ETV Bharat / state

ବିଜେଡିରେ ବଢ଼ୁଛି କି କନ୍ଦଳ ? ୪ଟି ବିଷୟରେ କହିବାର ଅଛି, ଖୁବଶୀଘ୍ର କହିବି କହିଲେ ଭର୍ତ୍ତୃହରି

author img

By

Published : Jan 2, 2023, 5:01 PM IST

ନିକଟରେ ପୁରୀରେ ଅନୁଷ୍ଠିତ ହୋଇଥିବା ବିଜେଡିର ପ୍ରତିଷ୍ଠା ଦିବସରେ ପୁରୀ ସାଂସଦ ପିନାକୀ ମିଶ୍ର ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ନଦେବା ଅନେକ ଚର୍ଚ୍ଚା ସୃଷ୍ଟି କରିଛି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ଭର୍ତ୍ତୃହରି । ୪ଟି ବିଷୟରେ କହିବାର ଅଛି, ଖୁବଶୀଘ୍ର କହିବି ବୋଲି ସେ କହିଛନ୍ତି । ଅଦିକ ପଢ଼ନ୍ତୁ

କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା
କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା

କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହାରି ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ଭିତରେ କନ୍ଦଳ ଓ ଦ୍ଵନ୍ଦ୍ବ ବଢୁଥିବା ଚର୍ଚ୍ଚା ହେଉଛି । ନିକଟରେ ଅନୁଷ୍ଠିତ ବିଜେଡିର ପ୍ରତିଷ୍ଠା ଦିବସରେ ପୁରୀ ସାଂସଦ ପିନାକୀ ମିଶ୍ର (Puri MP Pinaki Mishra) ଓ କଟକ ସାଂସଦ ଭର୍ତ୍ତୃହରି ମହତାବ(Cuttack MP Bhartruhari Mahtab) ଯୋଗ ନଦେବା ଅନେକ ଚର୍ଚ୍ଚା ସୃଷ୍ଟି କରିଛି । ଏହାରି ଭିତରେ ସାଂସଦ ଭର୍ତ୍ତୃହରି ୪ଟି ବିଷୟରେ କହିବାର ଅଛି, ଖୁବଶୀଘ୍ର କହିବି ବୋଲି କହି ରାଜନୈତିକ ଉଷ୍ମତା ବଢାଇ ଦେଇଛନ୍ତି ।

ବିଜେଡିର ପ୍ରତିଷ୍ଠା ଦିବସରେ ଅନୁପସ୍ଥିତି ରହିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ଭର୍ତ୍ତୃହରି କହିଛନ୍ତି, "ମୋର ୪ ଟି ବିଷୟରେ କହିବାର ଅଛି, ଖୁବଶୀଘ୍ର କହିବି । କିନ୍ତୁ ଆଜି ନୁହେଁ । ମନ୍ମଥ ଦାସଙ୍କ ଗୋଟେ ଲେଖା ଅଛି ଦେଖା ହେଲେ କହିବି ସେ କଥା । ତେଣୁ ଦେଖା ହେବ ଯେତେବେଳେ ସେତେବେଳେ କହିବି ।" ସଂଗଠନ ଉପରେ କହିବେ ତ ପ୍ରଶ୍ନରେ ସେ କହିଛନ୍ତି "ସବୁ କହିବି, ଦେଖା ହେଲେ ସବୁ କହିବି ।" 2024ରେ ନିର୍ବାଚନ ଲଢ଼ିବା ନ ଲଢ଼ିବା ପ୍ରଶ୍ନରେ ଭର୍ତ୍ତୃହରି କହିଛନ୍ତି, "ତାହା ବି ଗୋଟେ ପ୍ରସଙ୍ଗ ।" ପ୍ରତିଷ୍ଠା ଦିବସରେ ଅନୁପସ୍ଥିତ ଥିବା ନେଇ ପଚାରିବାରୁ ଭର୍ତ୍ତୃହରି କହିଛନ୍ତି, "ଆପଣ ଏନେଇ ପିନାକୀ ମିଶ୍ରଙ୍କୁ କିଛି ପଚାରିଛନ୍ତି କି । କେଉଁଠି ଥିଲେ ପିନାକୀ ବାବୁ ?" ଦଳରେ ବରିଷ୍ଠ ମାନଙ୍କୁ ଅଣଦେଖା କରାଯାଉଛି କି ପ୍ରଶ୍ନରେ ସେମିତି କିଛି ନାହିଁ ବୋଲି କହିଛନ୍ତି ଭର୍ତ୍ତୃହରି ।

ନବୀନ ପଟ୍ଟନାୟକ ୧୦୦ ବର୍ଷ ଶାସନ କରିବାକୁ ଆହ୍ବାନ ଦେବା ପ୍ରସଙ୍ଗରେ ସେ କହିଛନ୍ତି, "ନବୀନ ବାବୁ ଯେଉଁ କଥା କହିଛନ୍ତି ସେ ମର୍ମଟିକୁ ସେ ବୁଝିଛନ୍ତି । ମହିଳାମାନଙ୍କର ଆଶୀର୍ବାଦ ଦଳ ପ୍ରତି ରହିଲେ ଆମେ ୧୦୦ ବର୍ଷ ଲୋକଙ୍କ ସେବା କରିବୁ । ତାହା ଦଳର ସମସ୍ତ କର୍ମୀ ଓ ନେତୃତ୍ବଙ୍କ ଏକ ଆହ୍ବାନ ।" ତେବେ ବିଜେପି ସବୁ ଲୋକସଭା ଆସନ ଉପରେ ଫୋକସ୍ କରୁଛି ଏବଂ କଟକରେ ବି କରିବାକୁ ଯାଉଛି । କଣ ପ୍ରଭାବ ପକାଇବ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, "୨୦୧୪ରୁ ବିଜେପି ଫୋକସ୍ କଲେଣି । ୨୦୧୯ ନିର୍ବାଚନରେ ବିଜେପି କଟକରେ ୪ ଲକ୍ଷ ଭୋଟ ପାଇଥିଲେ । ସେମାନେ ତାଙ୍କ ଦଳର କାର୍ଯ୍ୟ କରୁଛନ୍ତି ଆମେ ବି ଆମ ଦଳର କାର୍ଯ୍ୟ କରୁଛୁ ।"

ସେପଟେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, "ପ୍ରତିଷ୍ଠା ଦିବସ ବହୁତ ଭଲ ଭାବେ ହୋଇଛି । ସମସ୍ତଙ୍କ ଯୋଗଦାନରେ ହୋଇଛି । ସ୍ବାସ୍ଥ୍ୟଗତ କିମ୍ବା ଅନ୍ୟାନ୍ୟ କାରଣରୁ ପିନାକୀ ଓ ଭର୍ତ୍ତୃହରି ଯୋଗ ଦେଇନଥିଲେ । ସେଥିରେ କିଛି ରାଜନୈତିକ କାରଣ ନାହିଁ । ପିନାକୀ ଓ ଭର୍ତ୍ତୃହରି ଯୋଗ ନଦେବା ନେଇ କୌଣସି ଦ୍ଵନ୍ଦ୍ବ ନାହିଁ । ସମସ୍ତେ ପ୍ରାୟ ଯୋଗ ଦେଇଛନ୍ତି । ଯେଉଁମାନେ ଯୋଗ ଦେଇନାହାନ୍ତି, ସେମାନଙ୍କର ଶୁଭେଚ୍ଛା ରହିଛି । ମୁଁ ପିନାକୀ ଓ ଭର୍ତ୍ତୃହରିଙ୍କ ସହ ଆଲୋଚନା କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.