ETV Bharat / state

ରେଳ ଅବହେଳାକୁ ନେଇ ବର୍ଷିଲା ବିଜେଡି, କହିଲା ଓଡିଶା ଉପରେ ସାବତ ମାଆ ଭଳି ଆଚରଣ କରୁଛି କେନ୍ଦ୍ର

author img

By

Published : Feb 5, 2023, 12:43 PM IST

bjd targets union government over railway budg
ରେଳ ଅବହେଳାକୁ ନେଇ ବର୍ଷିଲା ବିଜେଡି

ଆର୍ଥିକ ବର୍ଷ 2023-24 ପାଇଁ ରେଳବାଇକୁ ଦିଆଯାଇଥିବା ବଜେଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେଡି । କେନ୍ଦ୍ର ସରକାର ଓଡିଶାରୁ ନେଉଛନ୍ତି ଅଧିକ ଦେଉଛନ୍ତି କମ ବୋଲି ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ବିଜେଡି । ଅଧିକ ପଢନ୍ତୁ

ରେଳ ଅବହେଳାକୁ ନେଇ ବର୍ଷିଲା ବିଜେଡି

ଭୁବନେଶ୍ବର: ରେଳବାଇ କ୍ଷେତ୍ରରେ ଓଡ଼ିଶାରୁ କେନ୍ଦ୍ର ବାର୍ଷିକ 20ରୁ 22 ହଜାର କୋଟି ରାଜସ୍ବ ସଂଗ୍ରହ କରୁଛି । ଗତ 9 ବର୍ଷରେ ଓଡ଼ିଶାରୁ ସଂଗ୍ରହ ହୋଇଥିବା ରାଜସ୍ବ ପ୍ରାୟ 2 ଲକ୍ଷ କୋଟି । ଚଳିତ ବର୍ଷ ରେଳ ବଜେଟରେ ଓଡିଶାକୁ 10 ହଜାର 12 କୋଟି ମିଳିଛି । ଗୋଟେ ହେଲେ ନୂଆ ରେଳ ଲାଇନ ନାହିଁ । ଗତ 9 ବର୍ଷ ଭିତରେ କେବଳ ଭୁବନେଶ୍ବରରୁ ନୟାଗଡ଼ ଯାତ୍ରୀବାହୀ ଟ୍ରେନ ଗଡ଼ିଛି । ରେଳବାଇ କ୍ଷେତ୍ରରେ ପଶ୍ଚିମ ଓଡିଶା ସମେତ ସାରା ରାଜ୍ୟକୁ ଅବହେଳା କରାଯାଇଛି । କେନ୍ଦ୍ର ନେଉଛି ଅଧିକ ଦେଉଛି କମ । ଓଡିଶା ଉପରେ ସାବତ ମାଆ ଆଚରଣ କରୁଛି କେନ୍ଦ୍ର । ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି, ଶ୍ରୀମୟୀ ମିଶ୍ର ଓ ପ୍ରିୟବ୍ରତ ମାଝୀ ।

ରେଳ ବଜେଟରେ ଓଡିଶାକୁ ବାରମ୍ବାର ଅବେହଳା ହେଉଥିବା ଅଭିଯୋଗ ଆଣି କେନ୍ଦ୍ର ସରକାର ଉପରେ ବର୍ଷିଛି ବିଜେଡି । ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, କଲରା ହେଉଛି ପିତା ପରିବା । କଲରାକୁ ଯଦି ଚିନିରେ ମିଶାଇ ଖାଇବେ, ତେବେ ବି ତାହା ପିତା ଲାଗିବ । ଠିକ ସେହିଭଳି ସତ ଯାହା ତାହା ସବୁବେଳେ ସତ । ସତ ଶୁଣିବା ଓ ଅନୁଭବ କରିବା କଷ୍ଟ । ତାହା ପରେ ବି ଏହା ସତ୍ୟ । ସତ ହେଉଛି ଗତ 9 ବର୍ଷ ହେବ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଓଡିଶାକୁ ଅବହେଳା କରିଚାଲିଛି । ରେଳ ବଜେଟରେ ଓଡ଼ିଶାକୁ ସାବତ ମାଆ ଭଳି ବ୍ୟବହାର କରୁଛି । ରେଳବାଇ କ୍ଷେତ୍ରରେ ପ୍ରତ୍ୟେକ ବର୍ଷ କେନ୍ଦ୍ର 20ରୁ 22 ହଜାର କୋଟି ରାଜସ୍ଵ ଓଡ଼ିଶାରୁ ସଂଗ୍ରହ କରୁଛନ୍ତି । ଗତ 9 ବର୍ଷରେ ମୋଟ 2 ଲକ୍ଷ କୋଟି ଟଙ୍କା ରାଜ୍ୟରୁ ସଂଗ୍ରହ ହୋଇଛି ।''

