ETV Bharat / state

ଉମରକୋଟରେ ବିଜୁ ସେତୁ ଭୁଷୁଡିବା ଘଟଣା, ମୃତକଙ୍କ ପରିବାରକୁ 5 ଲକ୍ଷ ଦେବାକୁ NHRCଙ୍କ ନିର୍ଦ୍ଦେଶ

author img

By

Published : Apr 16, 2023, 3:21 PM IST

Biju setu collapse incident in Umerkot
Biju setu collapse incident in Umerkot

ଉମରକୋଟରେ ବିଜୁ ସେତୁ ଭୁଷୁଡିବା ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଭୁବନେଶ୍ବର: ଉମରକୋଟରେ ବିଜୁ ସେତୁ ଭୁଷୁଡିବା ଘଟଣା । ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଜାତୀୟ ମାନବିକ ଅଧିକାର କମିଶନ । ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଓ ଆହତଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ଜୁନ 2 ତାରିଖ ସୁଦ୍ଧା ଏହି କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିବା ପ୍ରମାଣ ମାନବାଧିକାର କମିଶନଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି । ମାନବିକ ଅଧିକାର କର୍ମୀ ଅଖଣ୍ଡ ଏନେଇ NHRCରେ ମାମଲା ଦାୟର କରିଥିଲେ । 2021 ଜାନୁଆରୀ 10ରେ ଭୁଷୁଡି ଥିଲା ବିଜୁ ସେତୁ ।

ସୂଚନା ଅନୁଯାୟୀ, 2021 ଜାନୁଆରୀ 10 ତାରିଖରେ ନାଗି ନଦୀର ଜାନିଗୁଡା-ତଳପଦର ରାସ୍ତାରେ ବିଜୁ ସେତୁ ଯୋଜନାରେ ହେଉଥିବା ବ୍ରିଜ୍ ଭୁଷୁଡି ପଡିଥିଲା। ଫଳରେ ମହେନ୍ଦ୍ର ମାଳି ନାମକ ଜଣେ ଶ୍ରମିକ ପ୍ରାଣ ହରାଇଥିଲେ । ଏଥିରେ ପ୍ରକାଶ କାଣ୍ଡି, ରମେଶ ଭୋଇ, ସନ୍ତୋଷ ଭୋଇ ଓ ଅନ୍ୟ ଆଠ ଜଣ ଆହତ ହୋଇଥିଲେ । ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଓ ଅନ୍ୟମାନେ ଆହତ ହୋଇଛନ୍ତି ବୋଲି ଦର୍ଶାଇ ମାନବିକ ଅଧିକାର କର୍ମୀ ତଥା ଆଇନଜୀବୀ ଅଖଣ୍ଡ ନୂଆଦିଲ୍ଲୀସ୍ଥିତ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ 11 ତାରିଖରେ ପିଟିସନ୍ ଦାୟର କରିଥିଲେ । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ, ଥଇଥାନ ଏବଂ ଆହତମାନଙ୍କୁ କ୍ଷତିପୂରଣ ଦେବା ସହ ଦୋଷୀ ଅଫିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ନିବେଦନ କରିଥିଲେ ।

କମିଶନ ଏହି ଘଟଣାରେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଦୁଇ ଥର ରିପୋର୍ଟ ମାଗିଥିଲେ । ସେହି ରିପୋର୍ଟରୁ ଜଣାପଡିଥିଲା ଯେ ଏହି ଘଟଣା ପାଇଁ ସରକାରୀ ଅଧିକାରୀମାନେ ଦାୟୀ । ଘଟଣା ପାଇଁ ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ 3 ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ତେଣୁ ଏହି ଅବହେଳା ପାଇଁ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ଲକ୍ଷେ ଟଙ୍କା କାହିଁକି ଦିଆନଯିବ ସେ ନେଇ ଜବାବ ଦେବାକୁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ 28 ଜୁନ 2022ରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । କିନ୍ତୁ ମୁଖ୍ୟ ଶାସନ ସଚିବଙ୍କ ତରଫରୁ କୌଣସି ଉତ୍ତର ନ ମିଳିବାରୁ ପୁଣି 17 ଅକ୍ଟୋବର 2022 ରେ ମନେପକାଇ ଦିଆଯାଇଥିଲା ।

କିନ୍ତୁ ମୁଖ୍ୟ ଶାସନ ସଚିବ କୌଣସି ଉତ୍ତର ରଖିନଥିଲେ । ତେଣୁ 11 ଏପ୍ରିଲ 2023ରେ ହୋଇଥିବା ଶୁଣାଣିରେ କମିଶନ ଏହି କ୍ଷତିପୂରଣ ରାଶି ଦେବା ଲାଗି ଚୁଡାନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜୁନ 2 ତାରିଖ ସୁଦ୍ଧା ଏହି କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିବା ପ୍ରମାଣ କମିଶନଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି । କମିଶନଙ୍କ ନିର୍ଦ୍ଦେଶକୁ ମାନି ସରକାର କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ଏହି ଘଟଣା ପାଇଁ ଦାୟୀ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଅଖଣ୍ଡ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.