏବେ ଲୋପ ପାଇଥିବା ବେଳେ ସରକାରଙ୍କ କିନ୍ତୁ ଏଥିପ୍ରତି ଚିନ୍ତା ନାହିଁ ।

ମାଛ ବଂଶ ବୃଦ୍ଧି ପାଉନଥିବା କାରଣରୁ ଚିଲିକା ଉପରେ ନିର୍ଭର କରି ରହୁଥିବା ମସ୍ୟଜୀବୀ ପରିବାର ଏବେ ପର ରାଜ୍ୟକୁ ଦାଦନ ମୁଁହା ହେଉଛନ୍ତି । ଚିଲିକା ହେଉଛି ପାରମ୍ପରିକ ମସ୍ୟଜୀବୀଙ୍କ ପାଇଁ ଭାତହାଣ୍ଡି । ପ୍ରଦୂଷଣ ମାଛ ଉତ୍ପାଦନର ପରିମାଣ କମାଇ ସାରିଲାଣି । ଦଳ ଯୋଗୁ ଡଙ୍ଗା ଚିଲିକା ଭିତରକୁ ଯାଇପାରୁନାହିଁ ।

ଖାଲି ରାଜଦଳ ଚିଲିକାରେ ଏକ ପ୍ରମୁଖ ସମସ୍ୟା ତାହା ନୁହେଁ । ବୁଲିବାକୁ ଆସୁଥିବା ପର୍ଯ୍ୟଟକ ପଲଥିନ, ପାଣି ବୋତଲ ଭଳି ପ୍ଲାଷ୍ଟିକ ବର୍ଯ୍ୟ ସହ ଅନ୍ୟ ଖାଦ୍ୟ ସାମଗ୍ରୀ ମଧ୍ୟ ଚିଲିକାରେ ଫିଙ୍ଗୁଛନ୍ତି । ଯାହା ଚିଲିକାର ଜୀବନ ଚିତ୍ରକୁ ପ୍ରତିକୁଳ ଭାବେ ପରିବର୍ତ୍ତନ କରିବା ଆରମ୍ଭ କରିଛି ।

କେବଳ ମାଛ ନୁହନ୍ତି ଅନ୍ୟ ସରୀସୃପ ଓ ବିଦେଶୀ ପକ୍ଷୀଙ୍କ ପାଇଁ ଚିଲିକା ଦିନକୁ ଦିନ ବିଷାକ୍ତ ଜଳରାଶି ପାଲଟୁଛି । ଏହାଏକ ବଡ଼ ବିପଦର ସଙ୍କେତ । ବେଳ ଥାଉଥାଉଁ ଦୀର୍ଘମିଆଦି ଯୋଜନା ହାତକୁ ନନେଲେ ଚିଲିକା ଦିନେ ନିର୍ଜିବ ହୋଇଯିବ । ଏଥିରେ ସନ୍ଦେହ ନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.