ETV Bharat / state

ଅମଲା ସଂଘ ଆନ୍ଦୋଳନ ସ୍ଥଗିତ, ସୋମବାର ଗଠନ ହେବ ଉଚ୍ଚସ୍ତରୀୟ କମିଟି

author img

By

Published : Jun 18, 2023, 9:15 AM IST

ଅମଲା ସଂଘ ଆନ୍ଦୋଳନ ସ୍ଥିଗତ
ଅମଲା ସଂଘ ଆନ୍ଦୋଳନ ସ୍ଥିଗତ

୧୭ ଦିନ ଧରି ଚାଲିଥିବା ଅମଲା ସଂଘ ଆନ୍ଦୋଳନ ସ୍ଥଗିତ । ସୋମବାରଠୁ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ୧୭ ଦିନ ଧରି ଚାଲିଥିବା ମିଳିତ ଅମଲା ମଞ୍ଚର ଆନ୍ଦୋଳନ ସ୍ଥଗିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଛି ଅମଲା ମଞ୍ଚ । ସୋମବାର ଦିନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ । ମିଳିତ ଅମଲା ମଞ୍ଚ କମିଟି ଆଗରେ ଗ୍ରେଡ ପେ ବୃଦ୍ଧି ପାଇଁ ଦାବି ଉପସ୍ଥାପନ କରିବ । ଉକ୍ତ କମିଟିର ରିପୋର୍ଟ ଆଧାରରେ ଦାବି ପୂରଣ ନିମନ୍ତେ ସରକାର ପଦକ୍ଷେପ ନେବେ । ଅମଲା ମଞ୍ଚ ସହ ଆଲୋଚନା ବେଳେ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ ।

ଏଣ୍ଟ୍ରି ଲେଭଲରେ ୪୨୦୦ ଟଙ୍କା ଗ୍ରେଡ ପେ ଓ ପଦୋନ୍ନତି ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲା ଅମଲା ସଂଘ । ୪ଟି ଜିଲ୍ଲାସ୍ତରୀୟ ଅମଲା ସଂଗଠନକୁ ନେଇ ଏହି ଆନ୍ଦୋଳନ ହେଉଥିଲା । ଓଡ଼ିଶା ଅମଲା ସଂଘ, ରାଜସ୍ୱ ଅମଲା ସଂଘ, ଟ୍ରେଜେରୀ ଅମଲା ସଂଘ, ସବ ରେଜିଷ୍ଟ୍ରି ଅମଲା ସଂଘ ପକ୍ଷରୁ ଆନ୍ଦୋଳନ ଚାଲିଥିଲା । ବିଶେଷ କରି ଗ୍ରେଡ ପେ'କୁ ପ୍ରାଧାନ୍ୟ ଦେଇ ଏହି ଆନ୍ଦୋଳନ କରାଯାଉଥିଲା । ତେବେ ୧୭ ଦିନ ଧରି ଚାଲିଥିବା ଅମଲା ସଂଘର ଆନ୍ଦୋଳନ ଶନିବାର ରାତି ଠାରୁ ସ୍ଥଗିତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛି ଅମଲା ସଂଘ ।

ଆଲୋଚନା ଲାଗି ଅମଲା ମଞ୍ଚକୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଡକାଯାଇଥିଲା । ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ନାରାୟଣ ଦାସ, ମିଳିତ ମଞ୍ଚର ଆବାହକ ଚିତ୍ତ ରଞ୍ଜନ ତରାସିଆ ଓ ଅନ୍ୟ ସମସ୍ତ ଅମଲା ସଂଘର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଆଦିତ୍ୟ ମହାପାତ୍ର ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ଥିଲେ । ଭିସି ଯୋଗେ ଯୋଡି ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ ପାଣ୍ଡିଆନ । ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଆଲୋଚନା ସଫଳ ହୋଇଥିବା ଅମଲା ସଂଘ ପକ୍ଷରୁ କୁହାଯାଇଛି । ତେଣୁ ଆନ୍ଦୋଳନକୁ ଶନିବାର ରାତିରୁ ସ୍ଥଗିତ ରଖାଯାଇଛି ।

ଆସନ୍ତା ସୋମବାରଠୁ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ । ସଂଘର ଦାବି ପୂରଣ ନେଇ ଆସନ୍ତା ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ । କମିଟି ରିପୋର୍ଟ ଆସିବା ପରେ ଗ୍ରେଡ ପେ ବୃଦ୍ଧି ହେବ । ଖୁବଶୀଘ୍ର ଅମଲା ସଂଘ ଖୁସି ଖବର ପାଇବା ନେଇ ୫-ଟି ସଚିବ ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି । ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ରଖିଛି ସଂଘ । ଆନ୍ଦୋଳନ ଯୋଗୁ ରହିଥିବା ବକେୟା କାମ ଦିନରାତି ଏକ କରି ସାରିବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଦାବି ପୂରଣ ନହେଲେ ସଂଘ ଆଗାମୀ ରଣନୀତି ସମ୍ପର୍କରେ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି । ପୂର୍ବରୁ ୪୦ ଦିନ ଆନ୍ଦୋଳନ କରି ସଂଘ ଦାବି ପୂରଣ ନେଇ ପ୍ରତିଶ୍ରୁତି ପାଇଥିଲା । କିଛି ଦାବି ପୂରଣ ହୋଇଥିଲା । ଆଉ କିଛି ରହିଥିଲା । ତେଣୁ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.