ETV Bharat / state

ନବ ଦାସ ହତ୍ୟା ମାମଲା, ଜୟଙ୍କ ସଂଗୀନ ଅଭିଯୋଗ ପରେ ପାଲଟା ଅଭିଯୋଗ ଆଣିଲା ବିଜେଡି

author img

By

Published : Feb 21, 2023, 10:51 PM IST

ପ୍ରମିଳା ପ୍ରଶ୍ନ କରି କହିଛନ୍ତି ଯେ, ନବ ଦାସଙ୍କ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସଂପୃକ୍ତି ନାହିଁ ତ ? ଗଞ୍ଜାମ ଓ ବରଗଡ଼ ଜିଲ୍ଲାରେ ପୂର୍ବରୁ ଘଟିଥିବା କେତେକ ରାଜନୈତିକ ହତ୍ୟାକାଣ୍ଡରେ ଏହି ତୁଙ୍ଗ ବିଜେପି ନେତାମାନଙ୍କ ସଂପୃକ୍ତି ପଦାକୁ ଆସିଛି । ତେଣୁ ଏଭଳି ସନ୍ଦେହ ସୃଷ୍ଟି ହୋଇଛି ବୋଲି କହିଛନ୍ତି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ

ବିଜେଡି
ବିଜେଡି

ନବ ଦାସ ହତ୍ୟା ମାମଲା, ଜୟଙ୍କ ସଂଗୀନ ଅଭିଯୋଗ ପରେ ପାଲଟା ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ବର: ସ୍ବର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲା ନେଇ ବିଜେପି ଉପରେ ବର୍ଷିଛନ୍ତି ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ନିଜକୁ ବଞ୍ଚାଇବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ମନଗଢା କାହାଣୀ ଗପୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରମିଳା । ଏହାସହ ୨୦୧୭ରେ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ଉତ୍ତରାଖଣ୍ଡରେ ଆଶ୍ରୟ ଦେବା ପଛରେ ଧର୍ମେନ୍ଦ୍ରଙ୍କ ହାତ ଥିଲା ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ପ୍ରମିଳା । ସେହିପରି ୨୦୧୮ ଦିଲେଶ୍ବର ସାହୁ ହତ୍ୟାକାଣ୍ଡରେ ସଂପୃକ୍ତି ଯୋଗୁଁ ଜୟନାରାୟଣ ଓ ଈରାଶିଷ ଗିରଫ ହୋଇଥିଲେ ବୋଲି ସେ କହିଛନ୍ତି ।


ପ୍ରମିଳା ପ୍ରଶ୍ନ କରି କହିଛନ୍ତି ଯେ, ନବ ଦାସଙ୍କ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସଂପୃକ୍ତି ନାହିଁ ତ ? ଗଞ୍ଜାମ ଓ ବରଗଡ଼ ଜିଲ୍ଲାରେ ପୂର୍ବରୁ ଘଟିଥିବା କେତେକ ରାଜନୈତିକ ହତ୍ୟାକାଣ୍ଡରେ ଏହି ତୁଙ୍ଗ ବିଜେପି ନେତାମାନଙ୍କ ସଂପୃକ୍ତି ପଦାକୁ ଆସିଛି । ତେଣୁ ଏଭଳି ସନ୍ଦେହ ସୃଷ୍ଟି ହୋଇଛି ବୋଲି କହିଛନ୍ତି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ସମସ୍ତେ ଜାଣନ୍ତି ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ । ଜଘନ୍ୟ ହତ୍ୟା ସମେତ ମୋଟ ୧୬ଟି ସଂଗିନ ମାମଲାରେ ଜୟନାରାୟଣ ମିଶ୍ରଙ୍କ ସଂପୃକ୍ତି ରହିଛି । ଏକ ହତ୍ୟା ମାମଲାରେ ଗିରଫ ହୋଇ ସେ ‌ଦୀର୍ଘଦିନ ଧରି ଜେଲରେ ରହିବା ପରେ ସ୍ବାସ୍ଥ୍ୟ ଖରାପ ଆଳ ଦେଖାଇ ଜାମିନରେ ବାହାରକୁ ଆସିଛନ୍ତି ।


ଏହାବି ପଢନ୍ତୁ- Naba Das Murder Case: ନବ ଦାସ ହତ୍ୟାକାଣ୍ଡ ଘଟଣା ବିଜେଡି ମ୍ୟାଟର୍ ନୁହେଁ: ବିରୋଧୀ ଦଳ ନେତା

