ETV Bharat / state

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ତୃତୀୟ ଦିନରେ ବିଜେପିର ଧାରଣା, ରାଜ୍ୟପାଳଙ୍କୁ ଦେଲେ ଦାବିପତ୍ର

author img

By

Published : Feb 16, 2023, 9:15 PM IST

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ବିଜେପିର ଧାରଣା
ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ବିଜେପିର ଧାରଣା

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ତୃତୀୟ ଦିନରେ ବିଜେପିର ଜୋରଦାର ଆନ୍ଦୋଳନ । ନବ ଦାସ ହତ୍ୟା ଘଟଣାର CBI ତଦନ୍ତ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି । ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବିଜେପି ନେତା । ଅଧିକ ପଢ଼ନ୍ତୁ

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ବିଜେପିର ଧାରଣା

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ଗତ ମଙ୍ଗଳବାର ୩ ଦିନିଆ ଆନ୍ଦୋଳନକୁ ଓହ୍ଲାଇଥିଲା । ଆଜି ତୃତୀୟ ଦିନରେ ରାଜଭବନ ସମ୍ମୁଖରେ ଧାରଣାରେ ବସିଛି ବିଜେପି । ରାଜଭବନ ସମ୍ମୁଖରେ ବହୁ ବିଜେପି ନେତା ଓ କର୍ମୀ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଏନେଇ ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି, "ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡିଶାର ଗୃହମନ୍ତ୍ରୀ । ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ବିଗତ ୧୦ ବର୍ଷ ଅପରାଧ ରାଜ୍ୟରେ ବଢି ବଢି ଚାଲିଛି । NCRB ରିପୋର୍ଟ ବାରମ୍ବାର ଏହି ତଥ୍ୟ ଦେଇ ଆସିଛି । ରାଜ୍ୟର ଅଧିକାଂଶ ଅପରାଧରେ ଶାସକ ଦଳର ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି । ପୋଲିସର ସମ୍ପୃକ୍ତି ରହୁଥିବା ନେଇ ମଧ୍ୟ ଅଭିଯୋଗ ଆସୁଛି । ସରକାର କୌଣସି ତଦନ୍ତ କରୁନାହାନ୍ତି । ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଛି । ଯିଏ ସୁରକ୍ଷା ଦାୟିତ୍ବରେ ଥିଲେ ସିଏ ମାରିଲା ।" ଯଦି ଗୋପାଳ ଦାସ ପାଗଳ ଥିଲା ତାହେଲେ ୧୦ ଥର କେମିତି ମେଡାଲ ପାଇଲା ବୋଲି ପ୍ରଶ୍ନ କରିଛି ବିଜେପି । ଏଥିରୁ ଜଣାପଡ଼ୁଛି ଯିଏ ମେଡାଲ ଦେଇଛି ସେ ପାଗଳ ବୋଲି କହିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ତେଣୁ ପାଗଳ କହି ତଦନ୍ତକୁ ବାଟବଣା କରି କାହିଁକି ସିବିଆଇ ତଦନ୍ତରେ ସରକାର ପଛଘୁଞ୍ଚା ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିଭଳି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି, "୨୩ ବର୍ଷ ହେବ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ବରେ ରହିଛିନ୍ତି । ରାଜ୍ୟରେ ଅନେକ ହତ୍ୟାକାଣ୍ଡ ଘଟୁଛି । ମମିତା ମେହେର ହତ୍ୟାକାଣ୍ଡ, ପରୀ, ପିହୁ, ଏଭଳି ଯେତେ ଘଟଣା ଘଟିଛି, ତାହାର କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଛି । କିନ୍ତୁ ମୂଳ ଦୋଷୀ ପର୍ଯ୍ୟନ୍ତ ତଦନ୍ତ ପହଞ୍ଚିପାରିନାହିଁ । ଏସବୁ ଘଟଣାରେ ଯାହାକୁ ଅଭିଯୁକ୍ତ କୁହାଯାଉଛି, କିମ୍ବା ଯିଏ ପ୍ରତ୍ୟକ୍ଷଦର୍ଶୀ ରହୁଛନ୍ତି, ସେମାନଙ୍କର ପରବର୍ତ୍ତୀ ସମୟରେ ଅପମୃତ୍ୟୁ ଘଟୁଛି । କିଏ ଆତ୍ମହତ୍ୟା କରିଥିବା କୁହାଯାଉଛି ତ କାହାକୁ ଗାଡ଼ ଚପାଇଦେଇ ଦୁର୍ଘଟଣାର ରୂପ ଦିଆଯାଉଛି । ତେଣୁ ନବ ଦାସ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଆମର ଆଉ ବିଶ୍ବାସ ନାହିଁ । ସେଥିପାଇଁ ଆମେ ଏହାର CBI ତଦନ୍ତ ଦାବି କରୁଛୁ । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ତାଙ୍କ ପଦର ଦାୟିତ୍ବ ସଠିକ ଢଙ୍ଗରେ ତୁଲାଇ ପାରୁନଥିବାରୁ ତାଙ୍କର ଇସ୍ତଫା ଦାବି କରୁଛୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.