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ 5 ବର୍ଷ ମଧ୍ୟରେ ଓଡିଶା ପାଇଁ କୌଣସି ନୂତନ ରେଳଲାଇନ ମଞ୍ଜୁର ହୋଇନାହିଁ । ଯାତ୍ରୀବାହୀ ଟ୍ରେନ ସହିତ କୌଣସି ନୂତନ ଜିଲ୍ଲା ସଂଯୋଗ ବି ହୋଇନାହିଁ । କେବଳ ଗୋଟିଏ ଜିଲ୍ଲା ଯାହାକି ନୟାଗଡ଼ ଏବଂ ପ୍ରାୟ 200 ଲୋକ ଖୋର୍ଦ୍ଧା ଯିବା ପାଇଁ ଏହି ଟ୍ରେନ୍ ବ୍ୟବହାର କରନ୍ତି । କେନ୍ଦ୍ରାପଡାକୁ ରେଳ ଚଳାଚଳ ଆରମ୍ଭ କରିବାର 2 ବର୍ଷ ପରେ ମଧ୍ୟ ଓଡିଶାରୁ କୌଣସି ଯାତ୍ରୀ ଏଠାକୁ ଯାତ୍ରୀବାହୀ ଟ୍ରେନ ସେବା ପାଇପାରି ନାହାନ୍ତି । କାରଣ ରେଳବାଇ ଭାବୁଛି ଯେ କେନ୍ଦ୍ରାପଡାକୁ ଯାତ୍ରୀବାହୀ ଟ୍ରେନ ଚଳାଇବା ଆଦୌ ଲାଭଦାୟକ ନୁହେଁ । ଓଡ଼ିଶାକୁ ଗୋଟିଏ ହେଲେ ରେଳ କାରଖାନା ଆସିନଥିବାବେଳେ ଗଞ୍ଜାମରେ ମଞ୍ଜୁରୀପ୍ରାପ୍ତ ଶୀତଳାପଲ୍ଲୀ ୱାଗନ କାରଖାନା କେଉଁଠାରେ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।''

ସେହିପରି ପୁରୀ- କୋଣାର୍କ ରେଳ ଲାଇନ, ପଦ୍ମପୁର ଦେଇ ବରଗଡ- ନୁଆପଡା ରେଳ ଲାଇନ, ଗୁଣୁପୁର- ଥେରୁବାଲି ଲାଇନ ଓ ତାଲଚେର-ବିମଲାଗଡ ଲାଇନ କେଉଁଠାରେ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଗତ ନଅ ବର୍ଷ ମଧ୍ୟରେ ଗୋଟିଏ ବି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇନାହିଁ । ଖୋର୍ଦ୍ଧା - ବଲାଙ୍ଗୀର ରେଳ ଲାଇନ ଦେଶର ସବୁଠାରୁ ମନ୍ଥର ଗତିରେ କାର୍ଯ୍ୟକ୍ଷମ ରେଳଲାଇନ୍‍ ଭାବରେ ଏକ ରେକର୍ଡ ସୃଷ୍ଟି କରିବ ବୋଲି ସେ କଟାକ୍ଷ କରିଛନ୍ତି ।

ଓଡିଶା କେତେ ଲାଭ ପାଇଛି ତାହାର ଅନୁଧ୍ୟାନ କଲେ ଦେଖିବା ଯେ ରାଜ୍ୟର ପଛୁଆ ଅଞ୍ଚଳ ଭାବେ ପରିଚିତ କେବିକେ ଏବଂ ଆଦିବାସୀ ଜିଲ୍ଲା ଲୋକେ କୌଣସି ନୂତନ ରେଳ ସଂଯୋଗ ପାଇନାହାନ୍ତି । ବିଜେପି ସାଂସଦମାନଙ୍କୁ ଆନ୍ତରିକତାର ସହ ଅନୁରୋଧ କରୁଛୁ ଯେ ସେମାନେ ଓଡିଶାର ଲୋକଙ୍କ ଅଧିକାର ପାଇଁ ଦିଲ୍ଲୀରେ ଲଢନ୍ତୁ । ରାଜ୍ୟରୁ ଦୁଇ ଲକ୍ଷ କୋଟି ଟଙ୍କା ନେବା ପରେ ଚୁପ ରୁହନ୍ତୁ ନାହିଁ ।

