ETV Bharat / state

ଗନ୍ଧରେ ଫାଟୁଛି ରାଜଧାନୀ, ଆନ୍ଦୋଳନରେ ସଫେଇ କର୍ମଚାରୀ

author img

By ETV Bharat Odisha Team

Published : Dec 19, 2023, 9:11 PM IST

ଆନ୍ଦୋଳନରେ ସଫେଇ କର୍ମଚାରୀ
ଆନ୍ଦୋଳନରେ ସଫେଇ କର୍ମଚାରୀ

Sanitation Workers Protest: ୨ ଦିନ ହେବ ଭୁବନେଶ୍ବରର ୨୦ ୱାର୍ଡରୁ ଉଠୁନି ଅଳିଆ । ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ସଫେଇ କର୍ମଚାରୀ । ଅଧିକ ପଢ଼ନ୍ତୁ

ଆନ୍ଦୋଳନରେ ସଫେଇ କର୍ମଚାରୀ

ଭୁବନେଶ୍ବର: ଆନ୍ଦୋଳନରେ ସଫେଇ କର୍ମଚାରୀ । ସଫେଇ ସଂସ୍ଥା ଆୱାରଲ୍ୟାଣ୍ଡର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ । ଫଳରେ ୨ ଦିନ ହେବ ରାଜଧାନୀର ୨୦ଟି ୱାର୍ଡରୁ ଅଳିଆ ଉଠା ଯାଇପାରିନାହିଁ । ଏହାକୁ ନେଇ ସହର ସାରା ଜମି ରହିଛି କୁଢ଼ କୁଢ଼ ଅଳିଆ । ଯାହା ଫଳରେ ଗନ୍ଧରେ ଫାଟୁଛି ସହର ଘର ବସ୍ତି ଓ ଅଫିସ ପରିସର ।

ସଫେଇ ସଂସ୍ଥା ଆୱାରଲ୍ୟାଣ୍ଡ ଅଧିନରେ ୱାର୍ଡ ନମ୍ବର ୨୭, ୨୮, ୨୯, ୩୦, ୩୪, ୩୫, ୩୬, ୪୧, ୪୬, ୫୨ ଓ ୫୩ ଭଳି ମୋଟ୍‌ ୨୦ଟି ୱାର୍ଡ ରହିଛି । ଏଥିପାଇଁ କମ୍ପାନୀ ଅଧିନରେ ପ୍ରାୟ ୫ ଶହରୁ ଊର୍ଦ୍ଧ୍ବ ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି । ତେବେ ଅନ୍ୟ ସଫେଇ ସଂସ୍ଥାମାନେ ସେମାନଙ୍କ କର୍ମଚାରୀଙ୍କୁ ବିଭିନ୍ନ ସୁବିଧା ଯଥା ପିପିଇ କିଟ୍‌, ଡ୍ରେସ୍‌, ଇପିଏଫ୍‌, ଇଏସ୍‌ଆଇ ଦେଉଥିବାବେଳେ ଆୱାରଲ୍ୟାଣ୍ଡ କିନ୍ତୁ ତାହା ପ୍ରଦାନ କରୁନାହିଁ । ଏପରିକି ଗତ ଅଗଷ୍ଟ ମାସରୁ କର୍ମଚାରୀଙ୍କର ଇପିଏଫ୍‌ କଟୁନାହିଁ କି ଅପ୍‌ଡେଟ୍‌ ହେଉନାହିଁ । ଏନେଇ ବାରମ୍ବାର ସଂସ୍ଥାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ଲାଭ ହେଉନାହିଁ । ତେଣୁ ବାଧ୍ୟ ହୋଇ ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ରହିବ ବୋଲି ଭୁବନେଶ୍ବର ମ୍ୟୁନିସିପାଲିଟି ସଫେଇ କର୍ମଚାରୀ ମଜଦୁର ସଂଘ ଉପସଭାପତି ସୁଶାନ୍ତ ଦଳେଇ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପୌର କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ଧାରଣା

ସେହିପରି ସମ୍ପୃକ୍ତ ସଂସ୍ଥା ୫୦ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଚାକିରୀରୁ ବାହାର କରିଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଅପରପକ୍ଷେ ମହିଳା ସଫେଇ କର୍ମୀମାନେ ସାଙ୍ଗରେ ବ୍ୟାଗ୍‌ ନେବେ । ସଫେଇ କରି ତୁରନ୍ତ ଆବର୍ଜନାକୁ ସେହି ବ୍ୟାଗ୍‌ରେ ରଖିବାକୁ ବାଧ୍ୟ କରାଯାଉଛି । ଯାହାକି କର୍ମଚାରୀଙ୍କ ପାଇଁ ସମ୍ଭବ ହେଉନାହିଁ । ଅନ୍ୟ ସଂସ୍ଥାମାନେ ସେଭଳି କିଛି କରୁ ନଥିବାବେଳେ ଆୱାରଲ୍ୟାଣ୍ଡ କାହିଁକି କର୍ମଚାରୀଙ୍କୁ ହଇରାଣ କରୁଛି ବୋଲି ସଂଘର ସଭାପତି ସହଦେବ ନାୟକ ପ୍ରଶ୍ନ କରିଛନ୍ତି । ତେବେ ସଫେଇ ସଂସ୍ଥା, କର୍ମଚାରୀ ଏବଂ ବିଏମ୍‌ସି ମଧ୍ୟରେ ସମନ୍ବୟ ରହୁ ନଥିବାରୁ ବାରମ୍ବାର ଏଭଳି ଆନ୍ଦୋଳନ ହେଉଥିବା ମତ ପ୍ରକାଶ ପାଇଛି । ସେପଟେ ଆଜି ସଫେଇ କର୍ମଚାରୀଙ୍କୁ ଡାକି ଆଲୋଚନା କରିଛି ବିଏମ୍‌ସି । ମେୟର, କମିଶନର ଓ ପରିମଳ ବିଭାଗର ଅଧ୍ୟକ୍ଷ ୬ ଜଣିଆ ସଫେଇ କର୍ମଚାରୀଙ୍କ ସହ ସହରର ବିପର୍ଯ୍ୟସ୍ତ ପରିମଳ ସମସ୍ୟା ଉପର ଆଲୋଚନା କରିବା ସହ ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଫଳରେ ଆନ୍ଦୋଳନ ସ୍ଥଗିତ କରାଯାଇଛି । ଯଦି ବିଏମ୍‌ସି ପ୍ରତିଶ୍ରୁତି ପାଳନ ନକରେ, ତେବେ ଡିସେମ୍ବର ୨୨ରେ ବିଏମ୍‌ସି କାର୍ଯ୍ୟାଳୟ ଘେରିବୁ ବୋଲି କହିଛନ୍ତି ସଫେଇ କର୍ମଚାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.