ETV Bharat / state

'ଆଦିବାସୀଙ୍କ ଭୋଟ ହାତେଇବାକୁ ପ୍ରୟାସ କରୁଛି ବିଜେଡ଼ି'

author img

By ETV Bharat Odisha Team

Published : Dec 7, 2023, 9:16 PM IST

' ଆଦିବାସୀଙ୍କ ଭୋଟ ହାତେଇବା ପାଇଁ ପ୍ରୟାସ କରୁଛି ବିଜେଡ଼ି '
' ଆଦିବାସୀଙ୍କ ଭୋଟ ହାତେଇବା ପାଇଁ ପ୍ରୟାସ କରୁଛି ବିଜେଡ଼ି '

ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦାବି କଲେ ବିଜେଡି ସାଂସଦ । ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ଜନଜାତି ମୋର୍ଚ୍ଚା ସଭାପତି । ଅଧିକ ପଢନ୍ତୁ

' ଆଦିବାସୀଙ୍କ ଭୋଟ ହାତେଇବା ପାଇଁ ପ୍ରୟାସ କରୁଛି ବିଜେଡ଼ି '

ଭୁବନେଶ୍ୱର: ଆଦିବାସୀ ଭାଷାକୁ ସମ୍ବିଧାନରରେ ସାମିଲ କରିବା ପାଇଁ ଦାବି ଉଠାଇଲେ ସାଂସଦ । ଗତକାଲି ସଂସଦରେ ବିଜେଡ଼ି ସାଂସଦ ୫ଟି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଏବଂ 169ଟି ଜାତି ବର୍ଗଙ୍କୁ ଜନଜାତି ତାଲିକାରେ ସାମିଲ କରିବା ପାଇଁ ଦାବି କରିଥିଲେ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ଜନଜାତି ମୋର୍ଚ୍ଚାର ସଭାପତି ନିତ୍ୟାନନ୍ଦ ଗଣ୍ଡ ।

ସେ କହିଛନ୍ତି,"ବିଜେଡ଼ି ସରକାର ଭୟଭୀତ ହୋଇ ପଡିଛି । ଏହା ବିଜେଡ଼ିର ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା । କେବଳ ଆଦିବାସୀଙ୍କ ଭୋଟ ହାତେଇବା ପାଇଁ ବିଜେଡ଼ି ଏଭଳି ପ୍ରୟାସ କରୁଛି । କାରଣ ଛତିଶଗଡ ଏବଂ ମଧ୍ୟପ୍ରଦେଶ ନିର୍ବାଚନରେ ବିଜେପିକୁ ଆଦିବାସୀଙ୍କ ବିପୁଳ ସମର୍ଥନ ମିଳିଛି । ସେଥିପାଇଁ ଓଡିଶାର ଆଦିବାସୀମାନଙ୍କ ପାଇଁ ଖାଲି ନାମକୁ ମାତ୍ର ବିଜେଡି ସରକାର ସଂସଦରେ ଉଠାଇଛନ୍ତି । କାରଣ ଆଗକୁ ଆସୁଛି ନିର୍ବାଚନ । ଆମେ ସବୁବେଳେ କହିଛୁ ଏ ସରକାର ଆଦିବାସୀ ବିରୋଧୀ ସରକାର । ବିଜେଡ଼ି ସରକାର କେବେ ବି ଆଦିବାସୀଙ୍କ ପାଇଁ ଚିନ୍ତା କରିନାହିଁ । ବର୍ଷକୁ 2 ଥର ହେବା ବଦଳରେ 5 ବର୍ଷକୁ ଥରେ କାହିଁକି ଟିଏସି ବୈଠକ କରୁଛନ୍ତି । ଯଦି ଆଦିବାସୀଙ୍କ ହିତ ଚାହୁଁଛନ୍ତି ତେବେ ପେଶା ଆଇନ କାହିଁକି ଲାଗୁ କରୁ ନାହାନ୍ତି ରାଜ୍ୟ ସରକାର । ଟିଏସିର ମୁଖ୍ୟ ଅଛନ୍ତି ନବୀନ ପଟ୍ଟନାୟକ । ତେବେ କାହିଁକି ରେଗୁଲାର ମିଟିଂ କରୁନାହାନ୍ତି । "

ଏହା ମଧ୍ୟ ପଢନ୍ତୁ.....ଓଡ଼ିଶାରେ ପିଏମ୍-ଉଷା ଯୋଜନା ପାଇଁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ସେ ଆହୁରି ମଧ୍ୟ କହିଛନ୍ତି,"ଯଦି ପ୍ରକୃତରେ ଆଦିବାସୀଙ୍କ ହିତ କଥା ଚିନ୍ତା କରୁଛନ୍ତି । ତେବେ ବିଜେଡ଼ି ସରକାର ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀଙ୍କୁ ବିକ୍ରି କରିବା ସହ ଆଦିବାସୀଙ୍କର ସର୍ବନାଶ କରିବା ପାଇଁ କ୍ୟାବିନେଟ ନିଷ୍ପତ୍ତି କାହିଁକି ନେଇଥିଲେ । ଚାରି ଆଡେ ବିରୋଧ ହେବା ପରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ।"

ସୂଚନା ଥାଉକି, ଆଦିବାସୀ ଜମି ହସ୍ତାନ୍ତର ବିଲ କ୍ୟାବିନେଟରେ ପାରିତ ହେବା ଓ ସ୍ଥଗିତ ହେବାକୁ ନେଇ ବିଧାନସଭା ଭିତରେ ଓ ବାହାରେ ବିଜେପିର ହଟଗୋଳ ହୋଇଥିଲା । ଗତ ନଭେମ୍ବର ୧୪ ତାରିଖରେ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କ ଜମି ହସ୍ତାନ୍ତର, ବନ୍ଧକ ଓ ଉପହାର ନେଇ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା । କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଆଦିବାସୀମାନେ ଏଣିକି ଅଣ ଆଦିବାସୀମାନଙ୍କୁ ନିଜର ଜମି ବିକ୍ରି କରିପାରିବେ । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏଣିକି ଉପଜିଲ୍ଲାପାଳଙ୍କୁ ଆବେଦନ କରି ଜଣେ ଆଦିବାସୀ ନିଜର ଜମି ଅଣ ଆଦିବାସୀଙ୍କୁ ବିକି ପାରିବେ । କିନ୍ତୁୁ ପରିବର୍ତ୍ତୀତ ସମୟରେ ଏହାକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.