ଲେନିନ ମହାନ୍ତି କହିଛନ୍ତି ଯେ, ''ଗୋଟିଏ ଦେଶ କିମ୍ବା ରାଜ୍ୟର ଆର୍ଥିକ ବିକାଶରେ ରେଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଐତିହାସିକ ଭାବରେ, ଉନ୍ନତ ରେଳ ସଂଯୋଗ ଦ୍ବାରା ବିକାଶକୁ ଚିହ୍ନିତ କରାଯାଇଛି । ବ୍ରିଟିଶ ଶାସନ କାଳରେ ଇଂରେଜମାନଙ୍କ ଆର୍ଥିକ ସ୍ବାର୍ଥ ପାଇଁ କଞ୍ଚାମାଲ ପରିବହନ ସକାଶେ ରେଳ ବ୍ୟବହାର କରାଯାଇଥିଲା । ସ୍ୱାଧୀନ ଭାରତରେ, ଯେଉଁଠାରେ ରେଳବାଇ ବିକଶିତ ହୋଇଛି ଏହା ଆର୍ଥିକ ଅଭିବୃଦ୍ଧି ଉପରେ ପ୍ରଭାବ ପକାଇଛି ।

କ୍ରମାଗତ କେନ୍ଦ୍ର ସରକାରଙ୍କ ଠାରୁ ରେଳବାଇ କ୍ଷେତ୍ରରେ ଓଡିଶା କିପରି ସାବତ ପୁଅ ମନୋଭାବର ସମ୍ମୁଖୀନ ହୋଇଛି ତାହା ଆମେ ସମସ୍ତେ ଜାଣୁ । ମୁଖ୍ୟମନ୍ତ୍ରୀ ରେଳ ପ୍ରକଳ୍ପ ପାଇଁ ମାଗଣାରେ ଜମି ଯୋଗାଇ ଦେଉଛନ୍ତି । ନିର୍ମାଣ ଖର୍ଚ୍ଚର 50% ବହନ କରୁଛନ୍ତି । କୌଣସି ରାଜ୍ୟ ଏହା କରନ୍ତି ନାହିଁ । ବିଶେଷ କରି ପଶ୍ଚିମ ଓଡ଼ିଶା ଏବଂ ଆଦିବାସୀ ଜିଲ୍ଲା ପାଇଁ ଏହି ଅଞ୍ଚଳର ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ଓଡ଼ିଶା ଏହାର ରେଳ ସଂଯୋଗରେ ଉନ୍ନତି ଆଣିବା ପାଇଁ ଏହା କରିଛି ।''

ପ୍ରିୟବ୍ରତ ମାଝୀ କହିଛନ୍ତି ଯେ, ଓଡିଶାରେ ରେଳ ବିକାଶ ପାଇଁ କେନ୍ଦ୍ର ପ୍ରତିବର୍ଷ 5ରୁ 10 ହଜାର କୋଟି ଟଙ୍କା ମଞ୍ଜୁର କରୁଛନ୍ତି । ପାଣ୍ଠି କୁଆଡେ ଯାଉଛି । ଗତ ନଅ ବର୍ଷ ମଧ୍ୟରେ ରାଜ୍ୟରୁ 2 ଲକ୍ଷ କୋଟି ଟଙ୍କା ନେଇଛନ୍ତି ଏବଂ ପ୍ରତିଦିନ ଅତିରିକ୍ତ 200 ନୂତନ ଯାତ୍ରୀ ଯାତ୍ରା କରିବାରେ ସୁବିଧା କରିଛନ୍ତି । ଏହା ଓଡିଶାବାସୀଙ୍କ ପ୍ରତି ଚରମ ଅନ୍ୟାୟ । ଆମେ ଆଶା କରୁଛୁ ହଜାର ହଜାର କୋଟି ନକଲି ପୁଞ୍ଜି ବିନିଯୋଗ ନେଇ ବିଜେପି ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରୁ । ଯଦି ସତ ସାହସ ଅଛି, ତେବେ 2 ଲକ୍ଷ କୋଟି ନେବା ପରେ ଗତ 9 ବର୍ଷ ମଧ୍ୟରେ କେତେ ନୂତନ ଷ୍ଟେସନ, ନୂତନ ଲାଇନ କାର୍ଯ୍ୟକ୍ଷମ କରିଛନ୍ତି କୁହନ୍ତୁ । ଓଡିଶାର କେଉଁ ଅଂଶ ଏହା ଲାଭ କରିଛି ସେ କଥା ମଧ୍ୟ କୁହନ୍ତୁ ।''

ପ୍ରକାଶ ଥାଉ କି, ଆର୍ଥିକ ବର୍ଷ 2023-24 ପାଇଁ ଫେବୃଆରୀ 1 ତାରିଖରେ ବଜେଟ ଉପସ୍ଥାପନ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ରେଳବାଇ ପାଇଁ 2. 40 ଲକ୍ଷ କୋଟି ଘୋଷଣା କରିଥିଲେ କେନ୍ଦ୍ର ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.