ETV Bharat / state

Scrub Typhus Report: ସ୍କ୍ରବ୍ ଟାଇଫସ ଚିନ୍ତା, ରିପୋର୍ଟ ଦେଲା କେନ୍ଦ୍ରୀୟ ଟିମ୍‌

author img

By ETV Bharat Odisha Team

Published : Oct 28, 2023, 7:40 AM IST

ରାଜ୍ୟରେ ସ୍କ୍ରବ୍ ଟାଇଫସ ଚିନ୍ତା, କେନ୍ଦ୍ରୀୟ ଟିମ ଦେଲା ରିପୋର୍ଟ
ରାଜ୍ୟରେ ସ୍କ୍ରବ୍ ଟାଇଫସ ଚିନ୍ତା, କେନ୍ଦ୍ରୀୟ ଟିମ ଦେଲା ରିପୋର୍ଟ

ସ୍କ୍ରବ୍ ଟାଇଫସର ପ୍ରାଥମିକ ରିପୋର୍ଟ ଦେଲା କେନ୍ଦ୍ରୀୟ ଟିମ । ଏଣିକି ମୌସୁମୀ ଋତୁ ପୂର୍ବରୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଅଧିକ ପଢନ୍ତୁ

ରାଜ୍ୟରେ ସ୍କ୍ରବ୍ ଟାଇଫସ ଚିନ୍ତା, କେନ୍ଦ୍ରୀୟ ଟିମ ଦେଲା ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରେ ସ୍କ୍ରବ୍ ଟାଇଫସକୁ ନେଇ କେନ୍ଦ୍ରୀୟ ଟିମ ଦେଲା ପ୍ରାଥମିକ ରିପୋର୍ଟ । ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି ଯେ, ଅନେକ ଆକ୍ରାନ୍ତ ଯେଉଁମାନେ କି ବିଳମ୍ବରେ ଟେଷ୍ଟିଂ କରୁଛନ୍ତି ଏବଂ ଏହାର ଚିକିତ୍ସା ମଧ୍ୟ ରୋଗର ସ୍ଥିତି ପାଇଁ ଦାୟୀ କରାଯାଇଛି । ଏଣିକି ମୌସୁମୀ ଋତୁ ପୂର୍ବରୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ବୋଲି ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି । କେନ୍ଦ୍ରର ଏହି ରିପୋର୍ଟ ପରେ ସ୍କ୍ରବ୍ ଟାଇଫସ୍ ପ୍ରସଙ୍ଗଟି ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଚଳିତବର୍ଷ ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ ସଂକ୍ରମଣ ହଇଚଇ ସୃଷ୍ଟି କରିଥିଲା । ବିଶେଷକରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅନେକ ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ନଜରକୁ ଆସିଥିଲା ।

ଏହି ଘଟଣାକୁ ନେଇ ଏକ କେନ୍ଦ୍ରୀୟ ଟିମ୍‌ ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲା ପରିଦର୍ଶନ କରିବା ସହିତ ରାଜ୍ୟ ସରକାରଙ୍କ ସହ ମଧ୍ୟ ଏହାକୁ ନେଇ ଆଲୋଚନା କରିଛନ୍ତି । ତେବେ ଏହାରି ମଧ୍ୟରେ ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ଅନେକ ସଂଖ୍ୟାରେ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହେବା ସହିତ ଅନେକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ୪ଟି ଜିଲ୍ଲାକୁ ଗୁରୁତ୍ୱ ଦେଇ ଏକ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ତେବେ ରିପୋର୍ଟରେ ସୂଚନା ଦିଆଯାଇଛି ଯେ, ଚଳିତ ବର୍ଷ ସୁନ୍ଦରଗଡ଼ରେ ୪ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ କୋଇଡ଼ା ବ୍ଲକକୁ ବାଦ ଦେଲେ ଅନ୍ୟ ସମସ୍ତ ବ୍ଲକ୍‌ ସ୍କ୍ରବ୍ ଟାଇଫସ୍‌ରେ ପ୍ରଭାବିତ ହୋଇଛି । ୧୫ ବର୍ଷରୁ କମ୍ ୩୦ ପ୍ରତିଶତ, ୩୧ ରୁ ୪୫ ବର୍ଷ ୨୩ ପ୍ରତିଶତ ଏବଂ ୪୬ ରୁ ୭୦ ବର୍ଷର ୧୭ ପ୍ରତିଶତ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ୫୦ ପ୍ରତିଶତ ଘାସରେ ବସିବା ଓ ଶୋଇବା, ଖାଲି ପାଦରେ ଚାଲିବା କିମ୍ବା ଜଙ୍ଗଲ ଦେଇ ଚଳପ୍ରଚଳ କରିବା ସମୟରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଏପଟେ ୪୯ ପ୍ରତିଶତ ଲୋକ ବାହାରେ ମଳ ତ୍ୟାଗ କରୁଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ...One Health Programme: ଜୁନୋଟିକ ଡିଜିଜ୍ ସଂକ୍ରମଣ ରୋକିବାକୁ WHOର ପଦକ୍ଷେପ, ଓଡ଼ିଶାରେ ହେବ ପାଇଲଟ ପ୍ରକଳ୍ପ

ଅନ୍ୟପଟେ ଅନେକ ଆକ୍ରାନ୍ତ ବହୁ ବିଳମ୍ବରେ ଟେଷ୍ଟିଂ କରିବା ସହ ହସ୍ପିଟାଲରେ ଭର୍ତ୍ତି ମଧ୍ୟ ବିଳମ୍ବିତ ହୋଇଛନ୍ତି । ଏପରିକି ରୋଗୀମାନଙ୍କର ଡାଏଗ୍ନୋସିସ୍‌ରେ ବିଳମ୍ବ ମଧ୍ୟ ହେଉଛି । ତେବେ ଯେଉଁମାନଙ୍କର ଠିକ୍ ସମୟରେ ଟେଷ୍ଟିଂ ହୋଇଛି ସେମାନେ ସୁସ୍ଥ ହୋଇଯାଇଛନ୍ତି । ସ୍କ୍ରବ ଟାଇଫସ ସଂକ୍ରମଣକୁ ନେଇ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଯେହେତୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏ ଦୃଷ୍ଟିରୁ ଡାକ୍ତରମାନେ ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତଙ୍କୁ ଆଗୁଆ ଟେଷ୍ଟିଂ କରିବା ଆବଶ୍ୟକତା ରହିଛି ।

ଚଳିତ ବର୍ଷ ରାଜ୍ୟରେ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ୨୮ଶହରୁ ଅଧିକ ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୦୨୨ ତୁଳନାରେ ଚଳିତ ବର୍ଷ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବା ନଜରକୁ ଆସିଛି । ସ୍କ୍ରବ୍ ଟାଇଫସ୍‌କୁ ନେଇ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତାର ଅଭାବ ରହିଛି ।ଏପଟେ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ,"ରାଜ୍ୟରେ କେନ୍ଦ୍ରୀୟ ଟିମ 4 ଟି ଜିଲ୍ଲା ବୁଲିଛନ୍ତି। ସୁନ୍ଦରଗଡ ସମ୍ବଲପୁର ଝାରସୁଗୁଡା ଏବଂ ବରଗଡ। ଏହା ନେଇ ଓଡିଶାରେ ଯେଉଁ ସମସ୍ତ ବ୍ୟବସ୍ଥା କରାଯାଇଛି ସେନେଇ ସେମାନେ ସନ୍ତୋଷଲାଭ କରିଛନ୍ତି । "

ଇଟିଭି ଭାରତ,ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.