ETV Bharat / state

DNA ରିପୋର୍ଟକୁ ନେଇ ଅନିଶ୍ଚିତତା, ଚିହ୍ନଟ ଅପେକ୍ଷାରେ 81 ମୃତଦେହ

author img

By

Published : Jun 16, 2023, 10:37 AM IST

ଚିହ୍ନଟ ଅପେକ୍ଷାରେ 81 ମୃତଦେହ
ଚିହ୍ନଟ ଅପେକ୍ଷାରେ 81 ମୃତଦେହ

ବାହାନଗା ରେଳ ଦୁର୍ଘଟଣାକୁ ପୁରିଲାଣି 15 ଦିନ । ହେଲେ ଏବେ ବି ଚିହ୍ନଟ ଅପେକ୍ଷାରେ 81 ମୃତଦେହ । ଅଧିକ ପଢନ୍ତୁ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ଏକ ହଜାରରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ 289 ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପର୍ଯ୍ୟାୟରେ 162ଟି ମୃତଦେହ ଭୁବନେଶ୍ଵର ଏମ୍ସରେ ରହିଛି । ତେବେ ଦୁର୍ଘଟଣାକୁ 15 ଦିନ ପୁରିଥିବା ବେଳେ ସେଥିମଧ୍ୟରୁ ଏବେ ବି 81ଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଏମ୍ସ ପରିସରରେ ଥିବା କଣ୍ଟେନରରେ 81ଟି ମୃତଶରୀର ରଖାଯାଇଛି । ସେଥିରୁ ସମୁଦାୟ 75ଟି ଡିଏନଏ ନମୁନା ସଂଗ୍ରହ ହୋଇ ଦିଲ୍ଲୀ ଏମ୍ସକୁ ରିପୋର୍ଟ ପାଇଁ ପଠାଇ ଦିଆଯାଇଛି ।

ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ଆସି ନିଜ ସମ୍ପର୍କୀୟଙ୍କ ମୃତଦେହ ନେବାକୁ ଚାହିଁ ବସିଥିବା ବେଳେ ଡିଏନଏ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି । ମୃତଦେହ ଚିହ୍ନଟ ଲାଗି ଅନେକ ଦାବିଦାର ରହିଥିବା ବେଳେ ଜୁନ 5 ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଥିଲେ ଯେ, ମୃତକଙ୍କ ଚିହ୍ନଟ ପ୍ରକ୍ରିୟାରେ ଅସୁବିଧା ଯୋଗୁଁ ଡିଏନ୍‌ଏ ଟେଷ୍ଟିଂର ଶେଷ ବିକଳ୍ପ ଗ୍ରହଣ କରାଯାଇଛି । 4ରୁ 5 ଦିନ ମଧ୍ୟରେ ଡିଏନଏ ଟେଷ୍ଟିଂର ରିପୋର୍ଟ ଆସିବ । କିନ୍ତୁ ଆଜକୁ ପ୍ରାୟ 14 ଦିନ ବିତିଗଲାଣି, ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ରିପୋର୍ଟ ଆସିପାରିଲା ନାହିଁ । ଏଥିପାଇଁ ଆହୁରି ସମୟ ଲାଗିବ । ସେପର୍ଯ୍ୟନ୍ତ ମୃତକଙ୍କ ପରିବାରଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ବାହାନଗା ଟ୍ରାଜେଡି: SCBରେ ଆହତଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ

ଖୁବଶୀଘ୍ର ଡିଏନଏ ରିପୋର୍ଟ ଦେବାକୁ ଦିଲ୍ଲୀସ୍ଥିତ ଏମ୍ସକୁ ଅନୁରୋଧ କରିଛି ଭୁବନେଶ୍ଵର ଏମ୍ସ । ରିପୋର୍ଟ ମିଳିବା ପରେ ମୃତଦେହକୁ ପ୍ରକୃତ ଦାବିଦାରଙ୍କୁ ହସ୍ତାନ୍ତର କରାଯିବ । ସେଥିଲାଗି ବିଏମ୍‌ସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଟେଷ୍ଟିଂ ରିପୋର୍ଟ ଆସିଲେ ମୃତକଙ୍କ ପରିବାରଙ୍କୁ ଅବଗତ କରାଇବା ସହ ମୃତଦେହକୁ ଠିକଣା ସ୍ଥଳରେ କିପରି ସୁରକ୍ଷିତ ଭାବେ ପହଞ୍ଚାଯିବ ସେନେଇ ବ୍ୟବସ୍ଥା କରାଯିବ । କିନ୍ତୁ ଏହାପରେ ବି ରହିଯାଉଥିବା ଅଚିହ୍ନା ମୃତଦେହଗୁଡିକୁ ଏକାଠି ଗଣଦାହ କରିବାକୁ ଯୋଜନା କରାଯାଇଛି । ଏନେଇ ସରକାରଙ୍କ ପକ୍ଷରୁ ସଙ୍କେତ ମିଳିଲେ ମୃତଦେହ ଦାହ ପ୍ରକ୍ରିୟା ଆରମ୍ଭ ହେବ ।

ପ୍ରକାଶଥାଉ କି, ଗତ 2 ତାରିଖ ରାତିରେ ବାଲେଶ୍ବର ବାହାନଗାଠାରେ ତିନୋଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ଘଟଣାସ୍ଥଳରେ ପାହାଡ଼ ପରି ମୃତଦେହ ଗଦା ହୋଇଯାଇଥିଲା । ଏଥିରେ ମୋଟ 289 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 1000ରୁ ଅଧିକ ଆହତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.