୨୦୧୭ ମସିହା ସେପ୍ଟେମ୍ବର ୧୬ ତାରିଖରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଘଟିଥିବା ବହୁଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ । ଉତ୍ତରାଖଣ୍ଡର ଏକ ସରକାରୀ ଗେଷ୍ଟ ହାଉସରେ ଆଶ୍ରୟ ନେଇଥିଲେ । କଲ ରେକର୍ଡ଼ ଯାଞ୍ଚରୁ ଜଣାପଡ଼ିଥିଲା, ଏହି ହତ୍ୟା ଅଭିଯୁକ୍ତମାନଙ୍କୁ ଓଡ଼ିଶାରୁ ଫେରାର କରାଇବା ଏବଂ ଉତ୍ତରାଖଣ୍ଡ ନେଇ ସରକାରୀ ଗେଷ୍ଟ ହାଉସରେ ରଖିବାର ସବୁ ବ୍ୟବସ୍ଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ କରିଥିଲେ । ସେହିପରି ୨୦୧୮ ଫେବ୍ରୁଆରି ମାସରେ ବିଜେପୁର ଉପନିର୍ବାଚନ ବେଳେ ଦିଲେଶ୍ବର ସାହୁ ହତ୍ୟା ମାମଲାରେ ସଂପୃକ୍ତି ପାଇଁ ବିଧାୟକ ଜୟନାରାୟଣ ମିଶ୍ର ଓ ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ ଗିରଫ ହୋଇ ଜେଲ ଯାଇଥିଲେ ।


ପ୍ରମିଳା କହିଛନ୍ତି ଯେ, ଆମର ବିଶ୍ବାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ସମର୍ଥନରେ ବିଜେପିର ଏହି ବରିଷ୍ଠ ନେତାମାନେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟାଇବା ସମ୍ଭବ ନୁହେଁ । ପ୍ରମିଳା ଆହୁରି ମଧ୍ୟ କହିଛନ୍ତି ଯେ, ପଦ୍ମପୁର ଉପନିର୍ବାଚନ ସମୟରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ସାଂଗଠନିକ ଦକ୍ଷତା ଓ କଠିନ ପରିଶ୍ରମ ଦେଖି ବିଜେପି ଜାଣି ସାରିଥିଲା ଯେ ସେମାନେ ଏଠାରେ ଅତ୍ୟନ୍ତ ଦୟନୀୟ ଭାବେ ହାରିବାକୁ ଯାଉଛନ୍ତି । ତେଣୁ ବିଜେପି ନେତୃବୃନ୍ଦ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଚଳିତ ହୋଇ ପଡ଼ିଥିଲେ । ତାଙ୍କ ଭାଷଣରୁ ଏହି ହତାଶା ବାରି ହୋଇ ପଡ଼ୁଥିଲା । ଏପରିକି ସେତେବେଳେ ସେ ନବ ଦାସଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଧମକ ଦେବାକୁ ପଛାଇ ନଥିଲେ । ଧର୍ମେନ୍ଦ୍ର ଏବଂ ବିଜେପି ନେତୃବୃନ୍ଦ ନବ ଦାସଙ୍କୁ ନେଇ ଏତେ ଆତଙ୍କିତ ହେବାର କାରଣ ହେଲା, ପଶ୍ଚିମ ଓଡ଼ିଶାରେ ନବ ବିଜେଡିର ଯେଉଁ ଶକ୍ତିଶାଳୀ ସଂଗଠନ ତିଆରି କରିଥିଲେ, ତାକୁ ସାମ୍ନା କରିବା ସେମାନଙ୍କ ପକ୍ଷରେ ସମ୍ଭବ ନଥିଲା । ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାଣି ସାରିଛନ୍ତି ଯେ କ୍ରାଇମବ୍ରାଞ୍ଚ ତଦନ୍ତ ସେମାନଙ୍କ ଆଡକୁ ଯାଉଛି ।

ଏହାବି ପଢନ୍ତୁ - ପାତାପର୍ବକୁ ନେଇ ଉତ୍ସବମୁଖର ବୋବେଇଯୋଡା ଗାଁ, ସ୍ଵଚ୍ଛତା ସାଙ୍ଗକୁ ଦେଲେ ପରମ୍ପରାର ବାର୍ତ୍ତା



ସେଥିପାଇଁ ଆତଙ୍କିତ ହୋଇ ନିଜକୁ ବଞ୍ଚାଇବା ପାଇଁ ସେମାନେ ନାନାପ୍ରକାର ମିଥ୍ୟା ଅଭିଯୋଗ ଆଣୁଛନ୍ତି । ମାତ୍ର ଆମେ ଜାଣିଛୁ, ଯେତେ ଚେଷ୍ଟା କଲେ ବି ସେମାନେ ଏଥିରୁ ଖସି ପାରିବେ ନାହିଁ । ଉଭୟଙ୍କର ଭୟ ରହୁଛି । କାଳେ ସେମାନଙ୍କର ନାର୍କୋ ଓ ଲାଇ ଡିଟେକସନ ଟେଷ୍ଟ ହେଲେ ସେମାନଙ୍କ ସଂପୃକ୍ତି ଜଣାପଡ଼ିଯିବ । ସେଥିପାଇଁ ସେମାନେ ଏହି ହତ୍ୟାକାଣ୍ଡକୁ ନେଇ ପ୍ରତିଦିନ ମନଗଢ଼ା କାହାଣୀ ଶୁଣାଉଛନ୍ତି ବୋଲି ପ୍ରମିଳା ଅଭିଯୋଗ କରିଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.