ETV Bharat / state

ଉପରେ କୁଣ୍ଡା ବସ୍ତା ଭିତରେ‌ ଗଞ୍ଜେଇ ବ୍ୟାଗ୍, ପୁଷ୍ପା ଷ୍ଟାଇଲରେ ଭୁବନେଶ୍ୱରରୁ ଧରାପଡିଲା

author img

By

Published : May 17, 2023, 11:01 PM IST

cannabis seized from Bhubaneswar
ଭୁବନେଶ୍ବରରୁ ଗଞ୍ଜେଇ ଜବତ

ପୁଷ୍ପା ଷ୍ଟାଇଲରେ ବ୍ରହ୍ମପୁରରୁ ପୁରୀକୁ ଚାଲାଣ ହେଉଥିଲା ଗଞ୍ଜେଇ, ଭୁବନେଶ୍ବରରେ ମାଡ଼ି ବସିଲା କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ଭୁବନେଶ୍ବରରୁ ଗଞ୍ଜେଇ ଜବତ

ଭୁବନେଶ୍ବର: କୁଣ୍ଡା ଭର୍ତ୍ତି ଗାଡିରେ ଚାଲାଣ ହେଉଥିଲା ଗଞ୍ଜେଇ। ଚାଲାଣ ବେଳେ ମାଡି ବସିଲା କମିସନରେଟ ପୋଲିସ । ଏକ ଗଞ୍ଜେଇ ଭର୍ତ୍ତି ଗାଡ଼ି ବ୍ରହ୍ମପୁରରୁ ପୁରୀ ଚାଲାଣ ବେଳେ ଭୁବନେଶ୍ୱର ଧରାପଡିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ୧ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିଛି କମିସନରେଟ ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ହେବା ନେଇ ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।

ମଞ୍ଚେଶ୍ବର ଥାନା ହାଇଟେକ ଛକରୁ ଗଞ୍ଜେଇ ଗାଡ଼ିକୁ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ମୋହନାର ପ୍ରମୋଦ କୁମାର‌ ବେହେରା ଏବଂ ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ପ୍ରଭାତ ମୁଦୁଲି । ସେମାନଙ୍କ ଠାରୁ ଦୁଇଟି ମୋବାଇଲ ମଧ୍ୟ ଜବତ କରାଯାଇଛି । ପୋଲିସର ସୂଚନା ଅନୁଯାୟୀ, ଏମାନେ ବିଶେଷ କରି ଗଜପତି ଆଖପାଖ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରିଥାନ୍ତି। ପରେ ତାକୁ ଏକାଠି କରି ଏହାକୁ ବିଭିନ୍ନ ସ୍ଥାନରେ ଯୋଗାଇଥାନ୍ତି । ପୂର୍ବରୁ ଏକ ଗଞ୍ଜେଇ ମାମଲାରେ ଧରାପଡ଼ିଥିବା ଅଭିଯୁକ୍ତ ଠାରୁ ପୋଲିସ ସୂଚନା ପାଇ ଚାଲାଣକାରୀଙ୍କୁ ଧରିବା ପାଇଁ ଯୋଜନା କରିଥିଲା । ନିୟମିତ ଭାବେ ଏସବୁ କାରବାର ଉପରେ ନଜର ରଖିଥିଲା କୁଇକ ଆକ୍ସନ ଟିମ୍।

ତେବେ ମଙ୍ଗଳବାର ବିଶେଷ ସୂତ୍ରରୁ ସୂଚନା ପାଇ କୁଇକ ଆକ୍ସନ ଟିମ୍ ଗଞ୍ଜେଇ କାରବାରର ସୁରାକ ପାଇ ଜାଲ ବିଛାଇଥିଲା । ବ୍ରହ୍ମପୁରରୁ ପୁରୀ ଗଞ୍ଜେଇ ଚାଲାଣ ପାଇଁ ଯୋଜନା କରୁଥିଲେ ଅଭିଯୁକ୍ତ । ଯେହେତୁ କୁଣ୍ଡା ବୋଝେଇ ଗାଡି ଥିଲା ତେଣୁ ଗାଡିଟିକୁ ସନ୍ଦେହ କରିବା ମୁସ୍କିଲ ଥିଲା । ଯେହେତୁ ଅଭିଯୁକ୍ତ ଜଣକ ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିଲା । ତେଣୁ ସେମାନେ ଗାଡ଼ିକୁ ଭୁବନେଶ୍ୱର ଦେଇ ପୁରୀ ବାଇପାସ୍ ଯୋଗେ ପଠାଇବାକୁ ପ୍ଲାନ କରିଥିଲେ । ଏହାର ସୂଚନା ପାଇ ହାଇଟେକ୍ ଛକରେ ଗାଡ଼ିକୁ କୁଇକ ଆକ୍ସନ ଟିମ୍ ମାଡି ବସିଥିଲେ । କୁଣ୍ଡା ଗାଡିର ଆଳ ଦେଖାଇ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଗାଡ଼ିର ଯାଞ୍ଚ ପରେ ୪ଟି ବ୍ୟାଗରୁ ୧୪୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, " ନିଶା କାରବାର ଉପରେ କମିଶନରେଟ ପୋଲିସ ଅପରେସନ ହ୍ୱାଇଟ ସ୍ପାଏଡର ନାମରେ ଏକ ଅଭିଯାନ‌ ଜାରି ରଖିଛି । ଏହି ଆଧାରରେ ବିଭିନ୍ନ ଅଞ୍ଚଳରୁ ହେଉଥିବା ଗଞ୍ଜେଇ କାରବାର ନେଇ ପୋଲିସ ନଜର‌ ରଖି ଏହାର ପର୍ଦ୍ଦାଫାସ କରୁଛି । ଆଗକୁ ମଧ୍ୟ ଏହି ଡ୍ରାଇଭ ଜାରି ରହିବ ।"



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.