ETV Bharat / state

ନବ ଦାସ ହତ୍ୟା ଘଟଣା, CBI ତଦନ୍ତ ଦାବି କଲା ବିଜେପି

author img

By

Published : Feb 1, 2023, 9:33 PM IST

ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି
ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାର ତଦନ୍ତକୁ ତଦାରଖ କରିବେ ଅବସରପ୍ରାପ୍ତ ବିଚାରପତି ଜେପି ଦାସ । ଏଭଳି ତଦନ୍ତରୁ କୌଣସି ନିଷ୍କର୍ଷ ବାହାରିବ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଘଟଣାର ସିବିଆଇ ତଦନ୍ତ ହେବା ଜରୁରୀ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ବିଜେପି । ଅଧିକ ପଢ଼ନ୍ତୁ

ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା ରାଜ୍ୟ ରାଜନୀତିରେ ଉଷ୍ମତା ଭରିଛି । ଏହି ହତ୍ୟାକାଣ୍ଡ ଘଟଣା ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେପି ଦାସ । ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଓଡ଼ିଶାର ରାଜନୈତିକ ବ୍ୟବସ୍ଥା, ଶାସନ ବ୍ୟବସ୍ଥା ଉପରେ ପ୍ରଭାବ ପକାଇବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଏଭଳି ସମ୍ବେଦନଶୀଳ ଘଟଣାର ସିବିଆଇ ତଦନ୍ତ ହେବା ଜରୁରୀ ବୋଲି ସେ କହିଛନ୍ତି ।

ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା କଂଗ୍ରେସ । ଏହା ପଛରେ ଗଭୀର ଷଡ଼ଯନ୍ତ୍ର ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ କର୍ମୀ ହତ୍ୟା କରିବା ଘଟଣାକୁ ନିନ୍ଦା କରିବା ସହ ଗୃହ ବିଭାରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା କଂଗ୍ରେସ । ଏହାସହ ଏଭଳି ସମ୍ବେଦନଶୀଳ ଘଟଣାର ଏସ୍‌ଆଇଟି ତଦନ୍ତ ଦାବି କରିଥିଲେ କଂଗ୍ରେସ ନେତା । ତେବେ ଆଜି ବିଜେପି ମଧ୍ୟ ସମାନ କଥାକୁ ଦୋହରାଇଛି ।

ଏନେଇ ପୃଥ୍ୱୀରାଜ କହିଛନ୍ତି, "ସରକାର ଯେଉଁ ପ୍ରକ୍ରିୟାରେ ତଦନ୍ତ ନେଉଛନ୍ତି ନିଜକୁ ନିଜେ କ୍ଲିନ୍ ଚିଟ ଦେବାକୁ ବ୍ୟଗ୍ର । କେମିତି, କାହିଁକି ଏଭଳି ଘଟଣା ଘଟିଲା, କିଏ ଷଡ଼ଯନ୍ତ୍ର ରଚିଲା, ଏହା ପଛରେ କିଏ ଜାଣିବାକୁ ଚାହୁଁନାହାନ୍ତି ସରକାର । ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଚାରପତି ନା ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ବା ବଧାନରେ ତଦନ୍ତ ପାଇଁ ଚିଠି ଲେଖିଛନ୍ତି ସ୍ପଷ୍ଟ କରିନଥିଲେ ସରକାର । ଏବେ ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କ ନାଁ ଆସିଛି । ପୂର୍ବରୁ ଅନେକ ଅବସରପ୍ରାପ୍ତ ବିଚାରପତିଙ୍କ ଅଧୀନରେ ଅନେକ ତଦନ୍ତ ହୋଇଛି । ଲକ୍ଷ୍ମଣାନନ୍ଦ ସରସ୍ବତୀ, କୁନ୍ଦୁଲି ପୀଡ଼ିତାଙ୍କ ଘଟଣାରେ ତଦନ୍ତ ହୋଇଥିଲେ ବି ଫଳାଫଳ ସମସ୍ତେ ଜାଣିଛନ୍ତି । ଷଡ଼ଯନ୍ତ୍ରର ଦିଗ ଦେଖାଯାଉଛି । କିନ୍ତୁ ସରକାର ଏହାକୁ ସାମ୍ନାକୁ ଆଣିବାକୁ ଚାହୁଁଛନ୍ତି କି ନାହିଁ ସ୍ପଷ୍ଟ କରନ୍ତୁ । କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ବାବଧାନରେ କରିଥିଲେ ହୁଏତ ତଦନ୍ତ ଆଗକୁ ଯାଇଥାନ୍ତା । କିନ୍ତୁ ଆଜିର ଘଟଣାରୁ ସ୍ପଷ୍ଟ, ତଦନ୍ତ ଆଗକୁ ନନେଇ ରଫାଦଫା କରିବାକୁ ପ୍ରୟାସ କରାଯାଉଛି । ଏଭଳି ତଦନ୍ତରୁ କୌଣସି ନିଷ୍କର୍ଷ ବାହାରିବ ନାହିଁ ।" ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.